Odiapua.com

ବାସୁଦେବ ମହୀପାଳମଣି

ଭୁବନେଶ୍ବର:୧୬-୫ (ଓଡ଼ିଆ ପୁଅ) ଆଜି ପୂର୍ବାହ୍ନ ୮.୩୦ ସମୟରେ ବାମଣ୍ଡା ରାଜା ସାର ବାସୁଦେବ ସୁଢଳ ଦେବଙ୍କ ୧୬୯ତମ ଜୟନ୍ତୀ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ ମହାହିସାବରକ୍ଷକ (ଏଜି) କାର୍ଯ୍ୟାଳୟ ଛକ ଠାରେ ଥୁବା ଏହି ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ପ୍ରାତଃ ସ୍ମରଣୀୟ ପ୍ରଜାବତ୍ସଳ ବାସୁଦେବଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ସମ୍ମିଳନୀ ସାଧାରଣ ସମ୍ପାଦକ ଡ଼ା. ରାଧାନାଥ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପ୍ରଫେସର ଡ଼ା, କାଶୀନାଥ ରଥ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ସଭାରେ ବକ୍ତାମାନେ ରାଜାଙ୍କୁ ଜଣେ ଅନନ୍ୟ ପ୍ରତିଭାଧର ଭାବରେ ବର୍ଣ୍ଣନା କରି ତାଙ୍କ ଯୋଗୁଁ ବଣ ପାହାଡ଼ ଘେରା ଦୁର୍ଗମ ବାମଣ୍ଡା ତତ୍କାଳୀନ ଉତ୍କଳର ଉଜ୍ଜୟିନୀ ଭାବରେ ଅଭିହିତ ହେବା ସହ ସୁଢଳ ଦେବ ଓଠିଶାର ବିକ୍ରମାଦିତ୍ୟ ଭାବରେ ଖ୍ୟାତ ହେବାର ସୁଯୋଗ ସୃଷ୍ଟି ହୋଇପାରିଲା ବୋଲି ମତ ରଖିଥଲେ। ରାଜା ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ସମ୍ବାଦ ପରିବେଷଣ ପାଇଁ ସମ୍ବଲପୁର ହିତୈଷିଣୀ ପ୍ରକାଶନ, କବି ରାଧାନାଥ ଓ ଗଙ୍ଗାଧର ପ୍ରଭୃତିଙ୍କୁ ସମ୍ମାନିତ ଓ ପ୍ରୋତ୍ସାହନ, ଶିକ୍ଷା ପାଇଁ ବହୁ ବିଦ୍ୟାଳୟ ଓ ଉଚ୍ଚ ଇଂରାଜୀ ବିଦ୍ୟାଳୟ ତଥା ସ୍ବାସ୍ଥ୍ୟସେବା ପାଇଁ ଡାକ୍ତରଖାନା ସ୍ଥାପନ, ଜଳସେଚନ ପାଇଁ ପୁଷ୍କରିଣୀ ଖନନ, ଗମନାଗମନ ପାଇଁ ରାସ୍ତା, ରେଳ ଓ ପ୍ରଥମ ମଟରଗାଡ଼ି ବ୍ୟବସ୍ଥା, ଯୋଗାଯୋଗ ପାଇଁ ଡ଼ାକ ଟିକଟ ପ୍ରଚଳନ ଓ ଟେଲିଫୋନ ବ୍ୟବସ୍ଥା, ଅର୍ଥନୈତିକ ଉନ୍ନତି ପାଇଁ କରତକଳ ବସାଇ କାଠ ରପ୍ତାନି, ସ୍ଵାଦିଷ୍ଟ ଫଳ ବଗିଚା କରିବା, ପ୍ରଧାନପାଟ ଜଳପ୍ରପାତର ଜଳକୁ ବିନିଯୋଗର ବ୍ୟବସ୍ଥା, ଶାସନ ପାଇଁ ଗୁରୁତ୍ଵପୂର୍ଣ୍ଣ ରାଜ୍ୟ ପରିଷଦ ଗଠନ ଇତ୍ୟାଦି କାର୍ଯ୍ୟ ତାଙ୍କ ପ୍ରଜାବତ୍ସଳ ମନୋଭାବ ଏବଂ ଦୂର ଦୃଷ୍ଟିର ସମ୍ୟକ ପରିଚାୟକ ଅଟେ ତେଣୁ ଇଂରେଜ ସରକାର ତାଙ୍କୁ ଆଦର୍ଶ ସୁଶାସନ ପାଇଁ ଭାରତର ସର୍ବଶ୍ରେଷ୍ଠ ସମ୍ମାନ କେ.ସି.ଆଇ.ଇ. ପ୍ରଦାନ କରି ସମ୍ମାନିତ କରିଥିଲେ। ଏହା ଆମ ରାଜ୍ୟ ଓ ଜାତି ପାଇଁ ଗୌରବର ବିଷୟ ନିଶ୍ଚୟ ଏହି ସମସ୍ତ ବିଷୟକୁ ନେଇ ସ୍ଵଭାବକବି ଗଙ୍ଗାଧର ମେହେର ତାଙ୍କୁ ରାଜାଶ୍ରେଷ୍ଠ ବୋଲି ଆଖ୍ୟାୟିତ କରିବାକୁ ଯାଇ “ଧନ୍ୟ ଧନ୍ୟ ବାସୁଦେବ ମହିପାଳମଣି ବୋଲି ସମ୍ବୋଧନ କରିଥିଲେ। ମାତ୍ର ଏହିପରି ଜଣେ ଦେଦୀପ୍ୟମାନ ଯୋଗଜନ୍ମା ପୁରୁଷଙ୍କ ଅବର୍ତ୍ତମାନ ଓଡିଆ ଜାତି ପାଇଁ ଏକ ମହାଶୂନ୍ୟ ସୃଷ୍ଟି କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କର ଉପଯୁକ୍ତ ସ୍ମୃତିରକ୍ଷା କରାଯାଇ ପରି ନଥିବାରୁ ସଭାରେ କ୍ଷୋଭ ପ୍ରକାଶ ସହ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି। ଆଜିର ଉପରୋକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡ଼ା, ବାନାମ୍ବର ପରିଡ଼ା, ସତ୍ୟଜିତ ନାୟକ, ଗିରିଜା ଶଙ୍କର ମହାପାତ୍ର, ଯୁଗଲ କିଶୋର ନାୟକ, ଶୁଭମ କୁମାର ସାହୁ, ସୁରେନ୍ଦ୍ର ପାଇଲ, ନାରାୟଣ ସ୍ୱାଇଁ, ତିରୁପତି ନାୟକ, କାଳନ୍ଦିଚରଣ ନାୟକ, ମହେଶ୍ୱର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଭୁବନେଶ୍ୱର ଶାଖା ସଭାପତି ପ୍ରବକ୍ତା ତାପସ ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।