Odiapua.com

ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ନିରାକରଣ ନେଇ ଜିଲ୍ଲାସ୍ତରୀୟ ଦିନିକିଆ କର୍ମଶାଳା

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଶୁ ଆମ ଦେଶ ଓ ଜାତିର ଅବିଚ୍ଛେଦ୍ୟ ଅଙ୍ଗ । ଦେଶ ଗଠନରେ ଶିଶୁ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ପ୍ରତ୍ୟେକ ଶିଶୁର ଅଧିକାରକୁ ସୁରକ୍ଷା ଦେବା ପ୍ରତ୍ୟେକ ରାଷ୍ଟ୍ରର ପ୍ରାଥମିକ କର୍ତ୍ତବ୍ୟ ଓ ଦାୟିତ୍ୱ । ବୌଦ୍ଧିକ ଓ ଶାରୀରିକ କ୍ଷେତ୍ରରେ ଶିଶୁଟିର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ତାର ଉତ୍ତମ ସ୍ୱାସ୍ଥ୍ୟ, ପୃଷ୍ଟି ସାଧନ, ଉତ୍ତମ ଶିକ୍ଷା, ହିଂସା ଓ ଶୋଷଣ ମୁକ୍ତ ପରିବେଶ ଆବଶ୍ୟକ । ଏସବୁ ପାଇଁ ସରକାରୀ, ବେସରକାରୀ ବା ବ୍ୟକ୍ତିଗତ ଭାବେ ଯେତେ ତତ୍ପର ହେଲେ ମଧ୍ୟ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଭଳି ସମସ୍ୟାଗତ ପ୍ରତିବନ୍ଧକ ଯୋଗୁଁ ଏ ଦିଗରେ ପୂର୍ଣ୍ଣ ସଫଳତା ମିଳିପାରୁ ନାହିଁ । ସମାଜ ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେଉଥିବା ଏହିଭଳି କୁତ୍ସିତ ସମସ୍ୟାର ନିରାକରଣ ଉଦ୍ଦେଶ୍ୟରେ ସଚେତନତା ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଏହି କର୍ମଶାଳାକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଉଦ୍‌ଘାଟନ କରି ପ୍ରକାଶ କରିଥିଲେ କି କେବଳ କର୍ମଶାଳା କି ଧରପଗଡ଼ ଜରିଆରେ ଏ ସମସ୍ୟାର ପ୍ରକୃତ ସମାଧାନ ହୋଇ ପାରିବ ନାହିଁ । ଏହାର କାରଣ ଅନୁସନ୍ଧାନ କଲେ ନିରାକରଣ ସହଜ ହେବ । ମାତ୍ର ଆନ୍ତରିକତା ବିନା ଏହା ସମ୍ଭବ ନୁହେଁ । ଏ ଦୁଇ ସମସ୍ୟା ସମାଧାନ ପାଇଁ ସଚେତନତା ସହ ଶିକ୍ଷା ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । କୌଣସି କାରଣରୁ ଶିକ୍ଷା ଅଧିକାରରୁ ବଞ୍ôଚତ ହେଉଥିବା ଶିଶୁକୁ ଶିକ୍ଷାରେ ପୁର୍ନନିବେଶ ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ । ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଶିକ୍ଷାରେ ସାମିଲ କରିପାରିଲେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗର ବିଲୋପ ଘଟିପାରିବ ।

ଏଥିପାଇଁ ନିଜ ନିଜ ସ୍ତରରେ ଚିନ୍ତନ, ମନ୍ଥନ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ବାଲ୍ୟ ବିବାହ ନିଷିଦ୍ଧ ଆଇନ ୨୦୦୬ ଓ ଶିଶୁ ଶ୍ରମ ନିଷେଦ୍ଧ ଓ ନୟନ୍ତ୍ରଣ ଆଇନ୍ ୧୯୮୬ ର ବିଭିନ୍ନ ଦିଗ ଉପରେ ଅତିଥିମାନେ ବକ୍ତବ୍ୟ ରଖିବା ସହିତ ବାଲ୍ୟବିବାହ ଜନିତ କାରଣ ସଚେତନତାର ଅଭାବ, ଅନ୍ଧ ବିଶ୍ୱାସ ଓ କୁସଂସ୍କାର, ଝିଅ ପିଲାଙ୍କୁ ପରିବାରରେ ବୋଝ ମଣିବା, ଝିଅ ପିଲାଙ୍କ ଶିକ୍ଷାକୁ ଗୁରୁତ୍ୱ ନଦେବା, ଝିଅକୁ ପରଘର ଧନ ବୋଲି ବିବେଚନା କରିବା ପ୍ରଭୃତି ବିଷୟରେ ଆଲୋକପାତ କରିଥିଲେ । ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଆଇନ୍‌ର ଅବମାନନାରେ ଦଣ୍ଡ ଓ ଜୋରିମାନା ବ୍ୟବସ୍ଥା ସମ୍ବନ୍ଧରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା । ଶିଶୁ ଶ୍ରମ ନିଷେଧ ଆଇନ୍ ୧୯୮୬ ରୁ ସଂଶୋଧନ ବିଲ ୨୦୧୨ ପର୍ଯ୍ୟନ୍ତ ଆଇନ୍ ର ବିଧିବ୍ୟବସ୍ଥା ସମ୍ବନ୍ଧରେ ମଧ୍ୟ ଅତିରିକ୍ତ ଜିଲ୍ଲା ଶ୍ରମଅଧିକାରୀ ରତିକାନ୍ତ ମଲ୍ଲିକ୍ ପ୍ରକାଶ କରିଥିଲେ । ଶିଶୁ ସୁରକ୍ଷା ୟୁନିଟ୍ ଆଇନ୍ ପ୍ରବେଶନ ଅଧିକାରୀ ସୁବ୍ରତ ଦାସ ମଞ୍ଚ ପରିଚାଳନା କରିଥିଲା ବେଳେ ଫେଲୋସିପ୍ ନିର୍ଦ୍ଦେଶକ ସମାଜସେବୀ ଲଲାଟେନ୍ଦୁ ମହାନ୍ତି ବିଷୟ ବିଷାରଦ ଭାବେ ଏହି ସମସ୍ୟାର ସମାଧାନ ପାଇଁ ସଚେତନତା ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଏହି କର୍ମଶାଳାରେ ଶିଶୁ ବିକାଶ ବିଭାଗ, ପୋଲିସ, ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଶିଶୁମଙ୍ଗଳ କମିଟିର ସଦସ୍ୟ ଭାରତୀ ଦାଶ, ଅମର ବାରିକ, ନବୀନ ଚନ୍ଦ୍ର ସାହୁ, ସୁପର ଭାଇଜର, ଶିଶୁ ଅନୁଷ୍ଠାନର କର୍ମକର୍ତ୍ତା, ମହିଳା ଗୋଷ୍ଠି ସଖୀ (ୱାନଷ୍ଟପ୍ ସେଣ୍ଟର) ପ୍ରମୂଖ ଅଂଶ ଗ୍ରହଣ କରିଥିଲେ । ଶିଶୁ ସୁରକ୍ଷା ୟୁନିଟ୍‌ର ସୁରକ୍ଷା ଅଧିକାରିଣୀ (ଅଣ-ଅନଷ୍ଠାନିକ) ସ୍ୱାଗତିକା ବାରିକ, ମହେଶ ଚନ୍ଦ୍ର ଦାଶ, ଦମୟନ୍ତୀ ଦାଶ, ଧୀରଜ ବାରିକ, ସୁଦର୍ଶନ ବାଦ୍ରା, ଚିନ୍ମୟ ପଣ୍ଡା, ବିଜୟ ଜେନା ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ୟୁନିଟ୍‌ର ଆନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।