ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ନାଆମୀ ପଞ୍ଚାୟତ ଅନ୍ତର୍ଗତ ଶଙ୍ଖୁଳା ଗ୍ରାମର ରୂପକ ନାୟକ(୪୩) ଗତ ଶୁକ୍ରବାର ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । କରମଣ୍ଡଳ ଏକ୍ସପ୍ରେସ ଯୋଗେ ବାଲେଶ୍ୱର ରୁ ଭଦ୍ରକ ଫେରୁଥିବା ବେଳେ ରୂପକ ରେଳ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କ ମରଶରୀର ଶନିବାର ଜନ୍ମଗ୍ରାମ ଶଙ୍ଖୁଳାରେ ଦିନ ପ୍ରାୟ ୧୧.୩୦ମି. ସମୟରେ ପହଞ୍ôଚଥିଲା । କାନ୍ଦ ବୋବାଳିରେ ଫାଟିପଡିଥିଲା ସମଗ୍ର ଗାଁ । ଝୁରିଥିଲା ଜନ୍ମମାଟି । ଧୈର୍ଯ୍ୟହରା ହୋଇଥିଲେ ବିଧବା ମା । ରୂପକର ମରଶରୀରକୁ ଦେଖି ବିଶ୍ୱାସ କରିପାରିନଥିଲେ କେହି । ଲୁହଗଡାଇ ଥିଲେ ସାଙ୍ଗସାଥି, ଆତ୍ମୀୟ ସ୍ୱଜନ ଓ ଗାଁ ଲୋକେ । ରାଜନୈତିକ ଦଳର ନେତୃବୃନ୍ଦ, ସ୍ଥାନୀୟ ଲୋକଙ୍କ ଧାଡିଛୁଟି ଥିଲା ଅନ୍ତିମ ଦର୍ଶନ ପାଇଁ ଅପରାହ୍ନରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବାଲେଶ୍ୱର ବି.ସି.ଇ.ଟି.ରେ କାର୍ଯ୍ୟରତ ରୂପକ ଭଦ୍ରକରେ ପତ୍ନୀ ଓ ପୁଅ ସହ ଭଦ୍ରକରେ ରହୁଥିଲେ । ସେ ଦୈନିକ ପ୍ରାୟ ଖଡଗପୁର-ଭଦ୍ରକ ପାସେଞ୍ଜର ଟ୍ରେନରେ ଭଦ୍ରକ ରୁ ବାଲେଶ୍ୱର ରେଳରେ ଯାତାୟତ କରୁଥିଲେ । ଶୁକ୍ରବାର ଘରକୁ ଶିଘ୍ର ଫେରିବା ପାଇଁ କରମଣ୍ଡଳରେ ଆସୁଥିଲେ । ହେଲେ ଏହି ରେଳଯାତ୍ରା ଅନ୍ତିମ ଯାତ୍ରାରେ ପରିଣତ ହୋଇଥିଲା ।