Odiapua.com

ବାସୁଦେବପୁର ବ୍ଲକରେ ମିଳିତ ଜନଶୁଣାଣି ଶିବିର, ୧୫୩ ଅଭିଯୋଗ ଆଗତ, ୪୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିର ବାସୁଦେବପୁର ବ୍ଲକ୍‌ରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି.ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୫୩ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୧୪୭ ଟି ବ୍ୟକ୍ତିଗତ ଓ ୬ ସାମୂହିକ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଥିଲା । ୩ ଜଣ ଆବେଦନକାରୀଙ୍କୁ ସି.ଏମ୍‌.ଆର୍‌ଏଫ୍ ରୁ ଏବଂ ଜଣଙ୍କୁ ରେଡ଼କ୍ରସ୍ ପାଣ୍ଠି ରୁ ସମୁଦାୟ ୪ ଜଣଙ୍କୁ ଚିକିତ୍ସା ଉଦ୍ଦେଶ୍ୟରେ ସମୁଦାୟ ୪୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ଲାଗି ଜିଲ୍ଲାପାଳ ମଞ୍ଜୁର କରିଛନ୍ତି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର, ଡେପୁଟୀ କଲେକ୍ଟର ତନ୍ମୟ କୁମାର ଜେନା ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଅଭିଯୋଗ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଜିଲ୍ଲା ଓ ଉକ୍ତ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ଦ୍ୱାରା ଆବଶ୍ୟକ ମତେ ତଥ୍ୟ ଉପସ୍ଥାପନ କରିଥିଲେ । ୫ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଚିକିତ୍ସା ପାଇଁ ଆର୍ଥିକ ସହାୟତା ବାବଦକୁ ମଞ୍ଜୁର କରାଯାଇଥିବା ସମୁଦାୟ ୪୫ ହଜାର ଟଙ୍କାରୁ ବିରସର ବୈଲୋଚନ ଜେନାଙ୍କୁ ୧୦ ହଜାର, ବାସୁଦେବପୁରର ରାଜେନ୍ଦ୍ର ରାଉତଙ୍କୁ ୧୦ ହଜାର, କିସ୍ମତ୍‌କୃଷ୍ଣପୁର ର ଗୌରୀବାଳା ଜେନାଙ୍କୁ ୧୫ ହଜାର, ନନ୍ଦପୁରର ଅଭୟ ରାଉତଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ବାସୁଦେବପୁର ବ୍ଲକର ବି.ଡ଼ି.ଓ. ସଞ୍ଜୀବ କୁମାର ସାହୁ ସହକାରୀ ଯନ୍ତ୍ରୀ ଓ ସଂପୃକ୍ତ ଅନ୍ୟ କର୍ମଚାରୀ ଏହି ଶିବିର ଆୟୋଜନ ଓ ପରିଚାଳନାରେ ଆନୁସଂଗିକ ସହଯୋଗ କରିଥିଲେ ।