Odiapua.com

ବିଜୁ ବାବୁଙ୍କୁ ଭାରତ ରତ୍ନ କେବେ ? ସମାଜବାଦୀ ପାର୍ଟି

ଭୁବନେଶ୍ୱର୧୨ା୯(ଓଡିଆ ପୁଅ) ଭାରତ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କୁ ୨୦୧୯-୨୦ ପାଇଁ ଭାରତ ରତ୍ନ ଦେବାକୁ ବିଚାର କରୁଛନ୍ତି। ଦେଶପ୍ରତି ଶ୍ରୀ ରାଓଙ୍କ ଅବଦାନକୁ ସ୍ମରଣ କରି ତାଙ୍କୁ ଭାରତ ରତ୍ନ ଦେବାପାଇଁ ବିଜେପି ସାଂସଦ ଡଃ ସୁବ୍ରମଣ୍ୟମ ସ୍ୱାମୀ କେନ୍ଦ୍ର ସରକାରଙ୍କ ପାଖରେ ଦୃଢ ଦାବି କରିଛନ୍ତି। ଯାହାକି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଓଡ଼ିଶାର ଗର୍ବ ଓ ଗୌରବ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାପାଇଁ ବହୁଦିନରୁ ଦାବି ହୋଇଆସୁଥିଲେ ମଧ୍ୟ ତାହାକୁ କେନ୍ଦ୍ର ସରକାର ବିଚାରକୁ ନେଇନାହାଁନ୍ତି। ସ୍ୱାଧୀନତା ସଂଗ୍ରାମକୁ ବିଜୁ ବାବୁଙ୍କର ସ୍ମରଣୀୟ ଅବଦାନ, କାଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ କରିବାରେ ବିଜୁ ବାବୁଙ୍କର ବଳିଷ୍ଠ ଭୂମିକା ଏବଂ ସ୍ୱାଧୀନ ଭାରତ ବର୍ଷ ରେ ଜାତି ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରି ଏବଂ ଓଡ଼ିଶାବାସୀଙ୍କର ଭାବାବେଗକୁ ସମ୍ମାନ ଜଣାଇ ସ୍ୱର୍ଗତ ରାଓଙ୍କ ସହିତ ବିଜୁ ବାବୁଙ୍କୁ ମଧ୍ୟ ଭାରତ ରତ୍ନ ପ୍ରଦାନ କରିବା ପାଇଁ ସମାଜବାଦୀ ପାର୍ଟି ଦାବି କରିଛି। ପାର୍ଟିର ରାଜ୍ୟସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ମାନ୍ୟବର ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦାବି ଉପସ୍ଥାପିତ କରିବା ସହିତ, ଏହାର ଏକକିତା ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗୋଚରାର୍ଥେ ପ୍ରେରଣ କରିଛନ୍ତି। ରାଜ୍ୟର ସମସ୍ତ ବିଧାୟକ, ସାଂସଦ ଓ ରାଜନୈତିକ ଦଳମାନେ ରାଜନୀତିର ଊଦ୍ଧ୍ୱର୍କୁ ଯାଇ ବିଜୁ ବାବୁଙ୍କ ଭଳି ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି କରିବାକୁ ସେ ନିବେଦନ କରିଛନ୍ତି। ଏଠାରେ ଉଲ୍ଲେଖଥାଉକି ଓଡ଼ିଶାର ବହୁ ଯୋଗ୍ୟ ବରପୁତ୍ର ଭାରତ ରତ୍ନ ପାଇଁ ଦାବିଦାର ଥିଲେ ମଧ୍ୟ ୭୨ ବର୍ଷ ସ୍ୱାଧୀନତା ପରେ ଏ ରାଜ୍ୟର କୌଣସି ଜଣେ ସୁଯୋଗ୍ୟ ସନ୍ତାନକୁ କେନ୍ଦ୍ର ସରକାର ଭାରତ ରତ୍ନ ପ୍ରଦାନ କରିନାହାଁନ୍ତି। ଏହା ସମଗ୍ର ଓଡ଼ିଆ ଜାତି ପାଇଁ କେବଳ ଅଣଦେଖା ନୁହେଁ, ଏହାର ସମ୍ମାନ ଓ ସ୍ୱାଭିମାନ ପାଇଁ ଏକ ଆହ୍ୱାନ ମାତ୍ର। ଓଡ଼ିଆ ଜାତିର ଏହି ଭାବାବେଗକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ଆଗାମୀ ଦିନରେ ବିଜୁ ପଟ୍ଟନାୟକଙ୍କ ନାମ ଭାରତ ରତ୍ନ ପାଇଁ ବିଚାରକୁ ନେବାକୁ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଏହି ପତ୍ରରେ ଅନୁରୋଧ କରିଛନ୍ତି।