Odiapua.com

ବାସୁଦେବପୁରରେ ୧୧୯ଟି ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାସୁଦେବପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜିଲ୍ଲାପାଳ ଓ ଏସ୍‌.ପିଙ୍କ ମିଳିତ ଜନ ଶୁଣାଣି ଶିବିରରେ ଯୋଗ ଦେଇ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି. ଚରଣ ସିଂ ମୀନା ସମୁଦାୟ ୧୧୯ଟି ଅଭିଯୋଗର ଶୁଣାଣି କରିଛନ୍ତି। ସେଗୁଡ଼ିକ ମଧ୍ୟରେ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ୧୦୭ଟି ଅଭିଯୋଗ ଥିଲାବେଳେ ୧୨ଟି ଥିଲା ସାମୂହିକ ସମସ୍ୟା ସମ୍ବନ୍ଧୀୟ। ଗୋଟିଏ ଅଭିଯୋଗ ତତ୍କାଳ ସମାଧାନ କରାଯାଇଥିଲା। ୨ଟି ଅଭିଯୋଗ ରେଡ଼୍‌କ୍ରସ୍ ସମ୍ବନ୍ଧୀୟ ଥିଲା। ଚିକିତ୍ସା ସହାୟତା ବାବଦ ଜଣଙ୍କୁ ୫ ହଜାର ଓ ଅନ୍ୟ ଜଣଙ୍କୁ ୩ ହଜାର ଟଙ୍କାର ଆର୍ଥିିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିଲେ। ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର, ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ବି.ଡ଼ି.ଓ. ସତ୍ୟଜିତ୍ ରାଉତ, ସହାୟକ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା ପ୍ରମୁଖ ଏହି ଶିବିରରେ ଯୋଗ ଦେଇଥିଲେ। ଏହି ମିଳିତ ଜନ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା ଯୋଜନାର ଅତିଥିମାନଙ୍କ ଦ୍ୱାରା ଦିବ୍ୟାଙ୍ଗ ହିତାଧିକାରୀମାନଙ୍କୁ ୪ଟି ହ୍ୱିଲ୍ ଚେୟାର ଓ ୫ଟି ତିନି ଚକିଆ ସାଇକେଲ ବଣ୍ଟନ କରାଯାଇଥିଲା। ଜିଲ୍ଲାସ୍ତରୀୟ ଓ ଉକ୍ତ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ।