Odiapua.com

ବାଲେଶ୍ୱରର ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ବିଶାଳ ଦେବଙ୍କ ସମୀକ୍ଷା

ବାଲେଶ୍ୱର, ୩୦ା୮(ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲାର ସବୁ ନଦୀର ଜଳସ୍ତର କମିବା ସହ ବନ୍ୟାସ୍ଥିତି ଟଳି ଯାଇଥିଲେ ବି ବନ୍ୟା ଦୁର୍ଗତଙ୍କ ଅବସ୍ଥା ପରଖିବା ଓ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ ପାଇଁ ରାଜ୍ୟ କ୍ରୀଡ଼ା ଓ ଯୁବ ବିକାଶ ବିଭାଗ ସଚିବ ବିଶାଳ ଦେବ ଆଜି ବାଲେଶ୍ୱରରେ ପହଞ୍ଚିଛନ୍ତି। ସେ ବନ୍ୟାଞ୍ଚଳ ଓ ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରିବା ସହତି ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସଚିବ ଶ୍ରୀ ଦେବ ପ୍ରଥମେ ବୁଢ଼ାବଳଙ୍ଗ ନଦୀ ଅବବାହିକାସ୍ଥିତ ନଗ୍ରମ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଦେଖିଥିଲେ। ପରେ ମଥାନି ଓ ସୁୁବର୍ଣ୍ଣରେଖା ନଦୀ ଅବବାହିକାସ୍ଥିତ ବିଭିନ୍ନ ବ୍ଲକ ଅଞ୍ଚଳ ବୁଲି ଲୋକଙ୍କ ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ଏମିତିକି ଅଦ୍ୟାବଧି ବିଭିନ୍ନ ଆଶ୍ରୟସ୍ଥଳରେ ରହିଥିବା ତଳିଆ ଅଞ୍ଚଳର ଲୋକଙ୍କ ସମସ୍ୟା ସମ୍ପର୍କରେ ସେ ପଚାରି ବୁଝିଥିଲେ। ପରେ ସର୍କିଟ ହାଉସରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ସଚିବ ଶ୍ରୀ ଦେବ ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ବନ୍ୟାବେଳ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ପରିଚାଳନା ଉପରେ ସେ ସମୀକ୍ଷା କରିଥିଲେ। ତେବେ ଚଳିତ ବନ୍ୟାସ୍ଥିତିକୁ ପରିଚାଳନାରେ ପ୍ରଶାସନର ସମୟୋପଯୋଗୀ ପଦକ୍ଷେପକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ।ଏହି ବନ୍ୟାରେ ଜିଲ୍ଲାର ମୋଟ ୮୨ ଗୋଟି ଗ୍ରାମର ୩୦ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୪୫ ଗୋଟି ଆଶ୍ରୟସ୍ଥଳ ବ୍ୟବହାର କରାଯାଇଥିଲା। ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରୁ ମୋଟ ୨୫ ଶହ ଲୋକଙ୍କୁ ଉଦ୍ଧାର ସହ ଆଶ୍ରୟସ୍ଥଳରେ ରଖାଯାଇଥିଲା। ସମ୍ପ୍ରତି ବଡ଼ିପାଣି କମିବା ସହ ଲୋକେ ନିଜ ନିଜର ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଆହୁରି ୮ଶହ ଲୋକ ଅଦ୍ୟାବଧି ଆଶ୍ରୟସ୍ଥଳରେ ଥିବା ସଚିବ ଶ୍ରୀ ଦେବ ସୂଚନା ଦେଇଛନ୍ତି। ତେବେ ବନ୍ୟାପରବର୍ତ୍ତୀ ପାନୀୟ ଜଳ ଓ ପରିମଳ ସମସ୍ୟା ସମାଧାନ ପାଇଁ ଆରଡବ୍ଲ୍ୟୁଏସଏସ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଥିବା ବେଳେ ସମ୍ଭାବ୍ୟ ଡେଙ୍ଗୁ ଓ ଡାଇରିଆ ପ୍ରଭୃତିକୁ ନେଇ ପ୍ରଶାସନ ଅଗତୁରା ପଦକ୍ଷେପ ନେଇଛି ବୋଲି ଶ୍ରୀ ଦେବ କହିଛନ୍ତି। ତେବେ ବନ୍ୟା ସମୟରେ ଓ ବନ୍ୟା ପରବର୍ତ୍ତୀ ପ୍ରଶାସନର ପଦକ୍ଷେପ ସନ୍ତୋଷଜନକ ଥିବା ସେ କହିଛନ୍ତି। ଜିଲ୍ଲାର ବନ୍ୟା ପରିସ୍ଥିତି ପରିଚାଳନା ଓ ହୋଇଥିବା କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରସ୍ତୁତ ସହ ସେ ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି ସଚିବ ଶ୍ରୀ ଦେବ ସୂଚନା ଦେଇଛନ୍ତି। ଆଜିର ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ନାୟକ, ବାଲେଶ୍ୱର ଉପ-ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସଚିବଙ୍କୁ ବନ୍ୟା ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ।