Odiapua.com

ବାଲେଶ୍ୱର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ର‌୍ୟାଲି ଯୋଡ଼ିହେଲେ ବିଜେଡିର ବହୁ କର୍ମୀ-ସମର୍ଥକ

ବାଲେଶ୍ୱର, ୨୯ା୧୦(ଓଡ଼ିଆ ପୁଅ/ଅଭୟ ଦାସ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ସଦର ଉପ-ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ପ୍ରଚାର କରିବାକୁ ବାଲେଶ୍ୱର ନ ଆସି ଭର୍ଚୁଆଲ ର‌୍ୟାଲିରେ ଆଜି ଯୋଗ ଦେଇଛନ୍ତି। ସଦର ନିର୍ବାଚନମଣ୍ଡଳୀର ସିନ୍ଧିଆ, ଶ୍ରୀକୋଣା, ଆଙ୍କୋ, ଛାନୁଆ ପ୍ରଭୃତି ପଞ୍ଚାୟତ ସମେତ ବାଲେଶ୍ୱର ପୌରାଞ୍ଚଳରେ ବଡ଼ଖୁଆ ପଡ଼ିଆ, ସିଦ୍ଧି କଲ୍ୟାଣମଣ୍ଡପ, ଆଇଟିଆଇ ପଡ଼ିଆ ଓ ଗୋଡ଼ିପଦା ହନୁମାନମନ୍ଦିର ପଡ଼ିଆରେ ଆୟୋଜିତ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ବିଜେଡିର ହଜାର ହଜାର କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ର‌୍ୟାଲିରେ ଯୋଡ଼ି ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ସଦର ଉପ-ନିର୍ବାଚନରେ ବାଲେଶ୍ୱର ଆସିପାରି ନଥିବା ସେ କହିଥିଲେ। ତେବେ ବିଗତ ୨୨ ବର୍ଷ ମଧ୍ୟରେ ବାଲେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ ହେବା ସହ ଜନସାଧାରଣ ଏହାର ସୁଫଳ ପାଇଛନ୍ତି। ଆଗାମୀ ଦିନରେ ଏହି ବିକାଶର ଧାରାକୁ ଆଗକୁ ନେବା ପାଇଁ ତାଙ୍କ ଦ୍ୱାରା ମନୋନୀତ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଭରଚୁଆଲ ର‌୍ୟାଲି ଆୟୋଜନ ସ୍ଥଳରେ ବିଧାୟକ ପ୍ରାର୍ଥୀ ସ୍ୱରୂପ କୁମାର ଦାସଙ୍କ ଆଇନ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ରାଜ୍ୟ ବିଜେଡି ବରିଷ୍ଠ ଉପ-ସଭାପତି ବିଧାୟକ ଦେବୀପ୍ରସାଦ ମିଶ୍ର, ପୂର୍ବତନ ସାଂସଦ ତଥା ଜିଲା ସଭାପତି ରବୀନ୍ଦ୍ର କୁମାର ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ, କୁନା ତ୍ରିପାଠୀ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ଉମା ସାମନ୍ତରାୟ, ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ବିଧାୟକ ବିଭୂ୍‌ତି ଭୂଷଣ ବଳବନ୍ତରାୟ ପ୍ରମୁଖଙ୍କ ସମେତ ବହୁ ଆଗଧାଡ଼ିର ବିଜେଡି ନେତା ଉପସ୍ଥିତ ଥିଲେ। ବିଜେଡି କର୍ମୀ ଓ ସମର୍ଥକମାନେ ର‌୍ୟାଲିରେ ସେଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବାକୁ ଅପେକ୍ଷା କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ପୂର୍ବରୁ ସେଠରେ ଅନୁଷ୍ଠିତ ରଙ୍ଗାରଙ୍ଗ ମେଲୋଡ଼ି କାର୍ଯ୍ୟକ୍ରମକୁ ଲୋକେ ମନଭରି ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ଏହି ଭର୍ଚୁଆଲ ର‌୍ୟାଲି ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଜୟରେ ବେଶ୍ ସହାୟକ ହେବ ବୋଲି ଦଳୀୟ ନେତା ଓ ମନ୍ତ୍ରୀମାନେ ଆଶା ପ୍ରକାଶ କରିଛନ୍ତି।