Odiapua.com

ବିଂଶତମ ଓଡିଶା ରାଜ୍ୟ ତାଏକ୍ୱୋଣ୍ଡୋ ଚମ୍ପିୟାନସିପ୍ ଉଦଘାଟିତ

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତାଏକ୍ୱୋଣ୍ଡୋ ଆସୋସିଏସନ୍ ଅଫ୍ ଓଡ଼ିଶା (ତାଓ) ଆନୁକୂଲ୍ୟରେ ଆୟୋଜିତ ୨୦ତମ ଓଡ଼ିଶା ରାଜ୍ୟ ତାଏକ୍ୱୋଣ୍ଡୋ ଚମ୍ପିୟାନସିପ୍ ଚରମ୍ପା ସ୍ଥିତ ମହାରାଜା ଅଗ୍ରସେନ ଭବନଠାରେ ପୂର୍ବାହ୍ନ ୮ ଘଟିକା ସମୟରେ ଉଦ୍‌ଘାଟିତ ହୋଇଛି । ଏହି ଉଦ୍‌ଘାଟନ ପର୍ବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭାରତୀୟ ତାଏକ୍ୱୋଣ୍ଡୋର ଜନକ ତଥା ତାଏକ୍ୱୋଣ୍ଡୋ ଫେଡେରେସନ୍ ଅଫ୍ ଇଣ୍ଡିଆ, ଲକ୍ଷ୍ନୌର ସେକ୍ରେଟାରୀ ଜେନେରାଲ୍ ଗ୍ରାଣ୍ଡମାଷ୍ଟର୍ ଡ. ଜିମ୍ମୀ ଆର୍ ଜାଗ୍‌ତିଆନୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ଉଦ୍‌ଘାଟନ ଘୋଷଣା କରିଥିଲେ । ସମ୍ମାନନୀୟ ଅତିଥି ରୂପେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦୁର୍ଗା ଶଙ୍କର ଦାସ ଓ କର୍ଣ୍ଣାଟକ ତାଏକ୍ୱୋଣ୍ଡୋ ଆସୋସିଏସନ୍ ସଭାପତି ଏମ୍‌. ସୁନ୍ଦରମ୍ ଆୟାର୍ ଯୋଗ ଦେଇଥିଲେ । ‘ତାଓ’ କାର୍ଯ୍ୟକାରୀ ସଭାପତି ଆଇନଜୀବୀ ବିଜୟ କୁମାର ଜେନା ଏହି ଉଦ୍‌ଘାଟନ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ‘ତାଓ’ ସାଧାରଣ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ ବିଂଶତମ ସଂସ୍କରଣ ସମ୍ପର୍କରେ ସୂଚନା ଦେଇଥିଲେ । ହ୍ୟାପ୍ପି ହୋମ୍ ସ୍କୁଲର ଅଧ୍ୟାପିକା ପ୍ରତିଭା ତିୱାରୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଜଣାଇଥିଲେ ଓ ବିଶିଷ୍ଟ କଣ୍ଠଶିଳ୍ପୀ ବିକ୍ରମ ନାୟକ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ବେଳେ ‘ତାଓ’ ଉପସଭାପତି ରମେଶ ପ୍ରଧାନ, ଯୁଗ୍ମ ସମ୍ପାଦକ ଅଧ୍ୟାପକ ଯୋଗେଶ୍ୱର ମହନ୍ତ, କୋଷାଧ୍ୟକ୍ଷା ସଂଘମିତ୍ରା ଦାଶ, ଆଇନଜୀବୀ ପବନ କୁମାର ଶର୍ମା, ୟୁନାଇଟେଡ୍ କ୍ଲବ୍ ସଭାପତି ବିଶାଲ୍ ଗୋପାଲ୍ ଲଖାନୀ, ସବୁଜ କ୍ଲବ୍ ସମ୍ପାଦକ ଅଜୟ କୁମାର ଧଳ, ରାଉରକେଲାର ବିଶିଷ୍ଟ ଶିଳ୍ପପତି ରମେଶ କୁମାର ଜେନା, ସମାଜସେବୀ ଯଯାତି ବିଶ୍ୱାଳ, ବିଶିଷ୍ଟ ବ୍ୟବସାୟୀ ଗୌରାଙ୍ଗ ସାମଲ୍‌, ଇଞ୍ଜିନିୟର ଉତ୍ପଳକାନ୍ତି ଦାସ, କିଟ୍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଅଧ୍ୟାପିକା ସସ୍ମିତା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ, ଏହି ସଂସ୍କରଣରେ ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ବଲାଙ୍ଗୀର ପ୍ରଭୃତି ୧୪ ଟି ଜିଲ୍ଲାରୁ ପ୍ରତିଯୋଗୀ, କୋଚ୍‌, ମ୍ୟାନେଜରଙ୍କ ସମେତ ପ୍ରାୟ ୪୦୦ ପ୍ରତିନିଧି ଯୋଗ ଦେଇଛନ୍ତି । ‘ଖେରୋଗୀ’ ଓ ‘ପୁମ୍‌ସେ’ ବିଭାଗର ମୋଟ ୧୦୦ଟି ସ୍ୱର୍ଣ୍ଣ ପାଇଁ ପ୍ରତିଯୋଗୀମାନେ ଲଢ଼ିବେ । ୩ ଟି ଏରିନାରେ ଅନୁଷ୍ଠିତ ପ୍ରତିଯୋଗିତାର ଫାଇଟ୍ ଗୁଡ଼ିକ ପରିଚାଳନା କରୁଛନ୍ତି ଆଦ୍ୟଶା ଦାସ, ତାରିଣୀ ସାହୁ, ମଲ୍ଲିକା ସାମନ୍ତ, ବିଷ୍ଣୁପ୍ରିୟା ରାଉତ, ଶ୍ରାବଣୀ ପ୍ରିୟଦର୍ଶିନୀ ପ୍ରଧାନ, ଗାୟତ୍ରୀ ମହାରଣା, ସୁଧାକର ଜେନା, ଦୁଷ୍ମନ୍ତ ନାଥ, ବିଭୁ ପ୍ରସାଦ, ବିପିନ ସାମଲ, ସତ୍ୟ ସୁନ୍ଦର ପାଣିଗ୍ରାହୀ, ରାଜେଶ ବିଶ୍ୱାଳ, ପଦ୍ମଲୋଚନ ସିଂହ, ଚନ୍ଦନ କୁମାର ସ୍ୱାଇଁ, ସରଦିନ୍ଦୁ ମାଇତି, ସୁଚନ୍ଦ୍ର କୁଣ୍ଡୁ, ଗଦାଧର ପ୍ରମାଣିକ, ସେଖ୍ ସମୀର ଓ ଓମ୍‌କାର ମହନ୍ତ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଦ୍ୱି-ଦିବସୀୟ ପ୍ରତିଯୋଗିତା ଗୁରୁବାର ସନ୍ଧ୍ୟାରେ ଉଦ୍‌ଯାପିତ ହେବ । ଆସନ୍ତାକାଲି ପୂର୍ବାହ୍ନରେ ମୁଖ୍ୟଅତିଥି ରୂପେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଯୋଗ ଦେବେ । ସେହିପରି ଉଦ୍‌ଯାପନ ଉତ୍ସବରେ ପୂର୍ବତନ ବିଧାୟକ ନରେନ୍ ପଲାଇ ମୁଖ୍ୟ ଅତିଥି ରୂପେ ଓ ‘ସମ୍‌’ ମେଡ଼ିକାଲ କଲେଜ ଓ ହସପିଟାଲର ଆସୋସିଏଟ୍ ପ୍ରଫେସର୍ ଡ. ଅନୁରାଗ ଜେନା ସମ୍ମାନନୀୟ ଅତିଥି ରୂପେ ଯୋଗଦେବେ । ଶେଷରେ ବିକ୍ରମ ନାୟକ ଓ ହେମନ୍ତ ନାୟକଙ୍କ ସଂଯୋଜନାରେ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ସହିତ ଚଳିତ ସଂସ୍କରଣ ଉଦ୍‌ଯାପିତ ହେବ ।