Odiapua.com

ବିକାଶିତ ଭାରତ ସଂକଳ୍ପ ରଥକୁ ଭଙ୍ଗାରୁଜା, ବିଜେଡି ବିରୋଧରେ ଅଭିଯୋଗ କଲା ବିଜେପି, ଥାନା ସମ୍ମୁଖରେ ରାସ୍ତାରୋକ

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ଲୋକାଭିମୁଖୀ ଯୋଜନାର ପ୍ରଚାର ପାଇଁ ପରିଭ୍ରମଣ କରୁଥିବା ବିକଶିତ ଭାରତ ସଂକଳ୍ପ ରଥକୁ ଆଜି କେତେକ ଦୃବୁର୍ତ୍ତ ଧାମନଗର ବ୍ଲକ୍‌ର ଚୁଡାକୁଟୀ ଠାରେ ଭଙ୍ଗାରୁଜା କରିଛନ୍ତି । ଏହି ଘଟଣାରେ ଧାମନଗର ପୁଲିସ୍ ଦୁଇଜଣ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି । ଘଟଣାରେ ଶାସକ ବିଜେଡିକୁ ଦାୟୀ କରିବା ସହ ପ୍ରଶାସନିକ ସ୍ଥାଣୁତା ପ୍ରତିବାଦରେ ବିଜେପି ପକ୍ଷରୁ ଧାମନଗର ଥାନା ସମ୍ମୁଖରେ ରାସ୍ତାରୋକ କରାଯାଇଛି । ସୂଚନା ଅନୁସାରେ ଆଜି ଅପରାହ୍ନରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ କାର୍ଯ୍ୟକ୍ରମର ଏକ ସଭା ଚୁଡାକୁଟି ମେଳଣ ପଡିଆରେ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞଙ୍କ ସମେତ ଅନେକ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ । ସଭା ପରେ କେନ୍ଦ୍ର ନରେନ୍ଦ୍ର ମୋଦୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କିତ ଭିଡିଓ ଏକ ସଜ୍ଜିତ ଗାଡିରେ ପ୍ରଦର୍ଶିତ ହେଉଥିଲା । ଏହି ସମୟରେ ତିନି ଚାରିଜଣ ଯୁବକ ହଠାତ୍ ସେଠାରେ ପହଞ୍ôଚ ଗାଳିଗୁଲଜ କରିବା ସଂଗେ ସଂଗେ ପ୍ରଧାନମନ୍ତ୍ରୀଙ୍କ ହୋଡିଂ ଚିରି ଦେଇଥିଲେ । ଏମାନେ ସଂକଳ୍ପ ରଥ ଗାଡି ସହ ଏଲିଡିଟିକୁ ଭାଙ୍ଗି ଦେଇଥିଲେ । ଏହାକୁ କେନ୍ଦ୍ରକରି ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା । ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଗଣ୍ଡଗୋଳ ଭିଆଇଥିବା ଦୁଇଜଣ ଯୁବକ ରଞ୍ଜିତ ସାମଲ, ଶ୍ରୀକାନ୍ତ ଦାସଙ୍କୁ ଥାନାକୁ ଆଣି ଅଟକ ରଖିଛି । ତେବେ ଏହି ସରକାରୀ କାର୍ଯ୍ୟକ୍ରମରେ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲାବେଳେ ବିଡିଓ କିମ୍ବା ପିଡି ଏନେଇ ଏତଲା ନଦେବା ଏବଂ ସମସ୍ତ ଅଭିଯୁକ୍ତଙ୍କ ଗିରଫ କରାନଯିବା ଅଭିଯୋଗ ଆଣି ବିଜେପି ରାଜରାସ୍ତାରେ ପ୍ରତିବାଦ କରିଛି । ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଘଟଣାକୁ ନାପସନ୍ଦ କରି ଏହାକୁ ରାଜନୈତିକ ଅସୂୟା ମନୋଭାବ ବୋଲି କହିଛନ୍ତି । ରିପୋର୍ଟ ଲେଖାହେବା ବେଳକୁ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଧାମନଗର ଥାନା ଆଗରେ ଧାମନଗର-ଦୋବଲ ମୁଖ୍ୟ ରାସ୍ତା ଉପରେ ବସି ପ୍ରତିବାଦ ଜାରି କରିଛନ୍ତି । ଏହି ଘଟଣା ଧାମନଗରରେ ରାଜନୈତିକ ଉଷ୍ମତା ସୃଷ୍ଟି କରିଛି ।