Odiapua.com

ବିଜୁଳି ଶୁଳ୍କ ହ୍ରାସ, ବିଜୁଳିକାଟ୍ ବନ୍ଦ ଓ କୃଷିକାର୍ଯ୍ୟରେ ୯୦ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଉ – ପିସିସି କିଷାନ କଂଗ୍ରେସ

ଭୁବନେଶ୍ୱର, ୧୯/୯ (ଓଡ଼ିଆ ପୁଅ) – ଓଡ଼ିଶା ବିଦ୍ୟୁତ ଉତ୍ପାଦନରେ ଏକ ବଳକା ରାଜ୍ୟ। ତେଣୁ ବିଦ୍ୟୁତ ଶୁଳ୍କ ପଡ଼ୋଶୀ ରାଜ୍ୟଙ୍କଠାରୁ ଅଧିକ ରହିବା ଆଦୌ ଗ୍ରହଣୀୟ ନୁହେଁ। କିନ୍ତୁ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବ ଓ କୁ-ପରିଚାଳନା ଯୋଗୁଁ ବିଦ୍ୟୁତ ଗ୍ରାହକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଲୋ-ଭୋଲଟେଜ୍ ଓ ବିଦ୍ୟୁତ କାଟ୍ ଅନ୍ୟ ଏକ ସମସ୍ୟା ସୃଷ୍ଟି କରୁଛି। ସରକାର ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଯେଉଁ ଦିନଠାରୁ ଘରୋଇ କମ୍ପାନୀ ହାତକୁ ଟେକିଦେଲେ ସେହି ଦିନଠାରୁ ରାଜ୍ୟରେ ବିଜୁଳି ସମସ୍ୟା ଉତ୍କଟ ରୂପ ଧାରଣ କରିଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କିଷାନ ସେଲ୍ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ କହିଛନ୍ତି। ଓଡ଼ିଶାରେ ବିଦ୍ୟୁତ ଶୁଳ୍କ ଘରୋଇ ଗ୍ରାହକଙ୍କଠାରୁ ୟୁନିଟ୍ ପିଚ୍ଛା ୫ ଟଙ୍କା ୨୨ ପଇସା ଆଦାୟ କରାଯାଉଛି। ଜାତୀୟ ହାର ହେଉଛି ୫ ଟଙ୍କା ୧୧ ପଇସା। ଦେଶର ୨୦ଟିରୁ ଅଧିକ ରାଜ୍ୟରେ ବିଦ୍ୟୁତ ଶୁଳ୍କ ଓଡ଼ିଶାଠାରୁ ଯଥେଷ୍ଟ କମ୍ ରହିଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଗୋଆ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ପଞ୍ଜାବ, ହରିଆଣା, ଅରୁଣାଞ୍ଚଳ ପ୍ରଦେଶ ପ୍ରଭୃତି ଅନ୍ତର୍ଭୁକ୍ତ। ତେବେ ଓଡ଼ିଶାର ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଦର ୪ ଟଙ୍କା ୫୬ ପଇସା, ତେଲେଙ୍ଗାନାରେ ୪ ଟଙ୍କା ୭୯ ପଇସା, ଛତିଶଗଡ଼ରେ ୩ ଟଙ୍କା ୭୭ ପଇସା, ଝାଡ଼ଖଣ୍ଡରେ ୩ ଟଙ୍କା ୪ ପଇସା, ବିହାରରେ ୪ ଟଙ୍କା ୫୨ ପଇସା ଓ ମଧ୍ୟ ପ୍ରଦେଶରେ ୩ ଟଙ୍କା ୬୪ ପଇସା। ତେଣୁ ରାଜ୍ୟ ସରକାର ସାଧାରଣ ବିଦ୍ୟୁତ ଉପଭୋକ୍ତାଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଜୁଳି ଶୁଳ୍କ ହ୍ରାସ କରିବା ସହିତ ନିୟମିତ ବିଦ୍ୟୁତ ଯୋଗାଣ ଏବଂ ଚାଷ କାର୍ଯ୍ୟ ପାଇଁ କୃଷକମାନଙ୍କୁ ୯୦ ପ୍ରତିଶତ ରିହାତିରେ ବିଦ୍ୟୁତ ଯୋଗାଇ ଦିଅନ୍ତୁ ବୋଲି କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ପାଖରେ ଦୃଢ଼ ଦାବି କରିଛନ୍ତି।