Odiapua.com

ବିକଳାଙ୍ଗ ମଞ୍ଚ ପକ୍ଷରୁ ଆମରଣ ଅନଶନ, ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହୃତ

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ କପାଗଡ଼ିଆ ଗ୍ରାମର ଭିନ୍ନକ୍ଷମ ଯୁବକ ଭକ୍ତହରି ବେହେରାଙ୍କ ଗୁମୁଟିକୁ ଭାଙ୍ଗିଥିବା ଅଭିଯୁକ୍ତଙ୍କୁ ଗିରଫ, ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବା, କ୍ଷତିଗ୍ରସ୍ତ ଭକ୍ତହରିଙ୍କୁ ଥଇଥାନ କରିବା ଦାବିରେ ଆଜି ଓଡିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ରାଜ୍ୟ ସମ୍ପାଦକ ଅକ୍ଷୟ କୁମାର ସାହୁଙ୍କ ନେତୃତ୍ୱରେ ଆମରଣ ଅନଶନ କରାଯାଇଥିଲା । ଏଥିରେ କରୁଣାକର ସାହୁ, ଯଦୁମଣୀ ଦାଶ, ଅମୂଲ୍ୟ ମହାଳିକ, ମନୋରଂଜନ ତ୍ରିପାଠୀ, ଚନ୍ଦ୍ରକାନ୍ତ ନାୟକଙ୍କ ସମେତ ଭିନ୍ନକ୍ଷମ ମଞ୍ଚର ବହୁ ସଦସ୍ୟ ସାମିଲ ହୋଇଥିଲେ । ସଂଧ୍ୟାରେ ଭଦ୍ରକର ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର, ଡିଆଇବି ଡିଏସପି କମଳ ଲୋଚନ ଭୂୟାଁ ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ । ପିଡ଼ିତ ଯୁବକ ଭକ୍ତହରିଙ୍କ ଥଇଥାନ ବିଷୟରେ ପଦକ୍ଷେପ ନିଆଯିବ ଓ ତାଙ୍କ ପରିବାରକୁ ସୁରକ୍ଷା ଦିଆଯିବ ବୋଲି ଉଭୟ ଅଧିକାରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି ଓ ଲଗାଯାଇଥିବା ଦଫା ଉପରେ ଆସନ୍ତା କାଲି ସୁଦ୍ଧା ନିଷ୍ପତ୍ତି ନିଆଯିବ ବୋଲି ଅନଶନକାରୀଙ୍କୁ ପ୍ରତିଶ୍ରୁତି ଦେବା ପରେ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲା । ସୂଚନାଯୋଗ୍ୟ ଭକ୍ତହରି ଜଣେ ଭିନ୍ନକ୍ଷମ ଯୁବକ । ନିଜ ପରିବାର ଚଳାଇବାକୁ ଏକ ଗୁମୁଟି ପକାଇଥିଲେ । ଜିଲ୍ଳାପାଳ ଏଥି ନିମିତ୍ତ ତାଙ୍କୁ ୧୦ ହଜାର ଟଙ୍କାର ସହାୟତା ରାଶୀ ମଧ୍ୟ ପ୍ରଦାନ କରିଥିଲେ । କିନ୍ତୁ ସଂପୃକ୍ତ ଅଞ୍ଚଳର କେତେକ ଯୁବକ ଏହାକୁ ବିରୋଧ କରିବା ସହ ରାତାରାତି ଉକ୍ତ ଗୁମୁଟିକୁ ଗାଏବ କରି ଦେଇଥିଲେ ଓ ଥାନାରେ ଅଭିଯୋଗ କରିବାରୁ ତାଙ୍କ ପରିବାରକୁ ଆକ୍ରମଣ କରିଥିଲେ । ଏହାକୁ ବିରୋଧ କରି ବିକଳାଙ୍ଗ ମଞ୍ଚ ଏସପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ । ସେମାନଙ୍କ ୩ଦଫା ଦାବି ପୂରଣ ନହେଲେ, ମଞ୍ଚ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ।