Odiapua.com

ବିକାଶର ଧାରା’ ରେ ଧାମନଗର-ଫଳପୁର ରାସ୍ତାରେ ଅଟକିଛି ,ଟଙ୍କା ମଞ୍ଜୁର ପରେ ବି କାମ ଶୂନ, ଭୋଗୁଛନ୍ତି ୩୦ ହଜାର ଜନସାଧାରଣ

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) — ‘ବିକାଶର ଧାରା ଓଡ଼ିଶା ସାରା’—ରାଜ୍ୟ ସରକାରଙ୍କ ଏହି ଡିଣ୍ଡିମ ପିଟା ନାରା ଯେମିତି ଧାମନଗରର – ଫଳପୁର ରାସ୍ତାରେ ଆସି ସମ୍ପୂର୍ଣ୍ଣ ଅଟକି ଯାଇଛି। ଦୀର୍ଘ ୨୨ ବର୍ଷଧରି ଏହି ରାସ୍ତା ନିର୍ମାଣ ଅଧପାନ୍ତରିଆ ହୋଇପଡ଼ିଛି। ଜନସାଧାରଣ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତା ଯୋଗୁଁ ‘ପଦ୍ମ ଘୁଂଚି ଘୁଂଚି ଗଲା ଭଳି’ ସ୍ଥିତି ସୃଷ୍ଟି ହୋଇଛି। ବର୍ତମାନ ୭ କିଲୋମିଟର ଦୈର୍ଘ୍ୟର ଏହି ସମ୍ପୂର୍ଣ୍ଣ ରାସ୍ତାର ଅବସ୍ଥା ଦିନକୁ ଦିନ ଅତି ବିପର୍ଯ୍‌ଯସ୍ତ ହେବାରେ ଲାଗିଛି। ମରାମତି ଅଭାବରୁ ରାସ୍ତାରେ ୭୦ ରୁ ଅଧିକ ମରଣଯନ୍ତା ଭଳି ଗାତ ସୃଷ୍ଟି ହୋଇଛି। ଧାମନଗର ବଜାର ଠାରୁ ଫଳପୁର ପର୍ଯ୍ୟନ୍ତ। ବିଭିନ୍ନ ସ୍ଥାନ ରେ ରାସ୍ତା ଫାଟି ଖଣ୍ଡ ଖଣ୍ଡ କଂକ୍ରିଟ ବିଛାଡ଼ି ହୋଇ ପଡ଼ିଥିବା ବେଳେ ବର୍ଷା ପାଣି ଜମି ରହିବା ଯୋଗୁଁ ଅନେକ ସ୍ଥାନରେ ପିଚୁ ଉଠି ବେହାଲ ହୋଇପଡ଼ିଛି। ଚାରିଚକିଆ ଯାନ ଯିବା ତ ଦୂରର କଥା, ବାଇକରେ ଏହି ୭ କିମି ରାସ୍ତା ପାର ହେବାକୁ ଅଧଘଂଟାରୁ ଅଧିକ ସମୟ ଲାଗୁଛି।ଏହି ସମସ୍ୟା ଦୀର୍ଘ ବର୍ଷର ପୁରୁଣା। ୨୦୦୪ ମସିହାରେ ଏହାକୁ ପକ୍କା ସଡ଼କ କରାଯାଇଥିଲେ ବି ବନ୍ୟା ଓ ଭାରି ଯାନ ଚଳାଚଳ ଯୋଗୁଁ ଏହା ପ୍ରତିବର୍ଷ ନଷ୍ଟ ହେଉଛି। କରଦା, ପଧାନି, ଦଳାଙ୍ଗ, ଅର୍ଜ୍ଜୁନପୁର, ଭଟ୍ଟସାହି ଓ ନଦୀଗାଁ ପଂଚାୟତର ପ୍ରାୟ ୩୦ ହଜାରରୁ ଅଧିକ ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ିଟିଏ ଯିବା ସମ୍ଭବ ହେଉନାହିଁ। ପୂର୍ବରୁ ୨୦୨୦ ଫେବ୍ରୁଆରି ବଜେଟ୍ ଅଧିବେଶନରେ ଦିବଙ୍ଗତ ବିଧାୟକ ବିଷ୍ଣୁ ଚରଣ ସେଠୀ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ପରେ ମରାମତି ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା, ହେଲେ ଅତି ନିମ୍ନମାନର କାମ ଯୋଗୁଁ ତାହା ବର୍ଷକରେ ଉଭେଇ ଯାଇଥିଲା। ଗତବର୍ଷ ଅର୍ଥାତ ୨୦୨୫ ଜୁନ୍ ୧୫ରେ ପୂର୍ତ ବିଭାଗ ପକ୍ଷରୁ ୨୯ କୋଟି ଟଙ୍କା ମଞ୍ଜୁର ହୋଇଥିବା ସୁଚନା ମିଳିଥିଲା। ହେଲେ ଆଜିବି ଡିପିଆର ଓ ଟେଣ୍ଡର ନାଁରେ କାମ ଶୂନ।ବିଷ୍ଣୁ ସେଠୀଙ୍କ ପରେ ତାଙ୍କ ପୁଅ ତଥା ବର୍ତମାନର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନରୁ ପୂର୍ତ ବିଭାଗକୁ ହସ୍ତାନ୍ତର କରାଇ ଟେଣ୍ଡର ପ୍ରକ୍ରିୟା ଆଗେଇଥିଲେ। ଗତ ୨୦୨୬ ଫେବ୍ରୁଆରି ୧୦ରେ ହସନାବାଦ କଲ୍ୟାଣ ମଣ୍ଡପ ଅଭିଯୋଗ ଶୁଣାଣି ସମୟରେ ଲୋକଙ୍କ ଦାବିକୁ ଗୁରୁତ୍ୱ ଦେଇ ମନ୍ତ୍ରୀ ପ୍ରଶାସନକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ୪ଟି ବକ୍ସେଲ କଲଭର୍ଟ ସହ ରାସ୍ତା ନିର୍ମାଣ ପାଇଁ ଗତ ମେ ୨୭ରେ ସମୀକ୍ଷା ମଧ୍ୟ କରିଥିଲେ। ତେବେ ପ୍ରଶ୍ନ ଉଠୁଛି, ପ୍ରଶାସନିକ ଶିଥିଳତାରେ ଜନସାଧାରଣଙ୍କୁ ଆଉ କେତେ ଦିନ ହନ୍ତସନ୍ତ ହେବାକୁ ପଡ଼ିବ। କାଗଜପତ୍ରରେ ବିକାଶର ଗଙ୍ଗା ବହୁଥିବା ବେଳେ ବାସ୍ତବରେ ଜନତା କାଦୁଅ-ଖାଲରେ ସନ୍ତୁଳି ହେଉଛନ୍ତି। ସରକାରଙ୍କ ଏଭଳି ପ୍ରତାରଣାପୂର୍ଣ୍ଣ ଆଭିମୁଖ୍ୟକୁ ଅଞ୍ଚଳବାସୀ ତୀବ୍ର ସମାଲୋଚନା କରିବା ସହ ତୁରନ୍ତ ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଛନ୍ତି। ତେବେ ଦୁଇ ଦିନ ତଳେ ଲଘୁଚାପ ବର୍ଷାରେ ରାସ୍ତା ଅବସ୍ଥା ବେହାଲ ହୋଇଥିବାବେଳେ କିଛି ଗାଡରେ କିଛି ଡଷ୍ଟ ପକାଯାଇଛି।ତେବେ ଆବଶ୍ୟକ କାଗଜ ପତ୍ର ପରେ ଖବୁଶିଘ୍ର ରାସ୍ତା କାର୍ଯ୍ୟ ଆରମ୍ଭ ହେବବୋଲି ବିଭାଗୀୟ ଅଧିକାରୀ ଶ୍ରୀନିବାସ ମଲିକ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।