Odiapua.com

ବାଲେଶ୍ୱର – ଜିଲ୍ଲାସ୍ତରୀୟ ସ୍ୱାଧୀନତା ଉତ୍ସବକୁ ଜନସାଧାରଣ-ସାମ୍ବାଦିକଙ୍କ ପ୍ରବେଶ ମନା

ବାଲେଶ୍ୱର, ୧୪-୮(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରଜ୍ୟ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗର ନିର୍ଦ୍ଦେଶ କ୍ରମେ କଟକଣା ମଧ୍ୟରେ ଚଳିତ ସ୍ୱାଧୀନତା ଦିବସ ପାଳନ ପାଇଁ ନିଷ୍ପତି ନିଆଯାଇଛି। ତେବେ ଆସନ୍ତା ୧୫ ତାରିଖ ଶନିବାର ସ୍ୱାଧୀନତା ଦିବସ ପାଳନ ପାଇଁ ସପ୍ତାହାନ୍ତ ସଟଡାଉନ୍ କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କୋହଳ କରାଯାଇଛି। ସେହିଦିନ ପୂର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ ଜିଲ୍ଲାବାସୀ ନିଜ ଘରେ ଏବଂ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିପାରିବେ। ତେବେ କୌଣସି ସ୍ଥାନରେ ୧୦ ଜଣରୁ ଅଧିକ ବ୍ୟକ୍ତି ବିଶେଷ ଏକତ୍ର ହୋଇପାରିବେ ନାହିଁ ଏବଂ କୋଭିଡି-୧୯ ନିୟମ ପାଳନ ଯଥା ସାମାଜିକ ଦୂରତା ରକ୍ଷା, ମାସ୍କ ବ୍ୟବହାର ଓ ଉପଯୁକ୍ତ ବିଶୋଧନ ପ୍ରତି ଗୁରୁତ୍ୱ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଅନ୍ୟପକ୍ଷରେ ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ପୁଲିସ ପ୍ୟାରେଡ୍ ପଡ଼ିଆରେ ୭୪ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ। ଏବର୍ଷ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂହ ବାଲେଶ୍ୱରର ଜାତୀୟ ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଉଛି। କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଜନସାଧାରଣ ଏମିତିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଏଥରର କାର୍ଯ୍ୟକ୍ରମକୁ ପ୍ରବେଶ ଅନୁମତି ଦିଆ ନ ଯିବାକୁ ନିଷ୍ପତି ନିଆଯାଇଛି। କାର୍ଯ୍ୟକ୍ରମ ଫଟୋଚିତ୍ର ଓ ଭିଡିଓ ଚିତ୍ର ମିଡିଆକୁ ପ୍ରଦାନ ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତମାନର ସଙ୍ଗୀନ କରୋନା ସ୍ଥିତିକୁ ଗୁରୁତ୍ୱ ଦେଇ ସରକାରଙ୍କ ନିୟମ ପାଳନ ପୂର୍ବକ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।