ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ଭଦ୍ରକ ଜିଲାର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ୍ରେ ମହାଘୋଟାଲା ଏବେ ରାଜ୍ୟ ଗଣମାଧ୍ୟମର ପ୍ରମୁଖ ବିଷୟ ହୋଇଥିବାବେଳେ ଆଜି ତିହିଡି ବ୍ଲକ୍ର ଶ୍ୟାମସୁନ୍ଦରପୁର ପଂଚାୟତରେ ବ୍ୟାପକ ଦୁର୍ନୀତି ନେଇ ସ୍ଥାନୀୟ ଅଂଚଳବାସୀ ସୂଚନା ଅଧିକାର ଆଇନ୍ ମୂଳେ ଆଜି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଜି ଜିଲାପାଳ ତ୍ରିଲୋଚନ ମାଝୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏହି ପଂଚାୟତର ସମିତିସଭ୍ୟ ଯଶୋବନ୍ତ ମଲ୍ଲିକ, ସୁରେନ୍ଦ୍ର ନାୟକ, ପୀତାମ୍ବର ବାରିକ, ଶରତ ଚନ୍ଦ୍ର ଦାସ, ଶତ୍ରୁଘ୍ନ ନାୟକ, କମଳା ସାହାଣୀ, ଅନନ୍ତ ପ୍ରସାଦ ନାୟକ ପ୍ରମୁଖ ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ଓ ସୂଚନା ଅଧିକାର ଆଇନ୍ ମୂଳେ ପ୍ରାପ୍ତ ତଥ୍ୟ ଅନୁସାରେ ଏହି ସ୍ୱଚ୍ଛଭାରତ ଅଭିଯାନରେ ଦୀର୍ଘବର୍ଷ ହେବ ମୃତ୍ୟୁବରଣ କରିଥିବା ଶତାଧିକ ବ୍ୟକ୍ତିଙ୍କ ନାମରେ ଏହି ଯୋଜନାର ଅର୍ଥ ହରିଲୁଟ ହୋଇଛି । ଏପରିକି ଦୀର୍ଘ ୨୦ ବର୍ଷ ତଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ମଧ୍ୟ ଏହି ଯୋଜନାରେ ଉପକୃତ ହୋଇଛି । ସବୁଠାରୁ ବିସ୍ମୟର କଥା ଏହି ପଂଚାୟତର ସରପଞ୍ଚ ତଥା ଉପରଦୁମୁକା ଗ୍ରାମନିବାସୀ ଝରଣା ବାରିକ ନିଜ ନାମରେ ଏକ ପାଇଖାନା ପାଇଥିବାବେଳେ ମୃତ ଶ୍ୱଶୁର ଜଗବନ୍ଧୁ ବାରିକଙ୍କ ନାମରେ ମଧ୍ୟ ଅନ୍ୟ ଏକ ପାଇଖାନା ବିଲ୍ ଉଠାଇଛନ୍ତି ।
ସେହିଭଳି ଉପରଦୁମୁକାର ମୃତ ମହେଶ୍ୱର ଦାସ, କାଳନ୍ଦୀ ଦାସ, କାନ୍ଦୁରୀ ବେହେରା, ଲକ୍ଷ୍ମୀଧର ସାହୁ, ରଘୁନାଥ ଆରଣଙ୍କ ଭଳି ବହୁ ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ପାଇାଖାନା ନହୋଇ ବିଲ୍ ହୋଇଛି । ଏପରିକି ଈଶ୍ୱରପୁର ଗ୍ରାମରେ ଏକାନ୍ନବର୍ତ୍ତୀ ଗୋଟିଏ ପରିବାରର ୮ ଜଣଙ୍କ ନାମରେ ଭିନ୍ନ ଭିନ୍ନ ବିଲ୍ ହୋଇଛି । ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁସାରେ ଉକ୍ତ ପଂଚାୟତରେ ସ୍ୱଚ୍ଛ ଭାରତ ଅଭିଯାନରେ ୮୨୩ ଟି ପାଇଖାନା ହୋଇଥିବାବେଳେ ବାସ୍ତବରେ ତାହାଠାରୁ ଅଧିକ କାଗଜପତ୍ରରେ ନିର୍ମାଣ ହୋଇଛି । ଅନୁରୂପ ଯେଉଁ ବ୍ୟକ୍ତି ଏହି ଯୋଜନା ପାଇବାକୁ ଯୋଗ୍ୟ, ସେମାନେ ନପାଇ ମୃତ ଓ ଗୋଟିଏ ବ୍ୟକ୍ତିନାମରେ ଏକାଧିକ ପାଇଖାନା ନିର୍ମାଣ ନହୋଇ ବିଲ୍ ହୋଇଛି । ଏହି ମୃତ ବ୍ୟକ୍ତିଙ୍କ ମଧ୍ୟରେ ଇସାଣପୁରର ଅର୍ଜୁନ ମଲ୍ଲିକ, ବଲେଇ ମଲିକ, ବନମାଳୀ ମଳିକ, ବଟକୃଷ୍ଣ ଦାସ, ଭୋଳା ମଳିକ, ବିଛନ୍ଦା ମଳିକ, ବିପିନ ଦାସ, ରତ୍ନାକର ମଳିକ, ବିଷ୍ଣୁ ମଳିକ, ଚେମେଇ ମଳିକ, ଦୈତାରୀ ମଳିକ, ଦନେଇ ମଳିକ, ପାଣ ବେୱା, ଗଦାଧର ମଳିକ ପ୍ରମୁଖ ରହିଥିବାବେଳେ ଗଦାଧର ମଳିକ, ପ୍ରଫୁଲ୍ଲ ଦାସଙ୍କ ଭଳି ବହୁ ବ୍ୟକ୍ତିଙ୍କ ନାମରେ ପାଇଖାନା ନହୋଇ ଏକାଧିକ ମିଥ୍ୟା ବିଲ୍ ମଧ୍ୟ ହୋଇଛି । ଏଣୁ ଏଭଳି ବ୍ୟାପକ ଦୁର୍ନୀତିର ବିଧିବଦ୍ଧ ତଦନ୍ତ କରାଯାଇ ୭ ଦିନ ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସ୍ଥାନୀୟ ଅଂଚଳବାସୀ ରାଜରାସ୍ତା ଅବରୋଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଜିଲାପାଳ ଶ୍ରୀ ମାଝୀ ଏଭଳି ଏକ ମହାଦୁର୍ନିୀତି ସଂପର୍କରେ ପିଡି ଓ ବିଡିଓଙ୍କ ସହ ଆଲୋଚନା କରି ଏକ ନିରପେକ୍ଷ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।