Odiapua.com

ବିଜେଡିରେ ମାନବ ବୋମା!

ଭୁବନେଶ୍ୱର;୨୩,୦୫(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଆତଙ୍କବାଦୀ ମାନେ ମାନବ ବୋମା ହେବା କଥା ସମସ୍ତେ ଜାଣନ୍ତି।ଦେହରେ ବୋମା ଖଞ୍ଜି ନିଜ ସହ ଅନ୍ୟକୁ ବି ଉଡାଇ ଦିଅନ୍ତି।ଯେପରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ମାନବ ବୋମା ଦ୍ୱାରା ହତ୍ୟା କରାଯାଇଥିଲା।ଏବେ ବାସ୍ତବରେ ନହେଲେ ମଧ୍ୟ ରାଜନୈତିକ ଫାଇଦା ପାଇଁ ଶାସକ ବିଜେଡିର ଜଣେ ମନ୍ତ୍ରୀ ନିଜେ ମାନବ ବୋମା ହେବା କଥା କହି ଭୟଙ୍କର ମନ୍ତବ୍ୟ ଦେଇଛନ୍ତି।ସେ ହେଲେ ପିପିଲି ବିଧାୟକ ତଥା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ।
ମହାରଥୀ ତାଙ୍କର ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।ତେବେ ଏବେକାର ମନ୍ତବ୍ୟ ସବୁକୁ ବଳି ଯାଇଛି।ବ୍ରହ୍ମଗିରି ଢାବା ଛକରେ ଆୟୋଜିତ ମହାନଦୀ ମହାସଂଗ୍ରାମ ସମାବେଶରେ ମହାରଥୀ ଛତିଶଗଡ଼ର କଲମା ବ୍ୟାରେଜ୍‌କୁ ବୋମାରେ ଉଡାଇ ଦେବାକୁ କହିଛନ୍ତି।ଛତିଶଗଡ଼କୁ କଡା ଭାଷାରେ ସମାଲୋଚନା କରି ସେ କହିଥିଲେ ଯେ,ଛତିଶଗଡ଼ କଲମା ବ୍ୟାରେଜ କରି ମହାନଦୀ ପାଣି ଅଟକାଇଛି।ଏଥିପାଇଁ କେବଳ ଆନ୍ଦୋଳନ କଲେ ଚଳିବ ନାହିଁ। ତାଙ୍କ ଦେହରେ ମାନବ ବୋମା ଖଞ୍ଜି ଦିଆଯାଉ।ସେ ସିଧା ଯାଇ ଛତିଶଗଡ଼ର କଲମା ପୋଲ ଉପରେ ଓହ୍ଲାଇବେ ଆଉ ବ୍ୟାରେଜ୍‌କୁ ଉଡାଇ ଦେବେ।ଏକାଥରକେ ସବୁ ଶେଷ ହୋଇଯିବ ବୋଲି କହିଥିଲେ ମହାରଥୀ।
ତାଙ୍କର ଏହି ବକ୍ତବ୍ୟକୁ ନେଇ ବେଶ ଚର୍ଚ୍ଚା ହେଉଛି।ମହାନଦୀକୁ ନେଇ ମହାସଂଗ୍ରାମ ଚାଲିଥିବା ବେଳେ ଏବଂ ଏବେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସିବାକୁ ଥିବା ବେଳକୁ ଡାଇଲଗରେ ଓସ୍ତାଦ ମହାରଥୀ ଏପରି ବିସ୍ଫୋରକ ମନ୍ତବ୍ୟ ଦେଇ ନିଜକୁ ଚର୍ଚ୍ଚାରେ ରଖିବାକୁ ଚେଷ୍ଟା କରିଥିବା ଅନୁମାନ କରାଯାଉଛି।