Odiapua.com

ବାଲେଶ୍ୱର ସହରରେ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ଆରମ୍ଭ

ବାଲେଶ୍ୱର, ୯ା୨(ଓଡ଼ିଆ ପୁଅ/ଅଭୟ ଦାସ): ପୂର୍ବ ଘୋଷଣା ଅନୁସାରେ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ବାଲେଶ୍ୱର ସହରର ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ସହରର ପାଣିଟାଙ୍କିରୁ କଲେଜ ଛକ ପର୍ଯ୍ୟନ୍ତ ଉଚ୍ଛେଦ କରାଯାଉଛି। ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସଦର ଏଡିସନାଲ ତହସିଲଦାର ଅତନୁ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମ୍ୟୁନସିପାଲଟି କର୍ମଚାରୀମାନେ ଏହି ଉଚ୍ଛେଦ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ପ୍ରାରମ୍ଭରୁ ଏହି ଉଚ୍ଛେଦକୁ ଦୋକାନୀଙ୍କ ସମେତ ସାଧାରଣରେ ବେଶ ସ୍ୱାଗତ କରାଯାଇଥିଲା। ମାତ୍ର ଉଚ୍ଛେଦ କାର୍ଯ୍ୟ ପୁଲିସ କଲୋନି ଗେଟ ପାଖରେ ପହଞ୍ଚିଥିବା ବେଳେ ସେଠାରେ ଥିବା ଦୋକାନୀମାନେ ଏହାକୁ ବିରୋଧ କରିଥିଲେ। କରୋନା ସ୍ଥିତିରେ ସେମାନଙ୍କ ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ପଡ଼ିଥିବା ବେଳେ ଏବେ ଏହି ଉଚ୍ଛେଦ ଯୋଗୁଁ ପରିବାର ଚଳିବା କଷ୍ଟକର ହୋଇପଡ଼ିବ ବୋଲି ଦୋକାନୀମାନେ କହିଥିଲେ। ଅନ୍ୟପକ୍ଷରେ ରାସ୍ତା ପାଶ୍ୱର୍ରେ ଦୋକାନ କରିଥିବା ଯୋଗୁଁ ସେମାନାନେ ପ୍ରତ୍ୟେକ ଦିନ ୧୦ ଟଙ୍କା ହିସାବରେ ମାସିକ ୩ଶହ ଟଙ୍କା ମ୍ୟୁନିସିପାଲଟିକୁ ଟିକସ ଆକାରରେ ଭଡ଼ା ମଧ୍ୟ ଦେଉଛନ୍ତି। ଏଭଳି ସ୍ଥିତିରେ ଦୋକାନୀଙ୍କୁ ଆଗ ଅନ୍ୟତ୍ର ଥଇଥାନ କରିବା ପରେ ଉଚ୍ଛେଦ ପାଇଁ ସେମାନେ ଦାବି କରିଥିଲେ। ଦୋକାନୀଙ୍କୁ ଦୃଢ଼ ବିରୋଧ ଯୋଗୁଁ କିଛି ସମୟ ପାଇଁ ଉଚ୍ଛେଦ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ତେବେ ଖବର ପାଇ ଟାଉନଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଦଳବଳ ସହ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଦୋକାନୀଙ୍କୁ ବୁଝାସୁଝା କରିଥିଲେ। ପରେ ପରିସ୍ଥିତି ଶାନ୍ତ ହେବା ସହ ପୂର୍ବଭଳି ଉଚ୍ଛେଦ ଜାରି ରହିଥିଲା। ସଂଧ୍ୟା ସୁଦ୍ଧା ସିନେମାଛକ ପର୍ଯ୍ୟନ୍ତ ଡାକ୍ତରଖାନା ରାସ୍ତାର ଉଭୟ ପାଶ୍ୱର୍ରେ ଉଚ୍ଛେଦ କରାଯାଇଥିବା ଦେଖିବାକୁ ମିଳିଥିଲା। ଦୋକାନୀମାନେ ସ୍ୱତପ୍ରୁତ ଭାବେ ଦୋକାନ ଭାଙ୍ଗି ସେମାନଙ୍କର ସାମଗ୍ରୀ ସବୁ ବୋହି ନେଇ ଯାଇଥିଲେ। କେବଳ ଏହି ରାସ୍ତା ନୁହେଁ ଆଗାମୀ ଦିନରେ ସହରର ଅନ୍ୟାନ୍ୟ ରାସ୍ତାରେ ବି ଉଚ୍ଛେଦ ହେବ ବୋଲି ମାଜିଟ୍ରେଟ୍ ଦାୟିତ୍ୱରେ ଥିବା ସଦର ଏଡିସନାଲ ତହସିଲଦାର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ତେବେ ଆଜିର ଏହି ଉଚ୍ଛେଦ ବେଳେ ପୌରପାଳିକାର କର୍ମଚାରଙ୍କ ସମେତ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲା।