ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ଧାମନଗର ବ୍ଲକ ଅର୍ଜୁନପୁର ପଂଚାୟତର ବାଲିପାଟଣା ସ୍ଥିତ ବାସୁଦେବ ପୀଠ। ଏହି ପୀଠରେ ବର୍ତମାନ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀବିଗ୍ରହ ନିର୍ମାଣ ପାଇଁ ପବିତ୍ର ଦାରୁ ଚିହ୍ନଟ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅଂଚଳରେ ଏକ ଆଧ୍ୟାତ୍ମିକ ଓ ଭାବମୟ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ବିରୁହା ଗ୍ରାମର ଚୈତନ୍ୟ ଜେନାଙ୍କ ବାଡ଼ିରୁ ଏହି ପବିତ୍ର ଦାରୁ ଠାବ କରାଯାଇଥିଲା। ଏହାପରେ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ସେଠାରେ ବିଧିବଦ୍ଧ ପୂଜାପାଠ ଏବଂ ହୋମଯଜ୍ଞ କରାଯାଇ ଦାରୁ ଛେଦନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ପ୍ରାୟ ୨ ହଜାରରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ଦାରୁ ଦର୍ଶନ କରିବା ସହ ଆଧ୍ୟାତ୍ମିକ ଆନନ୍ଦ ଲାଭ କରିଥିଲେ। ଦାରୁ ଛେଦନ ପରେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।ଦାରୁ ଛେଦନ ପରେ ଏକ ସଂକୀର୍ତନ ଦଳ ସହ ଭକ୍ତମାନେ ହରିବୋଲ, ହୁଳହୁଳି ଏବଂ ମଙ୍ଗଳ ଆଳତି ମଧ୍ୟରେ ଏକ ଭବ୍ୟ ଶୋଭାଯାତ୍ରାରେ ଦାରୁକୁ ବାସୁଦେବ ପୀଠକୁ ଆଣିଥିଲେ। ଭକ୍ତଙ୍କ ଗହଳି ଓ ଭାବପୂର୍ଣ୍ଣ କୀର୍ତନ-ଭଜନରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା।ମନ୍ଦିର କମିଟି ଓ ସ୍ଥାନୀୟ ଅଧିବାସୀଙ୍କ ସୂଚନା ଅନୁଯାୟୀ, ଆସନ୍ତା ୨୦୨୭ ମସିହା ଫେବୃଆରୀ ମାସରେ ୧୮ ତାରିଖ ରେ ଏହି ନବନିର୍ମିତ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିସହିତ ଚିହ୍ନଟ ଦାରୁରେ ନିର୍ମିତ ତିନି ଠାକୁରଙ୍କ ଶ୍ରୀବିଗ୍ରହ ସେହି ସମୟରେ ମନ୍ଦିରରେ ରୀତିନୀତି ଅନୁଯାୟୀ ପ୍ରତିଷ୍ଠା ଓ ସ୍ଥାପନ କରାଯିବ। ବର୍ତମାନ ଏହି କାର୍ଯ୍ୟକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ପ୍ରକାଶ ପାଇଛି।