Odiapua.com

ବାସ୍ତବତା ଠାରୁ ଦୂରେଇ ଯାଉଛି ବିଜେଡ଼ି

ଧାମନଗର ଉପନିର୍ବାଚନରେ ପରାଜୟ ପରେ ଶାସକ ବିଜୁ ଜନତାଦଳର ଭବିଷ୍ୟତ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏକାଧିକ କାରଣ ଓ ପ୍ରଶ୍ନବାଚୀ ଆସି ଛିଡ଼ା ହୋଇଛି ଦଳର ଆଗାମୀ ରଣନୀତି ଉପର। ଆସନ୍ତା ଡ଼ିସେମ୍ବର ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ହେବ। ଯଦି ଏଠାରେ ଦଳର ରଣନୀତି ଫେଲ ମାରିଲା ତେବେ ଦଳର ଭବିଷ୍ୟତ ୨୦୨୪ରେନିତୀଅନ୍ଧକାରକୁ ଠେଲି ହୋଇଯିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତପୋଷଣ କରୁଛନ୍ତି।

୧୯୯୬ ମସିହାରେ ପ୍ରତିଷ୍ଠା ହୋଇଥିବା ବିଜୁ ଜନତା ଦଳ ଓ ଏବେକାର ବିଜୁ ଜନତା ଦଳ ମଧ୍ୟରେ ଆକାଶ ପାତାଳ ଫରକ। ଯେଉଁ ଉଦ୍ଦ୍ୟେଶ ଓ ଲକ୍ଷ୍ୟ ନେଇ ଦଳ ପ୍ରତିଷ୍ଠା କରାଯାଇ ଥିଲା ତା ଠାରୁ ଏବେ ବହୁ ଦୂରରେ ଦଳ। ଅନଭିଜ୍ଞ ଓ ରାଜନୀତିରେ ଅପରିପକ୍ୱ କିଛି ମୁଷ୍ଟିମେୟ ଯୁବ ନେତା ଏବେ ଦଳର ସର୍ବେସର୍ବା। ଏକଥା ସତ୍ୟ ଯେ, ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ଲୋକଙ୍କ ଭଲ ପାଇବା ଦଳକୁ ସଫଳତା ଦେଇ ଆସୁଥିଲା। ମାତ୍ର ଧାମନଗର ଉପନିର୍ବାଚନ ଏହାକୁ ଭୁଲ ପ୍ରମାଣିତ କରିଛି। ନିର୍ବାଚନରେ ପରାଜୟ ପରେ ଦଳ ଭିତରେ ବହୁତ ମାନସମନ୍ଥନ ଚାଲିଛି। ମାତ୍ର ବାସ୍ତବତାକୁ ବୁଝିବାକୁ ଆଉ ଦଳ ଭିତରେ ନେତାମାନେ ପ୍ରସ୍ତୁତ ନୁହଁନ୍ତି।

ଦଳ ଭିତରେ ଗୋଷ୍ଠୀ କନ୍ଦଳର ମାତ୍ରା ଏବେ ଶୀର୍ଷରେ। ଯେନତେନ ପ୍ରକାର ଦଳର ଅଭିଜ୍ଞ ତଥା ବରିଷ୍ଠ ନେତାମାନଙ୍କର ପକ୍ଷଛେଦନ କରାଯାଇ ଅନଭିଜ୍ଞ ତଥା ରାଜନୀତିର ବିଷ୍ଣୁ ବିସର୍ଗ ଜାଣି ନଥିବା ନେତାଙ୍କ କବ୍‌ଜାରେ ଏବେ ଦଳ। କାହା ଛତ୍ରଛାୟା ତଳେ ଏମାନେ ଏତେ ବଳୀୟାନ ତାହା କାହାକୁ ଅଛପା ନାହିଁ। ଦଳୀୟ କର୍ମୀଙ୍କ ଅସନ୍ତୋଷ ସୀମା ଲଙ୍ଘି ସାରିଲାଣି। ମହିଳା ସଶକ୍ତିକରଣ ନାଆଁରେ ୱାର୍ଡ ମେମ୍ବର ଜିତିବାର କ୍ଷମତା ନଥିବା କିଛି ନାରୀ ନେତ୍ରୀ ଏବେ ଦଳର ସର୍ବେସର୍ବା। ଦଳୀୟ ତଥା ବିଭିନ୍ନ ସାମ୍ବିଧାନିକ ପଦପଦବୀରେ ଏମାନେ ଅବସ୍ଥାପିତ। ମାତ୍ର ପ୍ରକୃତ କର୍ମୀ ଆଜି ଅବହେଳିତ। ଦ୍ୱିତୀୟଟି ହେଲା କ୍ଷମତା କେନ୍ଦ୍ର ସାଜି କିଛି ମୁଷ୍ଟିମେୟ ଯୁବ ନେତା ଦଳକୁ ଏକ ପ୍ରକାର ନିଜ ଅକ୍ତିୟାରରେ ରଖିଛନ୍ତି। ଏହାର ସଦ୍ୟ ଉଦାହରଣ ହେଲା ଧାମନଗର। ସେଠାରେ ବିଜୁ ଜନତା ଦଳ ଦଳୀୟ ଭାବନା ନେଇ ନିର୍ବାଚନକୁ ଓହ୍ଲାଇ ନଥିଲା। ଦଳର ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନିଜ ଇଛା ମୁତାବକ ରଣନୀତି ପ୍ରସ୍ତୁତ କରି ନିର୍ବାଚନ ପରିଚାଳନା କରୁଥିଲା। ଦଳର ସୁପ୍ରମିମୋଙ୍କୁ ଏକ ପ୍ରକାର ଅନ୍ଧକାରରେ ରଖା ଯାଇଥିଲା ବୋଲି ବିଶ୍ୱସ୍ତ ସୁତ୍ରରୁ ଖବର ହସ୍ତଗତ ହୋଇଛି। ବିଜୁ ଜନତା ଦଳ ଟିକଟ ଯେ କୌଣସି ବ୍ୟକ୍ତି ବିଶେଷ ପାଇଲେ ଅନାୟସରେ ଜିତିବେ ବୋଲି ସୁପ୍ରିମୋଙ୍କୁ ବୁଝାଇ ଦିଆଯାଇଥିଲା। ତେଣୁ ଅତ୍ୟଧିକ ଆତ୍ମବିଶ୍ୱାସ ସହ ଦଳର ମଙ୍ଗୁଆଳ ସାଜିଥିବା ଏହି ନେତା ଓ ନେତ୍ରୀମାନେ ସେଠାରେ ଏକ ପ୍ରକାର ରାଜନୈତିକ ପିକ୍‌ନିକ୍ କରିବାକୁ ଯାଇଥିଲେ ବୋଲି ଦଳୀୟ କର୍ମୀମାନେ ଖୁଲମଖୁଲା ମତପୋଷଣ କରୁଛନ୍ତି। ବିଜେଡ଼ିର ଏ ସମସ୍ତ ଖାମଖିଆଲି ମନୋଭାବକୁ ଗୁରୁତର ସହିତ ନେଇ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା ଭାରତୀୟ ଜନତା ପାର୍ଟୀ। ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ନିର୍ବାଚନ ଶେଷ ପର୍ଯ୍ୟନ୍ତ ସଂଗଠନ ଢ଼ାଞ୍ଚାରେ ଏକତ୍ର ଓ ଏକ ମନୋଭାବ ନେଇ ମଇଦାନକୁ ଓହ୍ଲାଇ ଥିଲା ବିଜେପି। ମାତ୍ର ଅନଭିଜ୍ଞ ବିଜେଡ଼ି ମଙ୍ଗୁଆଳ ବିରୋଧିଙ୍କ ରଣନୀତିକୁ ତିଳେ ମାତ୍ର ବୁଝି ପାରିଲେ ନାହିଁ। ଶାସନ କଳ ଓ ଅର୍ଥ ବଳ ତ ହାତରେ ଅଛି ତେଣୁ ଜିତିବା ସୁନିଶ୍ଚିତ ବୋଲି ମିଡ଼ିଆରେ ବାହାଦୁରୀ ମାରି ଚାଲିଲେ। ମୁହଁରେ ମେକ୍‌ଅପ ନେଇ ଲମ୍ବା ରାଲିରେ ବୁଲିଲେ ଯେ, ନିର୍ବାଚନ ଜିତି ହୁଏ ଏବଂ ଏହା ବୁମେରାଂ ହେବ ବୋଲି ଏହି ନେତା ଓ ନେତ୍ରୀମାନେ ଜାଣି ନଥିଲେ।

ପଦ୍ମପୁର ଉପନିର୍ବାଚନ ଏବେ ବିଜେଡ଼ି ପାଇଁ ଏସିଡ ଟେଷ୍ଟ। ପଶ୍ଚିମ ଓଡ଼ିଶାର ଅଭିଜ୍ଞ ତଥା ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି। ମାତ୍ର ଦଳ ପାଇଁ ଏବେ ମୁଖ୍ୟ ସମସ୍ୟା ହେଉଛି ପ୍ରାର୍ଥୀ ଚୟନ। ପଦ୍ମପୁରରେ କଂଗ୍ରେସର ପୂର୍ବରୁ ବିଧାୟକ ପ୍ରାର୍ଥୀ ଥିବା ସତ୍ୟଭୁଷଣ ସାହୁଙ୍କର କିଛି ପକେଟ ଭୋଟ ଅଛି। ଗତ ନିର୍ବାଚନରେ ବିଜେପିର ପରାଜିତ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବେ ଫ୍ରଣ୍ଟ ଫୁଟରେ ଅଛନ୍ତି। ସ୍ୱର୍ଗତ ବିଜେଡ଼ି ବିଧାୟକ ବୀର ରଂଜନ ସିଂ ବରିହାଙ୍କ ଧର୍ମପତ୍ନୀଙ୍କୁ ଦଳ ଅନୁକଂପା ଭୋଟ ହାତେଇବା ପାଇଁ ଛିଡ଼ା କରିପାରେ। ମାତ୍ର କଂଗ୍ରେସ ଓ ବିଜେପି ପ୍ରାର୍ଥୀ ତୁଳନାରେ ଏହା ବୁମେରାଂ ହେବ ବୋଲି ପଶ୍ଚିମ ଓଡ଼ିଶାର କିଛି ଛାମୁଆ ନେତା ମତବ୍ୟକ୍ତ କରି ସାରିଲେଣି। ସହାନଭୁତି ଛଡ଼ା ଦକ୍ଷ, ସୁବକ୍ତା, କାର୍ଯ୍ୟକ୍ଷମ ବ୍ୟକ୍ତି ବିଶେଷଙ୍କୁ ଭୋଟରମାନେ ଏବେ ପ୍ରାଧାନ୍ୟ ଦେବା ଆରମ୍ଭ କଲେଣି। ଏ ସୋସିଆଲ ମିଡ଼ିଆ ଯୁଗରେ ଅର୍ଥ ବଳ ଓ ଶାସନ କଳ ଆଉ ନିର୍ବାଚନ ବୈତରଣୀ ପାର କରାଇ ପାରିବ ନାହିଁ। ତେଣୁ ଏ ସମସ୍ତ ବାସ୍ତବତାକୁ ଉପଲବ୍‌ଧ କରି ଓ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଆଧାର କରି ଦଳ ଯଦି ଉଚିତ ପଦକ୍ଷେପ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବ ତେବେ ସଫଳତା ନିଶ୍ଚିତ ଭାବରେ ଆସିବ ଏଥିରେ ସନ୍ଦେହର ଅବକାଶ ନାହିଁ।

ପ୍ରିୟରଂଜନ ସାହୁ