Odiapua.com

ବିଜେଡିରେ ଯୋଗଦେଲେ ରାଇରଙ୍ଗପୁର କଂଗ୍ରେସର ନେତା ଓ କର୍ମୀ

ଭୁବନେଶ୍ୱର, ୧୯/୪ (ଓଡ଼ିଆ ପୁଅ) : ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଅଭିଷେକ ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସଂପାଦକ ଦିବ୍ୟକାନ୍ତ ଖୁଣ୍ଟିଆ, ଜୋନ ସଭାପତି ଭରତ ଭୂଷଣ ମହାନ୍ତ, ଗୌରହରି ପରମାଣିକ, ପୀତବାସ ବରଡ଼ା, ଦିଲ୍ଲୀପ ଦାସ, କୁଶାଲ ଧଳ, ଫିରୋଜ ଖାଁ, ନଗର ସଭାପତି ଭଜହରି ମହାନ୍ତ, ଜିଲ୍ଲା ମହିଳା କଂଗ୍ରେସ ଉପ-ସଭାନେତ୍ରୀ ସୋନାଲି ଅପରାଜିତା, ପୂର୍ବତନ ଓବିସି ସେଲ ସଭାପତି ବିଜୟ ମହାନ୍ତ, ହେମନ୍ତ ବାରିକ, ପୂର୍ବତନ ଜିଲ୍ଲା କଂଗ୍ରେସ ସଂପାଦକ ଆଡଭୋକେଟ୍ସନତ କୁମାର ନନ୍ଦଙ୍କ ସମେତ ୧୫୦ରୁ ଊର୍ଦ୍ଧ୍ୱ ନେତା ଓ କର୍ମୀ ଆଜି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ କଂଗ୍ରେସ ନେତା-କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଛନ୍ତି ଯେ ୧୫୦ରୁ ଊର୍ଦ୍ଧ୍ୱ କଂଗ୍ରେସ ନେତା-କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି। ଏହି ଯୋଗଦାନ ମୟୁରଭଞ୍ଜ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ।

ଦଳରେ ଯୋଗ ଦେବା ଅବସରରେ ଅଭିଷେକ ପଟ୍ଟନାୟକ କହିଥିଲେ ଯେ ଦୀର୍ଘ ୧୯ବର୍ଷ ଧରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ଦୃଢ଼ ନେତୃତ୍ୱ ଦ୍ୱାରା ଆମେ ସମସ୍ତେ ଅନୁପ୍ରାଣିତ। କଂଗ୍ରେସରେ କୌଣସି ଅନୁଶାସନ ଅଛି ବୋଲି ଆମେମାନେ ପରିଲକ୍ଷିତ କରିନାହୁଁ। ବିଜୁ ଜନତା ଦଳ ଗୋଟିଏ ଶୃଙ୍ଖଳିତ ଦଳ ହୋଇଥିବାରୁ ଆଜି ସମସ୍ତେ ଦଳରେ ଯୋଗ ଦେଇଛୁ।

ଆଜିର ଏହି ଯୋଗଦାନ କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସଂପାଦକ ସୁଶାନ୍ତ ଚୌଧୁରୀ, ରାଇରଙ୍ଗପୁର ନଗର ବିଜେଡି ସଭାପତି ବିଶ୍ୱଜିତ ପଣ୍ଡା, ଛାତ୍ର ବିଜେଡି ରାଜ୍ୟ ସାଧାରଣ ସଂପାଦକ ସାଜିଦ ହୁସେନ୍, ଖୁଦିରାମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।