Odiapua.com

ବାଲେଶ୍ୱର ଉପ-ନିର୍ବାଚନ ଫଳ : ବିଜେଡି ଦଖଲରେ ବିଜେପିର ଗଡ଼

ବାଲେଶ୍ୱର, ୧୦ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବହୁ ପ୍ରତିକ୍ଷିତ ବାଲେଶ୍ୱର ସଦର ଉପ-ନିର୍ବାଚନର ଫଳ ପ୍ରକାଶ ପାଇଥିବା ବେଳେ ବିଜେପି ଗଡ଼କୁ ବିଜେଡି ଦଖଲ କରିବାରେ ସକ୍ଷମ ହୋଇଛି। ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ସର୍ବାଧିକ ୮୪ ହଜାର ୦୯୭ ଖଣ୍ଡ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ମାନସ କୁମାର ଦତ୍ତଙ୍କୁ ୧୩ ହଜାର ୩୫୧ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ସକାଳ ୭ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ଷ୍ଟ୍ରଂ ରୁମ୍‌ରେ ଇଭିଏମ ଥିବା ବନ୍ଦ କୋଠରୀର ସିଲ୍‌ଦ୍ୱାର ମୁକ୍ତ କରାଯାଇଥିଲା। ୮ଟାରେ ପ୍ରଥମେ ପୋଷ୍ଟାଲ ବ୍ୟାଲଟ ଗଣତି ହୋଇଥିଲା। ମୋଟ ୧୬୬୦ ପୋଷ୍ଟାଲ ଭୋଟରୁ ବିଜେଡିକୁ ୬୬୦, ବିଜେପିକୁ ୫୩, କଂଗ୍ରେସକୁ ୭୨, ସ୍ୱାଧୀନ ପ୍ରାର୍ଥୀଙ୍କୁ ୬ ଖଣ୍ଡ ଓ ନୋଟାରେ ୫ ଖଣ୍ଡ ଭୋଟ ମିଳିଥିଲା। ଏଥି ସହିତ ୩୭୮ ଖଣ୍ଡ ଭୋଟ ନାକଚ ହୋଇଥିବା ଜଣାପଡ଼ିଛି। ୮ଟା ୩୦ରୁ ଦୁଇଗୋଟି ହଲରେ ମୋଟ ୧୪ ଗୋଟି ଟେବୁଲରେ ଇଭିଏମ ଗଣତି ଆରମ୍ଭ ହୋଇଥିଲା। ପ୍ରଥମ ରାଉଣ୍ଡରୁ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କଠାରୁ ୬୧୫ ଖଣ୍ଡ ଭୋଟରେ ଆଗେଇଥିଲେ। ଏହିଧାରା ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା। ଗଣତି ହୋଇଥିବା ମୋଟ ୨୫ ରାଉଣ୍ଡ ମଧ୍ୟରୁ ୩/୪ ରାଉଣ୍ଡରେ ବିଜେପି ସାମାନ୍ୟ ଅଧିକ ଭୋଟ ପାଇଥିଲେ ବି ବାକି ସମସ୍ତ ରାଉଣ୍ଡରେ ବିଜେଡିକୁ ଅଧିକ ଭୋଟ ମିଳିଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଉପ-ନିର୍ବାଚନରେ ମୋଟ ୧ ଲକ୍ଷ ୬୨ ହଜାର ୩୩୯ ଜଣ ଭୋଟର ମତଦାନ କରିଥିବା ବେଳେ ତନ୍ମଧ୍ୟରୁ ବିଜେଡିର ସ୍ୱରୂପ ଦାସଙ୍କୁ ୮୪, ୦୯୭, ବିଜେପିର ମାନସ କୁମାର ଦତ୍ତଙ୍କୁ ୭୦, ୭୪୬, କଂଗ୍ରେସର ମମତା କୁଣ୍ଡୁଙ୍କୁ ୪, ୯୮୩ ଖଣ୍ଡ, ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ୧୨୫୫, ସ୍ୱାଧୀନ ପ୍ରାର୍ଥୀ ଭାଗ୍ୟ ଉଦିତ୍ ଦାସପଟ୍ଟନାୟକଙ୍କୁ ୩୧୨, ସ୍ୱାଧୀନ ପ୍ରାର୍ଥୀ ମହମ୍ମଦ ନୁମାୟୁନ୍ ଖାଁଙ୍କୁ ୨୪୬ ଖଣ୍ଡ ଭୋଟ ମିଳିଥିବା ବେଳେ ନୋଟାରେ ୭୦୦ ଜଣ ଭୋଟ ଦେଇଥିଲେ। ତ୍ରସ୍ତରୀୟ ନିରାପତ୍ତା ବଳୟ ମଧ୍ୟରେ ବେଶ୍ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗଣତି କାର୍ଯ୍ୟ ସମ୍ପନ୍ନ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ତେବେ ଫଳାଫଳ ଘୋଷଣା ପୂର୍ବରୁ ବିଜେଡି କର୍ମୀ ମହଲରେ ଖୁସୀର ଲହରୀ ଖେଳିଯାଇଥିଲା। ଅନ୍ୟପକ୍ଷରେ ଏହି ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବୋଲି ସ୍ୱରୂପ ଦାସ କହିଛନ୍ତି। ବାଲେଶ୍ୱର ବିକାଶକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଭରସା କରି ବାଲେଶ୍ୱରବାସୀ ତାଙ୍କୁ ନିର୍ବାଚିତ କରିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।