Odiapua.com

ବାସୀ କ୍ଷୀରକୁ ନେଇ ଅସନ୍ତୋଷ ମାଟିରେ କ୍ଷୀର ଢାଳି ବ୍ୟବସାୟୀଙ୍କ ପ୍ରତିବାଦ

ବାଲେଶ୍ୱର, ୧୨ା୭ (ଓଡ଼ିଆ ପୁଅ/ଅଭୟ ଦାସ): ବାସି ଓମଫେଡ କ୍ଷୀରକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ କାରଖାନାର ସମ୍ମୁଖରେ କ୍ଷୀର ବ୍ୟବସାୟୀଙ୍କର ଆଜି ଅଭିନବ ପ୍ରତିବାଦ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। କ୍ଷୀର ବ୍ୟବସାୟୀ ଗଦାଧର ଦାସ ଆଜି ରେମୁଣାସ୍ଥିତ ଓମଫେଡ୍ କ୍ଷୀର ଫ୍ୟାକ୍ଟ୍ରି ସମ୍ମୁଖରେ କ୍ଷୀର ଢାଳି ପ୍ରତିବାଦ ଜଣାଇଥିଲେ। ପ୍ୟାକିଂ ହେବାର ୨/୩ ଦିନ ପରେ କ୍ଷୀର ପ୍ୟାକେଟ ବ୍ୟବସାୟୀଙ୍କୁ ପ୍ରଦାନ କରାଯାଉଥିବା କାରଣରୁ ଏହି କ୍ଷୀର ଛିଣ୍ଡି ଯାଉଥିବା ସେ କହିଛନ୍ତି। ବ୍ୟବସାୟୀମାନେ ତାହାକୁ ୨ ଦିନ ପର୍ଯ୍ୟନ୍ତ ବିକ୍ରି କରି ଚାଲିବା ଫଳରେ ଖାଉଟି କ୍ଷୀର ନେଇ ଚୁଲିରେ ବସାଇବା କ୍ଷଣି ତାହା ଛିଣ୍ଡି ଯାଉଥିବା ସେ ଆରୋପ କରିଛନ୍ତି। ଏନେଇ ଅଭିଯୋଗ କରିବା ପରେ ବି ଓମଫେଡ୍ କର୍ତ୍ତୃପକ୍ଷ ନ ଶୁଣିବାରୁ ଶେଷରେ ସେ ଏଭଳି ପ୍ରତିବାଦର ଆଶ୍ରୟ ନେଇଥିବା କହିଥିଲେ। ଖବର ପାଇ କ୍ରାଇମ୍ ଡିଏସପି ଉମେଶ କୁମାର ପଣ୍ଡା ରେମୁଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗକାରୀ ବ୍ୟବସାୟୀକୁ ବୁଝାସୁଝା କରିବା ସହ ଓମଫେଡ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ କାରଖାନା ପରିଚାଳନା ଅଧିକାରୀ ଏ ସମ୍ପର୍କରେ କିଛି କହିବାକୁ ସଫା ସଫା ମନା କରିଦେଇଥିଲେ।