Odiapua.com

ବିଜୁ ବାବୁଙ୍କ କାଶ୍ମୀର ଅବଦାନକୁ ସ୍ମରଣ କରି ଭାରତ ସରକାର ତାଙ୍କୁ ଭାରତ ରତ୍ନ ପ୍ରଦାନ କରିବା ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଚିଠି

ଭୁବନେଶ୍ୱର, ତା ୬ା୮ (ଓଡ଼ିଆ ପୁଅ) : କାଶ୍ମୀରକୁ ନେଇ ଆଜି ଭାରତବର୍ଷର ସଡ଼କଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଯେତେବେଳେ ପ୍ରକମ୍ପିତ ହୋଇଉଠୁଛି, ସେତିକିବେଳେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦକ୍ଷ ପାଇଲଟ ତଥା କାଶ୍ମୀରରେ ପ୍ରଥମେ ନିଜର ଡାକୋଟା ବିମାନରେ ୪୭ଜଣ ସୈନ୍ୟଙ୍କୁ ଧରି ୧୯୪୭ ମସିହା ଅକ୍ଟୋବର ୨୭ତାରିଖ ଦିନ ପାକିସ୍ତାନ ସେନାକୁ ଉପଯୁକ୍ତ ଜବାବ ଦେଇଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଭାରତବାସୀ ମନେ ପକାଇବା ଦରକାର। ପାକିସ୍ତାନ ଯେତେବେଳେ ଭାରତ ଆକ୍ରମଣ କଲା ଏବଂ କାଶ୍ମୀର ରାଜା ହରିସିଂହ ଭାରତର ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ କାକୁତି ମିନତୀ ହୋଇ ଅନୁରୋଧ କଲେ, ସେତେବେଳେ ନେହେରୁଙ୍କ ନିର୍ଦ୍ଦେଶରେ ବିଜୁ ପଟ୍ଟନାୟକ ଅତି ସାହସିକ ପଦକ୍ଷେପ ନେଇ ପ୍ରଥମ ଲୋକ ହିସାବରେ କାଶ୍ମୀର ବିମାନ ବନ୍ଦରରେ ଭାରତୀୟ ସେନାଙ୍କୁ ଧରି ଅବତରଣ କଲେ। ଭାରତୀୟ ସେନାଙ୍କ ଆକ୍ରମଣରେ ପାକିସ୍ତାନୀ ସେନା ପଛଘୁଞ୍ଚା ଦେଲା। ଆଜି ବିଜୁ ପଟ୍ଟନାୟକ ମୃତ୍ୟୁର ଦୀର୍ଘ ୨୨ ବର୍ଷ ଗତ ହୋଇଯାଇଛି। ଦେଶର ଏକତା, ଅଖଣ୍ଡତା ଓ ସଂହତିକୁ ଦୃଷ୍ଟିରେ ରଖି କାଶ୍ମୀର ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରି ଭାରତ ସରକାର ଦେଶର ସର୍ବୋଚ୍ଚ ବେସାମରିକ ଉପାଧି ଭାରତ ରତ୍ନରେ ତାଙ୍କୁ ଭୂଷିତ କରିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଦାବି କରାଯାଇଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏ ସଂକ୍ରାନ୍ତରେ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ସହିତ ଓଡ଼ିଶାବାସୀଙ୍କର ଭାବାବେଗକୁ ସମ୍ମାନ ଦେବାକୁ ମତପ୍ରକାଶ କରିଛନ୍ତି। ଏହି ଚିଠିରେ ଏକକିତା ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ପ୍ରଦାନ କରାଯାଇଛି। ଆଜି ଲୋକସଭାରେ କାଶ୍ମୀର ଆଲୋଚନା ଚାଲିଥିଲା ବେଳେ ମାନ୍ୟବର ସାଂସଦ ପିନାକୀ ମିଶ୍ର ଏହି କଥାକୁ ସଂସଦରେ ଉପସ୍ଥାପିତ କରିଥିବା ଯୋଗୁଁ ତାଙ୍କୁ ମଧ୍ୟ ଶ୍ରୀ ବେହେରା ଧନ୍ୟବାଦ ଜଣାଇଛନ୍ତି। ଏଠାରେ ଉଲ୍ଲେଖଥାଉକି, ପୂର୍ବରୁ ତକ୍ରାଳୀନ ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀ ଯେତେବେଳେ ଓଡ଼ିଶା ଗସ୍ତରେ ଆସି ରାଜଭବନଠାରେ ଅବସ୍ଥାନ କରୁଥିଲେ, ସେତେବେଳେ ସମାଜବାଦୀ ପାର୍ଟିର ଏକ ୫ଜଣିଆ ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରି ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବାପାଇଁ ସ୍ମାରକପତ୍ର ପ୍ରଦାନ କରିଥିଲେ।