Odiapua.com

ବାଲେଶ୍ୱରର ବିକାଶ ପାଇଁ ବିଜେପି ହିଁ ଏକମାତ୍ର ବିକଳ୍ପ : ଦଳୀୟ ପ୍ରାର୍ଥୀ ମାନସଙ୍କ ପାଇଁ ରାଜ୍ୟ ସଭାପତିଙ୍କ ଦମଦାର ପ୍ରଚାର

ବାଲେଶ୍ୱର, ୨୦ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ବାଲେଶ୍ୱର ସଦର ଉପ-ନର୍ବାଚନର ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ପାଇଁ ଦଳୀୟ କର୍ମକର୍ତ୍ତାଙ୍କ ପକ୍ଷରୁ ପ୍ରଚାର କ୍ରମଶଃ ଜୋରଦାର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀ ମାନସଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିବା ଦେଖିବାକୁ ମିଳିିଛି। ଶ୍ରୀ ମହାନ୍ତି ବାଲେଶ୍ୱର ସହରର ଗୋଳା ପୋଖରୀଠାରୁ ଆରମ୍ଭ କରି ଟାଉନ ଥାନା ଦେଇ ସିନେମା ଛକ ପର୍ଯ୍ୟନ୍ତ କ୍ୟାମ୍ପେନିଂ ସହ ପ୍ରାର୍ଥୀ ମାନସଙ୍କ ପାଇଁ ଭୋଟଭିକ୍ଷା କରିଥିଲେ। ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ ୨୨ ବର୍ଷ ଧରି ଶାସନରେ ଥିବା ନବୀନ ସରକାର ଲୋକଙ୍କୁ କିପରି ଠକିଚାଲିଛନ୍ତି, ସେ ସମ୍ପର୍କରେ ତୀବ୍ର ସମାଲୋଚନା କରିଥିଲେ। କେବଳ ନିର୍ବାଚନ ସମୟରେ ବିଜେଡି ସରକାର ଲୋକଙ୍କୁ ଭୁଆଁ ବୋଲାଇବା ପାଇଁ ବିଭିନ୍ନ ଯୋଜନା ଘୋଷଣା କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହେଉନାହିଁ। ଅନ୍ୟପକ୍ଷରେ ଦଳୀୟ ପ୍ରିୟାପ୍ରୀତି ତୋଷଣ ଯୋଗୁଁ ପ୍ରକୃତ ହିତାଧିକାରୀଙ୍କୁ ଯୋଜନାର ସୁଫଳ ନମିଳିବା ଯୋଗୁଁ ଲୋକେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଆରୋପ ଉଠାଇଥିଲେ। କୋରୋନା ମୁକାବିଲା ପାଇଁ ଗଠିତ ସଙ୍ଗରୋଧ କେନ୍ଦ୍ରମାନଙ୍କର ଅବ୍ୟବସ୍ଥା ସୀମା ଟପିଗଲା, ବିନା ରୋଜଗାରରେ ପ୍ରବାସୀ ଡହଳ-ବିକଳ ହେଲେ। ହେଲେ ଶୁଣିବାକୁ କେହି ନଥିଲେ। ସାଧାରଣ ଲୋକଙ୍କୁ ଚିକିତ୍ସା ସୁବିଧା ମିଳିବା ଏକ ପ୍ରକାର ଦୁଃସ୍ୱପ୍ନ ହେଇଯାଇଛି। ଜନସାଧାରଣଙ୍କ ସମସ୍ୟାର ସମାଧାନ ପରିବର୍ତ୍ତେ ପ୍ରଶାସନିକ ଅଧିକାରୀଙ୍କୁ ନିର୍ବାଚନ ପ୍ରଚାରରେ ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କ୍ଷୋଭର ସହ ପ୍ରକାଶ କରିଥିଲେ। ସରକାରୀ କର୍ମଚାରୀ ମାନେ ଜନସାଧାରଣଙ୍କ ମଙ୍ଗଳ ପାଇଁ ହେଉଥିବା ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିଜ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବା ଉଚିତ ବୋଲି ଶ୍ରୀ ମହାନ୍ତି କହିଥିଲେ। ସାମ୍ପ୍ରତିକ ସ୍ଥିତିରେ ବିଜେଡି ସରକାରରେ ବୃଦ୍ଧି ପାଇଥିବା ଦୁର୍ନୀତି ଓ ପ୍ରତିଟି ଯୋଜନାରେ ହେଉଥିବା ପାତରଅନ୍ତ ନୀତିରୁ ଉପେକ୍ଷିତ ଲୋକଙ୍କୁ ରକ୍ଷା କରିବା ତଥା ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ବିକାଶ କାର୍ଯ୍ୟକୁ ଆଗେଇନେବା ପାଇଁ ଏକମାତ୍ର ବିକଳ୍ପ ଭାବେ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ସୁପୁତ୍ର ମାନସ କୁମାର ଦତ୍ତଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେବା ପାଇଁ ଶ୍ରୀ ମହାନ୍ତି ନିବେଦନ କରିଥିଲେ। ବିଜେପି ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ବିଜେପିର ବହୁ ରାଜ୍ୟ ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମାନସ କୁମାର ଦତ୍ତଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଥିଲେ। ନଗର ସଭାପତି ଚିତରଞ୍ଜନ ପଣ୍ଡା, ସମିତି ସଭ୍ୟ ରବିନାରାୟଣ ମହାପାତ୍ର, ସୀତାକାନ୍ତ ସ୍ୱାଇଁ, ବିଭୂପଦ ଦାସ ପ୍ରମୁଖ ପ୍ରଚାର କାର୍ଯ୍ୟ ପରିଚାଳନା କରିଥିଲେ। ସେହିଭଳି ବରଗଡ଼ ସାଂସଦ ସୁରେଶ ପୂଜାରୀ ବାଲେଶ୍ୱରରେ ପହଞ୍ଚି ରୂପସା ଅଞ୍ଚଳର ବିଭିନ୍ନ ପଞ୍ଚାୟତ ବୁଲି ୧୦ରୁ ଅଧିକ ପଥପ୍ରାନ୍ତ ସଭାରେ ଯୋଗଦେଇଛନ୍ତି। ନୂଆ ଭାବେ ରାଜନୀତିରେ ପଦଥୋଇ ବିଜେପିର ଯୁବପ୍ରାର୍ଥୀ ମାନସଙ୍କୁ ବିଜେଡିର ଏତେ ଭୟ କାହିଁକି ବୋଲି ପ୍ରଶ୍ନ କରିଥିଲେ। ବାଲେଶ୍ୱର ଉପ-ନିର୍ବାଚନ ପାଇଁ ସଚିବାଳୟକୁ ଖାଲି ପକାଇ ସମସ୍ତ ମନ୍ତ୍ରୀଙ୍କୁ ଶାସକଦଳ ଏହି ନିର୍ବାଚନ ପ୍ରଚାରରେ ଲଗାଇବା କେତେ ଯଥାର୍ଥ ବୋଲି ସେ କଟାକ୍ଷ କରିଥିଲେ। ଏହି ପଥପ୍ରାନ୍ତ ସଭାମାନଙ୍କରେ ଲୋକଙ୍କ ଆଶାତୀତ ଭିଡ଼ ପରିଲକ୍ଷିତ ହୋଇଥିଲା।