Odiapua.com

ବାଲେଶ୍ୱର ଖାନନଗର ହତ୍ୟାକାଣ୍ଡର କଟାମୁଣ୍ଡ ଛତାବରରୁ ଉଦ୍ଧାର

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଛତାବର ଛକରୁ ଆଜି ଅପରାହ୍ନରେ କଟାମୁଣ୍ଡ ବାଲେଶ୍ୱର ସଦର ଥାନା ପୁଲିସ ଉଦ୍ଧାର କରିଛି। ସହକାରୀ ଥାନାଅଧିକାରୀ ଇନିସପେକ୍ଟର ସଦାନନ୍ଦ ନାୟକ ଓ ମାମଲାର ତଦନ୍ତକାରୀ ଅଧିକାରୀ ବନବିହାରୀ ଶତପଥିଙ୍କ ନେତୃତ୍ୱରେ ପୁଲିସ ଦଳ ରାଜପଥର ପାଣିକୋଇଲି ଅଭୁମୁଖି ଛତାବର ଓଭରବ୍ରିଜର ବାମପାର୍ଶ୍ୱ ବାଇପାସ ରାସ୍ତା ଆରମ୍ଭ ଜନୈକ ଗ୍ୟାରେଜ ସମ୍ମୁଖ ରାଜପଥ ନଳା ମଧ୍ୟରୁ ଅଖା ଭର୍ତ୍ତି କଟାମୁଣ୍ଡକୁ ଉଦ୍ଧାର କରିଥିଲା। ପୁଲିସ ସାଥିରେ ଥିବା ଘଟଣାର ସହ ଅଭିଯୁକ୍ତ ନୟାଗଡ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ତେନ୍ତୁଳିଆପଲ୍ଲୀ ଗ୍ରାମର ଫକୀର ନାୟକ(୪୦) କଟାମୁଣ୍ଡ ପକାଇଥିବା ସ୍ଥାନ ଚିହ୍ନଟ କରିଥିଲା।

ସଂପୃକ୍ତ ସ୍ଥାନରେ ନଳା ଉପରେ ପଡିଥିବା ସ୍ଲାବ ଖସିପଡିଥିବା ସ୍ଥାନରେ କଟାମୁଣ୍ଡ ପକାଇଥିବା ସୂଚନା ଦେଇଥିଲା। ଅପରାହ୍ନରେ ପୁଲିସ ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳରେ ପହଞ୍ôଚ ଅନୁଧ୍ୟାନ କରିଥିବା ଜଣାଯାଇଛି। କଟାମୁଣ୍ଡ ନୟାଗଡ ଜିଲ୍ଲା ଇଟାମାଟି ଥାନା ସଙ୍ଗୋଇ ଗ୍ରାମର ମୃତ ଶ୍ରୀଧର ଦଳବେହେରା(୩୦)ର ବୋଲି ପୁଲିସ ସୂଚନା ଦେଇଛି। ମୁଖ୍ୟ ଅଭିଯୁକ୍ତ ଫକୀର ପତ୍ନୀ ସୁମିତ୍ରା(୩୫), ମୃତ ଶ୍ରୀଧର ବାଲେଶ୍ୱର ସଦର ଥାନା ଖାନନଗର ଅଞ୍ଚଳରେ ବସୁଧା ଯୋଜନା ପ୍ରକଳ୍ପରେ କାର୍ଯ୍ୟ କରିବା ସହ ସେଠାରେ ଅସ୍ତାୟୀ ଭାବେ ବସବାସ କରୁଥିଲେ। ସୁମିତ୍ରା ଓ ଶ୍ରୀଧର ମଧ୍ୟରେ ଅନୈତିକ ସମ୍ପର୍କ ଗଢିଉଠିବା ପରେ ବିବାଦର ସୂତ୍ରପାତ ହୋଇଥିଲା। ୫ ତାରିଖରେ ଶ୍ରୀଧର ସୁମିତ୍ରାଙ୍କୁ ମାରଧର କରିଥିଲା। ପରଦିନ ସୁମିତ୍ରା ପ୍ରତିଶୋଧ ପରାୟଣ ହୋଇ ଶ୍ରୀଧରକୁ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା। ଫକୀରକୁ ଡକାଇ କଟାମୁଣ୍ଡକୁ ନେଇ ଛତାବରରେ ପକାଇ ଦେଇଥିଲା।