Odiapua.com

ବିକିରଣ ନିରୋଧୀ କ୍ଷେପଣାସ୍ତ୍ର ‘ରୁଦ୍ରମ’ର ସଫଳ ପରୀକ୍ଷା

ବାଲେଶ୍ୱର, ୯ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ)ପକ୍ଷରୁ ଭଦ୍ରକ ଜିଲା ଅବଦୁଲ କଲାମ ଦୀପର ଆଇଟିଆର ଲଞ୍ଚପେଡ୍‌ରୁ ପ୍ରଥମ ବିକିରଣ ନିରୋଧୀ (ଆଣ୍ଟି ରେଡିଏସନ) କ୍ଷେପଣାସ୍ତ୍ର ‘ରୁଦ୍ରମ’ର ସଫଳ ପରୀକ୍ଷା ହୋଇଯାଇଛି। ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ଏହି ଆଣ୍ଟି ରେଡିଏସନ କ୍ଷେପଣାସ୍ତ୍ର ସୁଖୋଇ-୩୦ ବିମାନରୁ ନିକ୍ଷେପ କରାଯାଇଥିଲା। ଏହା ସମ୍ପୂର୍ଣ୍ଣ ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାଯାଇଛି। ପୂର୍ବରୁ ଭାରତ ପକ୍ଷରୁ ପରୀକ୍ଷା କରାଯାଇଥିବା ଆଣ୍ଟିି ରେଡିଏସନ ମିସାଇଲ (ଏଆରଏମ)ର ଏହା ବିକଶିତ ରୂପ। ଭାରତୀୟ ବାୟୁ ସେନାର ଏହା ପ୍ରଥମ କ୍ଷେପଣାସ୍ତ୍ର, ଯାହା ଡିଆରଡିଓ ପକ୍ଷରୁ ନିର୍ମାଣ କରାଯାଇଛି। ସୁଖୋଇ ଯୁଦ୍ଧ ବିମାନରୁ ଏହାକୁ ବିଭିନ୍ନ ଲକ୍ଷ୍ୟ ପାଇଁ ଭିନ୍ନ ଭିନ୍ନ ପ୍ରଣାଳୀରେ ବ୍ୟବହାର କରାଯାଇ ପାରିବ। ଏହାର ଆଇଏନଏସ ଜିପିଏସ ପ୍ରଣାଳୀ ସହାୟତାରେ ଶେଷ ପର୍ଯ୍ୟାୟ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥାଏ ଓ ଏହାର ଏହାର ଆକ୍ରମଣ ଓ ଲକ୍ଷଭେଦ କ୍ଷମତା ଶତ ପ୍ରତିଶତ। ରାଡ଼ାର ଭଳି ବିଭିନ୍ନ ବିକିରଣଠାରୁ ଏହା ନିଜକୁ ରକ୍ଷା କରିବା ସହିତ ଶତ୍ରୁପକ୍ଷର ବିଶେଷ କ୍ଷତି ଘଟାଇ ପାରିବ। ଭାରତୀୟ ବାୟୁସେନାର ଏହା ବହୁତ ଉପଯୋଗୀ ସାବ୍ୟସ୍ତ ହେବ। ଏହି ପରୀକ୍ଷା ପରେ ଭାରତ ଦୂରଗାମୀ ଆଣ୍ଟି ରେଡିଏସନ କ୍ଷେପଣାସ୍ତ୍ର ବିକଶିତ କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରିଛି ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି। ଆକାଶ ମାର୍ଗରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ର ପୂର୍ବରୁ ଏଆରଏମ ନାମରେ ନାମିତ ହୋଇଥିଲା। ୨୦୧୨ରୁ ଭାରତୀୟ ବାୟୁସେନାରେ ଏହା ବ୍ୟବହୃତ ହୋଇ ଆସୁଛି। ଏହାର ଓଜନ ୧୪୦ କିଲୋଗ୍ରାମ ଓ ଲମ୍ବ ୫-୫ ମିଟର ବା ୧୮ ଫୁଟ। ଏହା ୨୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଥିଲା ବେଳେ ୧୫ କିଲୋମିଟରରୁ ୫୦୦ ମିଟର ପର୍ଯ୍ୟନ୍ତ ଉଚ୍ଚତାରେ ମାକ ୨ ଗତିରେ ଏହା ଲକ୍ଷ୍ୟ ଭେଦ କରଥାଏ। ଏହା ସୁଖୋଇ ୩୦, ମିରେଜ ୨୦୦୦, ତେଜସ ଓ ଜାଗୁଆର ଭଳି ଯୁଦ୍ଧ ବିମାନରେ ଏହା ପୂର୍ବରୁ ବ୍ୟବହାର କରାଯାଇଛି।