Odiapua.com

ବିଜୁ ପଟ୍ଟନାୟକ ପାର୍କରେ ହେବାକୁ ଥିବା ବେଆଇନ ରାଜନୈତିକ ବୈଠକ ବନ୍ଦ

କେନ୍ଦ୍ରାପଡ଼ା, ୧୩ା୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଟାଉନ ଥାନା ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିର ସମ୍ମୁଖ ଭ୍ରମରଦିଆପାଟଣାସ୍ଥିତ ବିଜୁ ପଟ୍ଟନାୟକ ପାର୍କ ଭିତରେ ହେବାକୁ ଥିବା ଏକ ବେଆଇନ ବୈଠକ ଶେଷରେ ବନ୍ଦ ହୋଇଯାଇଥିବା ଜଣାପଡିଛି। ସେଠାରେ ଏକ ରାଜନୈତିକ ଦଳର ବୈଠକ ପାଇଁ ରବିବାର ଅପରାହ୍ନରେ ମହେଶ କୁମାର ପାଢୀ ନାମକ ଜଣେ ଯୁବକ ଦଳର ବ୍ୟାନର ଲଗାଇ ସମସ୍ତ ଆୟୋଜନ କରିଥିବା ସମ୍ପର୍କରେ ବିଜୟ କୁମାର ଦାସ ଟାଉନ ଥାନା ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। କୈାଣସି ସରକାରୀ ଅନୁମତି ବିନା ବିଜୁ ପଟ୍ଟନାୟକ ପାର୍କ ଭଳି ଏକ ସରକାରୀ ସ୍ଥାନରେ ରାଜନୈତିକ ଦଳର ବୈଠକ କରାଯିବା ସମ୍ପୂର୍ଣ୍ଣ ବେଆଇନ ଏବଂ ଆଇନ ବିରୋଧୀ ବୋଲି ସେ ଅଭିଯୋଗ କରିଥିଲେ। ଏତଦ୍‌ବ୍ୟତିତ ସେହି ସ୍ଥାନରେ ଲଗାଯାଇଥିବା ବ୍ୟାନରରେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରାପଡା ସାଂସଦ, ବିଧାୟକ ଓ ଅନ୍ୟ କେତେକ ଜନ ପ୍ରତିନିଧିଙ୍କ ବିନା ଅନୁମତିରେ ଫଟୋ ଲଗାଯାଇଥିବା ସେ ଅଭିଯୋଗ କରି ତାହା ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଥିଲେ। ଅଭିଯୋଗ ଫଳରେ ସେହି ବୈଠକ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇ ଯାଇଥିଲା।