Odiapua.com

ବିଜୁଳି ବିନା ବିକାଶ ଅସମ୍ଭବ, ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ – ବିଜୁଳି ମହୋତ୍ସବ

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଜୁଲାଇ ୨୫ ରୁ ଜୁଲାଇ ୩୧ ତାରିଖ ମଧ୍ୟରେ ଦେଶ ତମାମ୍ ପ୍ରତି ଜିଲ୍ଲାରେ ପାଳନ କରାଯାଉଥିବା ବିଜୁଳି ମହୋତ୍ସବ ଭଦ୍ରକ ଜିଲ୍ଲା ପାଇଁ ୨ୟ କାର୍ଯ୍ୟକ୍ରମ ଭାବେ ଆଜି ଭଦ୍ରକ ବ୍ଲକ୍ ର ରାନ୍ଦିଆ ଠାରେ ଥିବା ଶିଶୁ ଉଦ୍ୟାନ ପରିସରର ସମ୍ମିଳନୀ କକ୍ଷରେ ପାଳନ କରାଯାଇଛି। ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନାଙ୍କ ଦ୍ୱାରା ଉଦ୍‌ଘାଟିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଭଦ୍ରକ ବ୍ଲକ ବି.ଡ଼ି.ଓ. ସୀତାକନ୍ତ ରାଉତ, ପାୱାର ଗ୍ରାଡ଼୍‌ର ବରିଷ୍ଠ ମହାପ୍ରବନ୍ଧକ ସତ୍ୟ ପ୍ରକାଶ କର, ଭଦ୍ରକ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରିୟବ୍ରତ ନାୟକ, ଓଲଙ୍ଗ ସରପଞ୍ଚ ଅକ୍ଷୟ ପ୍ରସାଦ ମହାନ୍ତି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଭାବେ ଟି.ପି.ଏନ୍‌. ଓ ଡ଼ି.ଏଲ୍‌.ର ଭଦ୍ରକ ପରିମଣ୍ଡଳ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ପାଢ଼ୀ ସ୍ୱାଗତ ଭାଷଣ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟୁତ୍ ବିନା ପ୍ରଗତି ସମ୍ଭବ ନୁହେଁ, ଦୈନନ୍ଦିନ ଜୀବନରେ ପ୍ରତିଟି କ୍ଷେତ୍ରରେ ପ୍ରତିଟି ସମୟରେ ବିଦ୍ୟୁତ୍ ର ଆବଶ୍ୟକତା ଅଛି।

ଶିଳ୍ପୀକରଣ ହେଉ କି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, କଳକାରଖାନା, ପରିବହନ ପ୍ରତିଟି କ୍ଷେତ୍ରରେ ବିଜୁଳି ର ଅପରିହାର୍ଯ୍ୟତା ଏବଂ ବିଜ୍ଞାନର ଜୟଯାତ୍ରା ମୂଳରେ ବିଦ୍ୟୁତ୍‌ର ଅବଦାନ ସମ୍ବନ୍ଧରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ଦୃଶ୍ୟ ଶ୍ରାବ୍ୟ ଫଳକ ଜରିଆରେ ଭିଡ଼ିଓ ପ୍ରଦର୍ଶନ ସହିତ ଜନସସେବା ଫାଉଣ୍ଡେସନ ଦ୍ୱାରା ପଥପ୍ରାନ୍ତ ନାଟକ ଓ ନଟରାଜ ସାଂସ୍କୃତିକ ସଂଘର ଘୋଡ଼ାନାଚ ପରିବେଷଣ ଜରିଆରେ ବିଦ୍ୟୁତ ଅପବ୍ୟବହାର, ବିଦ୍ୟୁତ୍ ଗ୍ରାହକମାନଙ୍କ ଅଧିକାର ଓ କର୍ତ୍ତବ୍ୟ, ବିଦ୍ୟୁତ ଦୁର୍ଘଟଣାରୁ ନିରାପଦ ରହିବା ପାଇଁ ସତର୍କତା, ସରକାରୀ ସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଦ୍ୟୁତ ସଂଯୋଗ ନେଇ ସୌଭାଗ୍ୟ, ଦୀନଦୟାଲ, ବିଜୁଜ୍ୟୋତି ଆଦି ଯୋଜନା ସମ୍ବନ୍ଧରେ ମହୋତ୍ସବରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ପାୱର ଗ୍ରୀଡ଼୍‌ର ଡ଼ି.ଜି.ଏମ୍‌. ନୀହାର ରଞ୍ଜନ ଜେନା, ବିଭାଗୀୟ କର୍ମଚାରୀ ରତିକାନ୍ତ ବିଶ୍ୱାଳ, ଓ.ପି.ଟି. ସି.ଏଲ୍‌. ର ଡ଼ି.ଜିି.ଏମ୍‌. ରାମେଶ୍ୱର ମହଲା, ଟାଟା ପାୱାର ଯନ୍ତ୍ରୀ ବିଶ୍ୱଜିତ୍ ଓଝା, ଦେବାଶିଷ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ। ଶ୍ରୀ ଜଗନ୍ନାଥ ସାଂସ୍କୃତିକ କଳାକାର ସଂଘର ସଂଗୀତ ନିର୍ଦ୍ଦେଶକ ରୁଦ୍ରମାଧବ ବାରିକଙ୍କ ନେତୃତ୍ୱରେ ବନ୍ଦେ ଉତ୍କଳ ଜନନୀ ଉଦ୍‌ଘାଟନୀ ସଂଗୀତ ପରିବେଷଣ କରାଯାଇଥିଲା।