Odiapua.com

ବିଗତ ଦୁଇବର୍ଷ ମଧ୍ୟରେ ଜୁନାଗଡ ବ୍ଲକରୁ ଅନ୍ୟୁନ ୨୦ କୋଟି ଟଙ୍କା ଫେରିଯାଇଥିବା ଅଭିଯୋଗ

କଳାହାଣ୍ଡି, ୧୨.୦୩.୨୦୧୯(ଓଡିଆ ପୁଅ) କଳାହାଣ୍ଡି ଜିଲ୍ଲାର ପ୍ରମୁଖ ବ୍ଲକ ଭାବେ ଜୁନାଗଡ ବ୍ଲକ ୩୪ ଟି ଗ୍ରାମପଂଚାୟତକୁ ନେଇ ଗଠିତ ହୋଇଛି। ଗତ ପଂଚାୟତ ନିର୍ବାଚନରେ ଜୁନାଗଡ ବ୍ଲକ ଭାଜପା ସମର୍ଥିତ ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ୱାରା ଅଧ୍ୟକ୍ଷା ନିର୍ବାଚିତ ହୋଇଥିବା ବେଳେ ଜୁନାଗଡ ବ୍ଲକର ଉନ୍ନତି ମୂଲକ ପାଣ୍ଠି ମଧ୍ୟରୁ ଅନ୍ୟୁନ ୨୦ କୋଟି ଟଙ୍କା ଫେରି ଯାଇଥିବା ଅଭିଯୋଗ ହୋଇଛି। ଜୁନାଗଡ ବ୍ଲକରେ ଭାଜପା ରାଜ୍ୟ ସଭାପତିଙ୍କ ପାରିବାରିକ ସଂପର୍କୀୟ ବିଡିଓ ଥିବା ବେଳେ ତାଙ୍କର ଭାଜପା ଗୋଷ୍ଠୀ ତଥା ଅଧ୍ୟକ୍ଷା ସହ ତାଳମେଳ ଠିୁକ ରହୁନଥିବା ହେତୁ ଏଭଳି ଅଭାବନୀୟ ଘଟଣା ଦେଖାଯାଇଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମାନଙ୍କ ସୂତ୍ରରୁ ପ୍ରକାଶ। ହେଲେ ତତ୍କାଳୀନ ବିଡିଓଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲେ ହେଁ ଭାଜପା ରାଜ୍ୟ ସଭାପତିଙ୍କ ପରୋକ୍ଷ ଇଶାରାରେ ଏଭଳି କରାଯାଉଥିବା ଅଭିଯୋଗକୁ ଅବିଶ୍ୱାସ ମଧ୍ୟ କରାନଯାଇପାରେ ବୋଲି ରାଜନୈତିକ ବିଶ୍ଳେଷକ ମାନଙ୍କ ସୂତ୍ରରୁ ପ୍ରକାଶ। ଦୀର୍ଘ ସମୟ ଧରି ଜୁନାଗଡ ବ୍ଲକ ଭାଜପା ଅକ୍ତିଆରରେ ରହି ପ୍ରାୟ ସବୁବେଳେ ଭାଜପା ଅଧ୍ୟକ୍ଷ ନିର୍ବାଚିତ କରୁଥିବା ବେଳେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଗୋଷ୍ଠୀ ଦ୍ୱାରା ଜୁନାଗଡ ବ୍ଲକ ପରିଚାଲିତ ହେଉଥିବା ଦେଖାଯାଉଥିଲା। ପଂଚାୟତ ନିର୍ବାଚନ ପରେ ଅଧ୍ୟକ୍ଷା ତଥା ଭାଜପା ନେତୃତ୍ୱ ଓ ତତ୍କାଳୀନ ଜୁନାଗଡ ବିଡିଓଙ୍କ ତାଳମେଳ ଖାପ ଖାଉନଥିବା ବେଳେ ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅନେକଥର ଜୁନାଗଡ ଆସି ବିଡିଓଙ୍କ ଆତିଥ୍ୟତା କରି ଓଭୟ ପକ୍ଷକୁ ସମାଧାନ କରିବାର ପ୍ରଚେଷ୍ଟା କରିଥିଲେହେଁ କୌଣସି ଫଳପ୍ରଦ ହୋଇନଥିଲା। ବର୍ତମାନ ଭାଜପା ରାଜ୍ୟ ସଭାପତି କଳାହାଣ୍ଡି ଲୋକସଭା ଆସନ ପାଇଁ ଭାଜପାରୁ ଲଢିବା ପାଇଁ ଆଶାୟୀଥିବା କୁହାଯାଉଛି। ହେଲେ ବର୍ତମାନର ଏବଂ ସେତେବେଳର ଘଟଣାକୁ ଯଦି ବିଶ୍ଳେଷଣ କରାଯାଏ ତେବେ ଭାଜପା ରାଜ୍ୟ ସଭାପତି ସେହି ସମୟରୁ ହିଁ ଲୋକସଭା ଆସନ ଉପରେ ନଜର ପକାଇ ଗୋଟିଚାଳନା କରୁଥିବାର ସନ୍ଦେହକୁ ମଧ୍ୟ ଏଡାଇ ଦିଆଯାଇନପାରେ ବୋଲି ରାଜନୈତିକ ବିଶ୍ଳେଷକ ମାନଙ୍କ ସୂତ୍ରରୁ ପ୍ରକାଶ। ଜୁନାଗଡ ଅଂଚଳର କ୍ରମବର୍ଦ୍ଧିଷ୍ଣୁ ଭାଜପା ନେତା ମାନଙ୍କୁ ଏକ ପ୍ରକାର ପ୍ରତିରୋଧ କରାଇବାର ହୀନ ଚକ୍ରାନ୍ତ କରାଯାଇ ନିଜ ସଂପର୍କୀୟ ବିଡିଓଙ୍କୁ ବ୍ୟବହାର କରାଯାଇଥିବା ମଧ୍ୟ ଅଭିଯୋଗ ହେଉଛି। ଅଦ୍ୟାବଧି ଏହି ସମୟ ମଧ୍ୟରେ ଅନ୍ୟୁନ ୨୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଉନ୍ନୟନ ପାଣ୍ଠି ଜୁନାଗଡ ବ୍ଲକରୁ ବିଡିଓଙ୍କ ଦ୍ୱାରା ଫେରସ୍ତ କରି ଦିଆଯାଇଥିବା ଅଭିଯୋଗ ହେଉଛି। ସେହିପରି ଭାଜପା ରାଜ୍ୟ ସଭାପତି କଳାହାଣ୍ଡି ଜିଲ୍ଲାକୁ ବିଶେଷ କରି ଧର୍ମଗଡ ଅଂଚଳକୁ ପୂର୍ବରୁ ଅନେକ ବାର ଗସ୍ତ କରୁଥିଲେହେଁ ଚାଷୀମାନଙ୍କ ସମସ୍ୟା ପ୍ରତି ଅଣଦେଖା କରୁଥିବା ବେଳେ ଚାଷୀ ମାନଙ୍କୁ ମଣ୍ଡିରେ ଶୋଷଣ କରୁଥିବା ମିଲର୍ସ ମାନଙ୍କ ସପକ୍ଷରେ ଯୁକ୍ତି କରୁଥିବା ଚାଷି ମହଲରେ ଅଭିଯୋଗ ହେଉଛି। ଏପରିକି ପୂର୍ବରୁ ସ୍ୱୟଂ ସେବକ ଥିବା ଏବଂ ଭାଜପା ସମର୍ଥକ ଥିବା ଚାଷୀମାନେ ଅଭିଯୋଗ କଲେ ମଧ୍ୟ ସେମାନଙ୍କୁ ତମେ ବିରୋଧି-ବିଜେଡି ଦଳର ହୋଇଥିବ ବୋଲି ଘଉଡାଇ ଦେଇଥିବା ମଧ୍ୟ ଚାଷୀମାନଙ୍କ ସୂତ୍ରରୁ ପ୍ରକାଶ। ଏଭଳି ସ୍ଥିତିରେ ନିଜର ରାଜନୈତିକ ସ୍ଥିତି ବଂଚାଇବା ପାଇଁ ସମଗ୍ର ଜୁନାଗଡ ବ୍ଲକର ଉନ୍ନତିକୁ ପଛକୁ ଠେଲିଦେଇଥିବା ଏହି ତଥାକଥିତ ନେତା ପ୍ରତି ସାବଧାନ ରହିବାକୁ ବିଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଏନେଇ ଭାଜପା ରାଜ୍ୟ ସଭାପତିଙ୍କ ମତାମତ ନେବାକୁ ଯୋଗାଯୋଗ କରିବାରୁ ସମ୍ଭବ ହୋଇପାରିନାହିଁ। ଏସବୁ ଘଟଣା ଯଦିଓ ସତ୍ୟ ହୋଇଥାଏ ତେବେ ଜୁନାଗଡ ବ୍ଲକ ଦଶ ବର୍ଷ ପଛକୁ ଫେରିଯାଇଥିବା ଆଲୋଚନା ହେଉଛି।