Odiapua.com

ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସରକାରୀ ଡାକ୍ତରଙ୍କର ଚାଲିଛି ବେସରକାରୀ କ୍ଲିନିକ୍

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜ ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରି ଲୋକଙ୍କ ପାଇଁ ବ୍ୟୟ କରିଆସୁଥିବାବେଳେ କେତେକ ଅସାଧୁ ଅଧିକାରୀଙ୍କ ଯୋଗୁଁ ଏହି ଯୋଜନା ଗୁଡିକ ବାଟବଣା ହେଉଛି । ଏହିଭଳି ଏକ ନଜିର ଦେଖିବାକୁ ମିଳିଛି ଭଦ୍ରକ ଜିଲାର ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଏଠାକାର ବର୍ହିବିଭାଗ (ଆଉଟଡୋର) ଅନେକ ସମୟରେ ଫାଙ୍କା ପଡୁଥିବାବେଳେ ଏଠାରେ ନିଯୁକ୍ତ ସରକାରୀ ଡାକ୍ତର ବାବୁମାନେ ସରକାରୀ ବାସଭବନରେ ରହି ବେଆଇନ୍ ଭାବେ ଡ୍ୟୁଟି ସମୟରେ ବି ବେଧଡକ ଘରୋଇ ଚିକିତ୍ସା କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରିବାରେ ବ୍ୟସ୍ତ ରହୁଛନ୍ତି । କେତେକ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ଛତ୍ରଛାୟା ତଳେ ରହି ଏମାନେ ଏହିଭଳି ନିଜର ବ୍ୟବସାୟ ଚଳାଇ ଆସୁଛନ୍ତି । ମହିଳାଙ୍କ କ୍ଷେତ୍ରରେ ‘ଜନନୀ’ ଯୋଜନାରେ ରାଜ୍ୟ ସରକାର ବହୁ ଯୋଜନା ପ୍ରଣୟନ କରି ମହିଳାଙ୍କୁ ସେବା ଯୋଗାଇ ଦେବାର ଡିଣ୍ଡିମ ପିଟୁଥିବାବେଳେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କେତେକ ଆଶାକର୍ମୀ, ଗର୍ଭବତୀ ମହିଳାମାନଙ୍କୁ ସରକାରୀ ଡାକ୍ତରଖାନାରେ ନଦେଖାଇ ନିୟମ ଉଲ୍ଲଂଘନ ପୂର୍ବକ ସରକାରୀ ଡାକ୍ତରଖାନାରେ ରହୁଥିବା ଡାକ୍ତରଙ୍କ ସହ ମିଶି ବେଆଇନ୍ ଭାବେ ରୋଗୀ ଦେଖାଇ ମାଲେ ମାଲେ ହେଉଥିବାର ଜଣାପଡିଛି । ଏ ସଂପର୍କରେ ବାସୁଦେବପର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମରେନ୍ଦ୍ର ଜେନାଙ୍କୁ ପଚରାଯିବାରେ ସେ ନିଜେ ଡ୍ୟୁଟି ସାରି ବଳକା ସମୟରେ ରୋଗୀ ଦେଖୁଥିବା ବିଷୟ ସ୍ୱୀକାର କରିଥିଲେ ମଧ୍ୟ ତାହା କେତେଦୂର ଠିକ୍ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଣୁ ଏ ଦିଗରେ ଦୃଷ୍ଟି ଦେବାକୁ ଜିଲା ପ୍ରଶାସନ ନିକଟରେ ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।