Odiapua.com

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି ସ୍ୱାଗତଯୋଗ୍ୟ : ସଚେତନ ନାଗରିକ ଫୋରମ୍

ଭୁବନେଶ୍ୱର, ୬-୮ (ଓଡ଼ିଆ ପୁଅ) : ଆଜି ଲୋକସଭାରେ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଉପରେ ହେଉଥିବା ଆଲୋଚନାରେ ଅଂଶଗ୍ରହଣ କରି ପୁରୀ ସାଂସଦ ପିନାକୀ ମିଶ୍ର କାଶ୍ମୀରକୁ ଭାରତରେ ମିଶାଇବା ପାଇଁ ବିଜୁ ପଟ୍ଟନାୟକଙ୍କର ଅବଦାନକୁ ସ୍ମରଣ କରି ତାଙ୍କୁ ଭାରତ ରତ୍ନ ଦେବାପାଇଁ ଦାବି କରିବା ସ୍ୱାଗତଯୋଗ୍ୟ ବୋଲି ସଚେତନ ନାଗରିକ ଫୋରମ୍ ପକ୍ଷରୁ କୁହାଯାଇଛି। ଫୋରମ୍ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସମ୍ପାଦକ ଦିଲ୍ଲୀପ ହାଲି ଏବଂ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏହାକୁ ସ୍ୱାଗତ କରିବା ସହିତ କହିଛନ୍ତି ଯେ, ପାକିସ୍ତାନ ଯେତେବେଳେ ୧୯୪୭ ମସିହାରେ କାଶ୍ମୀର ଆକ୍ରମଣ କଲା ସେତେବେଳେ ଭାରତୀୟ ବାୟୁସେନାର କାର୍ଯ୍ୟରତ ଦକ୍ଷ ପାଇଲଟ୍ ବିଜୁ ପଟ୍ଟନାୟକ ପ୍ରଥମେ ଭାରତୀୟ ସେନାର ୭ଜଣ ସୈନିକଙ୍କୁ ବିମାନରେ ନେଇ ଶ୍ରୀନଗର ବିମାନ ବନ୍ଦରରେ ଅବତରଣ କରାଇଥିଲେ। ତେଣୁ ବିଜୁ ପଟ୍ଟନାୟକଙ୍କର ଏହି ସାହସିକ ପଦକ୍ଷେପ ଯୋଗୁଁ ଭାରତୀୟ ସେନା ସେଠାରେ ପହଞ୍ଚି ପାକିସ୍ତାନର ଆକ୍ରମଣକୁ ପ୍ରତିହତ କରିବାରେ ସମର୍ଥ ହୋଇଥିଲା। ଆଜି ଯେତେବେଳେ କାଶ୍ମୀର ପ୍ରସଙ୍ଗକୁ ନେଇ ସମଗ୍ର ଭାରତ ବର୍ଷ ପଡୁଛି ଉଠୁଛି, ସେତିକିବେଳେ ଭାରତ ସରକାର ବିଜୁ ବାବୁଙ୍କର ଏହି ଅବଦାନକୁ ସ୍ମରଣ କରି ତାଙ୍କୁ ଭାରତରତ୍ନ ପ୍ରଦାନ କରିବା ଯଥାର୍ଥ ହେବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଏଠାରେ ଉଲ୍ଲେଖଥାଉକି ଅତୀତରେ ତକ୍ରାଳୀନ ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀ ୨୦୧୨ ମସିହାରେ ଯେତେବେଳେ ଓଡ଼ିଶା ଗସ୍ତରେ ଆସିଥିଲେ ସମାଜବାଦୀ ପାର୍ଟିର ଏକ ୫ ଜଣିଆ ପ୍ରତିନିଧିଦଳ ତାଙ୍କୁ ରାଜଭବନଠାରେ ସାକ୍ଷାତ କରି ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରିବା ପାଇଁ ଏକ ସ୍ମାରକପତ୍ର- ପ୍ରଦାନ କରିଥିଲେ। କିନ୍ତୁ ତାହାକୁ ସେତେବେଳର ସରକାର ଗ୍ରହଣ କରିନଥିଲେ। ତେଣୁ ଆଜି କାଶ୍ମୀର ପରିପ୍ରେକ୍ଷୀରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରି ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଗଲେ ତାହା ଭାରତ ବର୍ଷ ସହିତ କାଶ୍ମୀର ମିଶ୍ରଣକୁ ଏକ ଯଥାର୍ଥ ପଦକ୍ଷେପ ହେବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।