Odiapua.com

ବାୟୋଫ୍ଲକ୍ ମାଛ ଚାଷ ପ୍ରଶିକ୍ଷଣ ଶିବିର

ବାଲେଶ୍ୱର, ୧୭ା୧୨(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ଜାତୀୟ ମତ୍ସ୍ୟଚାଷ ଉନ୍ନୟନ ସଂସ୍ଥାନ (ଏନଏଫଡିବି) ଓ ଜାତୀୟ କୃଷି ବିସ୍ତାର ପ୍ରବନ୍ଧ ସଂସ୍ଥାନ (ମ୍ୟାନେଜ୍‌)ର ମିଳିତ ସହଯୋଗରେ ବାୟୋଫ୍ଲକ ମାଛ ଚାଷ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ମସ୍ୟ ବିଭାଗ ଉପନିର୍ଦ୍ଦେଶକ ଅଜୟ କୁମାର ଭୋଇ, ମାର୍ସକୋ ଆକ୍ୱା କ୍ଲିନିକର ବୈଜ୍ଞାନିକ ଡ. ନିତ୍ୟାନନ୍ଦ ପାଲ, ବୈଜ୍ଞାନିକ ଡ. ସୁଷମା ରେଖା ଦାସ, ମତ୍ସ୍ୟ ଚାଷ ପରାମର୍ଶଦାତା ସମାରେନ୍ଦ୍ର କୁମାର ପଣ୍ଡା ଏବଂ ରିଲାଏନ୍‌ସ ଫାଉଣ୍ଡେସନର କୋଅର୍ଡିନେଟର ଦିଲ୍ଲୀପ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ବାୟୋଫ୍ଲକ ଚାଷ ପ୍ରଣାଳୀ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିନିମନ୍ତେ ଆବଶ୍ୟକ ଭିତ୍ତିଭୂମି ଓ ଜ୍ଞାନକୌଶଳ ସମ୍ପର୍କରେ ବିଶେଷଜ୍ଞମାନେ ଶିବିରାର୍ଥୀଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। ସେମାନେ କହିଥିଲେ କି ବାୟୋଫ୍ଲକ ପ୍ରଣାଳୀ ଭାରତରେ କ୍ରମଶଃ ଆଦୃତ ହେଉଥିଲେ ବି ସଠିକ ପ୍ରଶିକ୍ଷଣ ଅଭାବରୁ ଚାଷୀ ଆଶାନୁରୂପ ଭାବେ ସଫଳ ହୋଇ ପାରୁନାହାନ୍ତି। ଜାତୀୟ ମତ୍ସ୍ୟଚାଷ ଉନ୍ନୟନ ସଂସ୍ଥାନ ଅନିମୋଦିତ ମାର୍ସକୋ ଆକ୍ୱା କ୍ଲିନିକର ଆକ୍ୱା ୱାନ ସେଂଟରରୁ ବୈଜ୍ଞାନିକ ସମ୍ମତ କୌଶଳ ସହ ଆବଶ୍ୟକୀୟ ପ୍ରଶିକ୍ଷଣ ନେଇ ଜଣେ ସଫଳ ମତ୍ସ୍ୟ ଚାଷୀ ହୋଇପରିବେ ବୋଲି ସଂସ୍ଥାର ପ୍ରଶିକ୍ଷିକା ଡ. ସୁଷମା ରେଖା ଦାସ ପ୍ରକାଶ କରିଥିଲେ। ସୋସିଆଲ ମିଡିଆରୁ ବାୟୋଫ୍ଲକ ସମ୍ପର୍କରେ ପ୍ରଶିକ୍ଷଣ ନ ନେଇ ଆବଶ୍ୟକୀୟ ବୈଜ୍ଞାନିକ ପ୍ରଣାଳୀ ଓ ତଥ୍ୟ ଆକ୍ୱା ୱାନ ସେଂଟରରୁ ନେବା ପାଇଁ ମତ୍ସ୍ୟଚାଷ ପରାମର୍ଶଦାତା ଶ୍ରୀ ପଣ୍ଡା ମତପ୍ରକାଶ କରିଥିଲେ। ସମ୍ପ୍ରତି ସ୍ୱଳ୍ପ ପୁଞ୍ଜି ଲଗାଇ ଆତ୍ମ ନିର୍ଭରଶୀଳ ହେବା ପାଇଁ ବାୟୋଫ୍ଲକ ମାଛ ଚାଷ ମାଧ୍ୟମ ହୋଇଥିବା ବେଳେ ଏହାର ସୁଯୋଗ ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ।