Odiapua.com

ବାଲ୍ୟ ବିବାହ ସଂକ୍ରାନ୍ତୀୟ ଟାସ୍କଫୋର୍ସ କମିଟି ବୈଠକ

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହ ପରିସରରେ ବାଲ୍ୟ ବିବାହ ରୋକିବା ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ ଯୋଗ ଦେଇଥିଲେ । ଜିଲ୍ଲାପାଳ ଡ. ଦାସ ବାଲ୍ୟ ବିବାହ ଭଳି କୁସଂସ୍କାରକୁ ରୋକିବା ପାଇଁ ସମ୍ବେଦନଶୀଳ ସ୍ଥାନମାନଙ୍କୁ ଚିହ୍ନଟ କରି ତ୍ୱରିତ ପଦକ୍ଷେପ ନେବା ନିମନ୍ତେ ଏକ କୋର କମିଟି ଗଠନ କରିବାକୁ ପରାମର୍ଶ ଦେଇଥିଲେ । ଅପ୍ରାପ୍ତ ବୟସ୍କରେ ବିବାହ କରିବା ସହ ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦେବା ଆଇନ ବିରୁଦ୍ଧ ଅଟେ ବୋଲି ସମସ୍ତେ ଅବଗତ ହେବା ସହ ଏହା ବିରୁଦ୍ଧରେ ତୁରନ୍ତ କାର୍ଯ୍ୟପନ୍ଥା ଗ୍ରହଣ କରାଗଲେ ବାଲ୍ୟବିବାହ ରୋକା ଯାଇ ପାରିବ । ସେଥିପାଇଁ ସମସ୍ତ କମିଟିର ସଦସ୍ୟ ତତ୍ପର ହେବା ଆବଶ୍ୟକ ବୋଲି କହିଥିଲେ । ଉକ୍ତ ବୈଠକରେ ଜିଲ୍ଲାସ୍ତରୀୟ କମିଟିର ସଦସ୍ୟ, ଜିଲ୍ଲାସ୍ତରୀୟ ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ, ଚାଇଲ୍‌ଡ ଲାଇନର ସୋଫିଆ ସେଖ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ, ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଶେଷରେ ସୁରକ୍ଷା ଅଧିକାରିଣୀ (ଅଣଆନୁଷ୍ଠାନିକ) ସ୍ୱାଗତିକା ବାରିକ ଧନ୍ୟବାଦ ଦେଇଥିଲେ ।