Odiapua.com

ବାସୁଦେବପୀଠରେ ତିନିଠାକୁରଙ୍କ ମନ୍ଦିର ନିର୍ମାଣ, ଦଳାଙ୍ଗରୁ ଆସିବ ଦାରୁ, ଚଳିତ ମାସ ୧୫ରେ ଶୁଭ ଅନୁକୂଳ

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅର୍ଜୁନପୁର ପଂଚାୟତ ସ୍ଥିତ ପୁଣ୍ୟତୋୟା ବୈତରଣୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ବାସୁଦେବପୀଠ ଏବେ ଆଧ୍ୟାତ୍ମିକ ଦୃଷ୍ଟିରୁ ଚଳଚଂଚଳ ହୋଇପଡିଛି। ଏହି ପୀଠରେ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ, ଆସନ୍ତା ୨୦୨୭ ଫେବୃଆରୀ ୧୮ ତାରିଖରେ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଦିନ ଧାର୍ଯ୍ୟ ହୋଇଛି।ଏହି ମହାନ କାର୍ଯ୍ୟ ପାଇଁ ତିନି ଠାକୁରଙ୍କ ମୂର୍ତି ନିର୍ମାଣ ନିମନ୍ତେ ଆବଶ୍ୟକୀୟ ‘ଦାରୁଛେଦନ’ ପ୍ରକ୍ରିୟା ଚଳିତ ମାସ ୧୫ ତାରିଖ ଦିନ ସମ୍ପନ୍ନ ହେବ। ସୂଚନା ଅନୁଯାୟୀ, ଦଳାଙ୍ଗ ପଞ୍ଚାୟତର ବିରୁହା ଗ୍ରାମର ଶ୍ରୀ ଚୈତନ୍ୟ ଯେନାଙ୍କ ବାଡ଼ିରୁ ଏହି ପବିତ୍ର ଦାରୁ ଚୟନ କରାଯାଇଛି।ଶାସ୍ତ୍ରୀୟ ବିଧି ବିଧାନ ଅନୁଯାୟୀ, ୧୫ ତାରିଖ ଦିନ ଶ୍ରଦ୍ଧାଳୁ ଓ ସଂକୀର୍ତନ ମଣ୍ଡଳୀଙ୍କ ଗହଣରେ ବିରୁହା ଗ୍ରାମରୁ ଏହି ପବିତ୍ର ଦାରୁକୁ ଛେଦନ କରାଯାଇ ପୀଠକୁ ଅଣାଯିବ। ବୈତରଣୀ କୂଳରେ ପ୍ରଭୁଙ୍କ ମନ୍ଦିର ନିର୍ମାଣକୁ ନେଇ ସ୍ଥାନୀୟ ଅଂଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି ଦାରୁଛେଦନ ଉତ୍ସବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ପୁଣ୍ୟ ଅର୍ଜନ କରିବାକୁ ମନ୍ଦିର କମିଟି ର ଆବାହକ ଅରୁଣ ନାୟକ ଓ ଅକ୍ଷୟ ନାୟକ ଏବଂ ଅଂଚଳ ବାସୀ ନିବେଦନ କରିଛନ୍ତି।