Odiapua.com

ବିଜୁ ଯୁବ ବାହିନୀଙ୍କ ଦ୍ୱାରା ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ଓ ନିରାପତ୍ତା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ

ଭୁବନେଶ୍ୱର, ୧୪/୧୦ (ଓଡ଼ିଆ ପୁଅ) : ନୂତନ ମୋଟର ଯାନ (ସଂଶୋଧିତ) ନିୟମ-୨୦୧୯ର କଡ଼ାକଡ଼ି ଅନୁପାଳନ ଏବଂ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରି ସୁରକ୍ଷିତ ଗାଡ଼ିଚାଳନା ନିମନ୍ତେ ସଚେତନ କରିବା ଉଦ୍ଦେଶ୍ୟରେ ‘ବିଜୁ ଯୁବ ବାହିନୀ’ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ‘ରକ୍ଷକ’ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ ଶୁଭାରମ୍ଭ ଆଜି ଭୁବନେଶ୍ୱରସ୍ଥିତ ଏ.ଜି. ଛକଠାରେ ହୋଇଯାଇଛି।

ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ୍, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା, ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ, ଭୁବନେଶ୍ୱର ଡିସିପି ଶ୍ରୀ ଅନୁପ କୁମାର ସାହୁ, ଭୁବନେଶ୍ୱର ପୌର ନିଗମର ଅତିରିକ୍ତ କମିଶନର ଶ୍ରୀ ସୁରଥ ଚନ୍ଦ୍ର ମଲ୍ଲିକ ଏବଂ ବିଜୁ ଯୁବ ବାହିନୀର ସିଇଓ ଶ୍ରୀ ମନୋଜ କୁମାର ପାଢ଼ୀଙ୍କ ସମେତ ଅନେକ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନଙ୍କୁ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ ତ୍ୱରାନ୍ୱିତ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ଆହ୍ୱାନ ଦେଇଥିଲେ। ମୋଟର ଯାନ ନିୟମ ପାଳନରେ ଲୋକମାନଙ୍କୁ ସତର୍କତା କରିବା ସହ ଆଇନ୍କୁ ଠିକ୍ ଅନୁପାଳନ କରିବାରେ ବିଜୁ ଯୁବ ବାହିନୀ ସକ୍ରିୟ ଭୂମିକା ଗ୍ରହଣ କରିବା ନିମନ୍ତେ ଡିସିପି ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ମାନ୍ୟବର ସାଂସଦ ଡ. ପଟ୍ଟନାୟକ ଯୁବ ବର୍ଗଙ୍କ ଦାୟିତ୍ୱବୋଧ ଓ ସଡ଼କ ସୁରକ୍ଷା ନିମନ୍ତେ ସହଯୋଗ ଓ ପ୍ରତିବଦ୍ଧତା ସଂପର୍କରେ ଅବଗତ କରାଇଥିଲେ। ମନ୍ତ୍ରୀ ଶ୍ରୀଯୁକ୍ତ ଜେନା, ବିଜୁ ଯୁବ ବାହିନୀର ଏହି ସୁଚିନ୍ତିତ ସାମାଜିକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟଧାରାକୁ ସାଧୁବାଦ୍ ଜଣାଇଥିଲେ। ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ନାୟକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ‘ରକ୍ଷକ’ ସାମାଜିକ କାର୍ଯ୍ୟକ୍ରମ ଆଗାମୀ ୧୦ଦିନ ଧରି ରାଜ୍ୟର ସମସ୍ତ ପଞ୍ଚାୟତ ଓ ପୌରାଞ୍ଚଳରେ କାର୍ଯ୍ୟାନ୍ୱୟନ କରାଯିବ ଏବଂ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନେ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଜନସାଧାରଣଙ୍କୁ ସହଯୋଗ ଓ ସଚେତନ କରାଇବେ। ବିଜୁ ଯୁବ ବାହିନୀର ସିଇଓ ଶ୍ରୀ ପାଢ଼ୀ ସ୍ୱାଗତ ଭାଷଣ ଦେବା ସହ ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସଂପର୍କରେ ସୂଚନା ଦେଇଥିଲେ।

ଭୁବନେଶ୍ୱରର ୨୦ଟି ପ୍ରମୁଖ ଟ୍ରାଫିକ୍ ସ୍ଥାନରେ ଆଜି ୩୦୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଏହି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ, ଯାହାକି ଆଗାମୀ ଦିନରେ ସାରା ରାଜ୍ୟରେ ଜାରି ରହିବ ବୋଲି ସୂଚନା ଦିଆଯାଇଛି। ବିଜୁ ଯୁବ ବାହିନୀର ଉପ-ସଚିବ ଶ୍ରୀ ବିଜୟାନନ୍ଦ ନାଏକ ସମସ୍ତ ଅତିଥିବୃନ୍ଦ, ସ୍ୱେଚ୍ଛାସେବୀ ଓ ଗଣମାଧ୍ୟମର ପ୍ରତିନିଧିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।