ବାଲେଶ୍ୱର, ୨୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ବିଧାନସଭା ଆସନର ଉପ-ନିର୍ବାଚନ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଟାଉନ ବିଜେଡିର ଅନ୍ୟତମ ଦକ୍ଷ ସଂଗଠକ ତଥା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ନିକଟତମ ସହଯୋଗୀ ଆଶିଷ କୁମାର ଘୋଷଙ୍କର ଦଳ ଛାଡ଼ିବା ଘୋଷଣାକୁ ନେଇ ଦଳୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଶୁକ୍ରବାରଦିନ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଘୋଷ ତାଙ୍କ ପ୍ରତି ବଢ଼ି ଚାଲିଥିବା ବିଜେଡି କର୍ମକର୍ତ୍ତାଙ୍କ ଅସହିଷ୍ଣୁତା ସମ୍ପର୍କରେ ସୂଚନା ଦେବା ସହ ନିଜର ସ୍ୱାଭିମାନ ରକ୍ଷା କରିବା ପାଇଁ ସେ ବାଧ୍ୟ ହୋଇ ବିଜୁ ଜନତା ଦଳ ଛାଡ଼ିବାକୁ ନିଷ୍ପତି ନେଇଥିବା କହିଛନ୍ତି। ୨୦୦୯ ମସିହାରେ ପୂର୍ବତନ ବିଧାୟକଙ୍କ ସହଯୋଗରେ ସେ ବିଜେଡିରେ ଯୋଗଦେଇ ଜଣେ ଶୃଙ୍ଖଳିତ କର୍ମୀ ଭାବେ ସାଂଗଠନିକ ଦାୟିତ୍ୱ ତୁଲାଇବା ଦଳ ପ୍ରତି ଅନୁଗତ ପ୍ରକାଶ କରି ଚାଲିଥିଲେ। ସାଂଗଠନିକ ଦକ୍ଷତାକୁ ଦୃଷ୍ଟିରେ ରଖି ୨୦୧୨ ମସିହାରେ ପୂର୍ବତନ ବିଧାୟକ ଜୀବନ ଦାଶଙ୍କ ପ୍ରସ୍ତାବ ଓ ତତ୍କାଳୀନ ବିଜେଡି ଜିଲ୍ଲା ସଭାପତି ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଅନୁମୋଦନ କ୍ରମେ ତାଙ୍କୁ ବାଲେଶ୍ୱର ଟାଉନ ବିଜେଡି ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିଲା। ତାଙ୍କର ନେତୃତ୍ୱରେ ଗତ ୨୦୧୩ ମସିହା ପୌର ନିର୍ବାଚନରେ ସର୍ବାଧିକ ସମର୍ଥନ ମିଳିବା ଫଳରେ ବିଜେଡି ପରିଷଦ ଗଠନ ପାଇଁ ସମର୍ଥ ହୋଇଥିଲା। ସେହିଭଳ ୨୦୧୪ ସାଧାରଣ ନିର୍ବାଚନ ପରିଚାଳନାରେ ପୌରାଞ୍ଚଳର ନେତୃତ୍ୱ ନେଇ ଦଳୀୟ ପ୍ରାର୍ଥୀଙ୍କ ସଫଳତାରେ ଅଂଶୀଦାର ହୋଇପାରିଥିଲେ। ୨୦୧୫ ମସିହା ଦଳୀୟ ସାଂଗଠନିକ ନିର୍ବାଚନରେ ଅଂଶଗ୍ରହଣ କରି ପୁନର୍ବାର ବାଲେଶ୍ୱର ଟାଉନ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନରେ ବିଜେଡି ଜିଲ୍ଲା ସଭାପତିଙ୍କ ସମେତ ବିଧାୟକ ଶ୍ରୀ ଦାଶ ଓ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କର ମଧ୍ୟ ତାଙ୍କ ପ୍ରତି ସମର୍ଥନ ଥିଲା। ସବୁକିଛି ଠିକ୍ଠାକ ଚାଲିଥିବା ବେଳେ ୨୦୧୮ ମସିହାରେ ଶ୍ରୀ ଜେନା ବିଜେଡି ଜିଲ୍ଲା ସଭାପତି ଦାୟିତ୍ୱ ନେବା ପରେ ତାଙ୍କ ନାମକୁ କାଟି ବିଧିବଦ୍ଧ ଭାବେ ସ୍ୱରୂପ ଦାସଙ୍କୁ ଟାଉନ ସଭାପତି ଭାବେ ଘୋଷଣା କରାଗଲା। ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରକ୍ତର ଅଭାବ ପୂରଣ ପାଇଁ ସମଗ୍ର ରାଜ୍ୟରେ ଜୀବନ ବିନ୍ଦୁ ଅଭିଯାନ କାର୍ଯ୍ୟକାରୀ ହୋଇଥିବା ବେଳେ ବାଲେଶ୍ୱରରେ ତାଙ୍କୁ ଜିଲ୍ଲା ସଂଯୋଜକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିଲା। ତାଙ୍କର ତତ୍ତ୍ୱାବଧାନରେ ବାରମ୍ବାର ରକ୍ତଦାନ ଶିବିର ଆୟୋଜନ କରାଯାଇ ଜିଲ୍ଲା ରକ୍ତ ଭଣ୍ଡାରକୁ ୩୨୧୬୪ ୟୁନିଟ ରକ୍ତ ଦିଆଯାଇଥିଲା। ଏନେଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଦୁଇଥର ପୁରସ୍କୃତ ବି କରିଥିଲେ। ଓଡ଼ିଶା ମୋ ପରିବାର ସହ ଜୀବନ ବିନ୍ଦୁ ଅଭିଯାନ ମର୍ଜ କରିବା ପରେ ବି ତାଙ୍କୁ ଜିଲ୍ଲା ସଂଯୋଜକର ଦାୟିତ୍ୱ ଦିଆଯାଇଥିଲା। ମାତ୍ର ଗତ ୮ ତାରିଖରେ ତାଙ୍କୁ ଏହି ପଦବୀର ହଟାଇ ଅନ୍ୟଜଣକୁ ଅବସ୍ଥାପିତ କରାଯାଇଥିବା ଶ୍ରୀ ଘୋଷ ଆରୋପ ଉଠାଇଛନ୍ତି। ଇତିମଧ୍ୟରେ ୧୨ ଦିନ ବିତି ଯାଇଥିଲେ ବି ତାଙ୍କଠାରୁ ଦାୟିତ୍ୱ ଅପସାରଣ ନେଇ ବିଜେଡିର କୌଣସି ନେତା ତାଙ୍କୁ ଅଦ୍ୟାବଧି କିଛି କହିନଥିବା ସେ ପ୍ରକାଶ କରିଛନ୍ତି। ଯେଉଁ ଦଳରେ ଜଣେ ସାଧାରଣ କର୍ମୀଙ୍କ ପ୍ରତି ଉଚିତ ସମ୍ମାନ ନାହିଁ ସେଠାରେ ନିଜର ସ୍ୱାଭିମାନୁ ବଳି ପକାଇ ସେଠାରେ ବେଶିଦିନ ରହିବା ଠିକ୍ ହେବନାହିଁ ବୋଲି ଭାବି ଦଳଛାଡ଼ିବା ନିଷ୍ପତି ନେଇଥିବା ସେ କହିଛନ୍ତି। ତେବେ ଏନେଇ ସେ କାହାରିକୁ ଦୋଷ ଦେଉ ନଥିଲେ ବି ଆଗାମୀ ଦିନରେ କେଉଁ ଦଳକୁ ଯିବେ ସେ ସମ୍ପର୍କରେ ମଧ୍ୟ କୌଣସି ସୂଚନା ଦେଇନାହାନ୍ତି।