Odiapua.com

ବାଲେଶ୍ୱରର କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୩ ଅନଲକ୍‌-୧ ପରବର୍ତ୍ତୀ ନିର୍ଦ୍ଦେଶକୁ ନେଇ ଉତ୍ସୁକତା

ବାଲେଶ୍ୱର, ୨୪ା୬ (ଓଡ଼ିଆ ପୁଅ/ଅଭୟ ଦାସ) : ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲଥିବା କରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ଉଦବେଗର ବିଷୟ ହୋଇଥିବା ବେଳେ ଶେଷ ହୋଇ ଆସୁଥିବା ସରକାରଙ୍କ ଅନଲକ୍‌-୧ର ଅବଧି ପରର ପଦକ୍ଷେପକୁ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି। ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୨୮୨ଜଣଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୫୭୫୨ଛୁଇଁଥିବା ବେଳେ ଅନୁରୂପ ଭାବେ ଓଡ଼ିଶାରେ ଅରୋଗ୍ୟ ହାର ମଧ୍ୟ ବୃଦ୍ଧି ଅପାଇଛି। ଅଜି ୩୧୫ ଜଣଙ୍କୁ ମିଶାଇ ଏବେ ସୁଦ୍ଧା ୪୧୨୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଅଦ୍ୟାବଧି ରାଜ୍ୟରେ ମୋଟ ୧୭ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ନେଇ ସରକାରୀ ସ୍ତରରେ ସୂଚନା ଦିଆଯାଉଥିଲେ ବି କରୋନା ସଂକ୍ରମିତ ଥାଇ ଅନ୍ୟରୋଗରେ ଏବେ ମୋଟ୍ ୧୬୦୫ ଜଣ ସଂକ୍ରମିତ ଏବେ ଚିକିତ୍ସିତ ହେଉଛନ୍ତି। ସେହିଭଳି ବାଲେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ମଧ୍ୟ ଜିଲ୍ଲା ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଆଜି ନୂଆ ଚିହ୍ନଟ ୩ ପଜିଟିଭ୍‌ଙ୍କୁ ମିଶାଇ ଜିଲ୍ଲାରେ ସକ୍ରମିତଙ୍କ ସଂଖ୍ୟା ୩୨୩ ରେ ପହଞ୍ଚିଛି। ଅଦ୍ୟାବଧି ଜିଲ୍ଲାରେ ଆଜି ୭ ଜଣଙ୍କୁ ମିଶାଇ ଆଜି ସୁଦ୍ଧା୨୧୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୦୭ଜଣ ଏକ୍ଟିଭ୍ କରୋନା ସଂକ୍ରମିତଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ୪ଟି ପର୍ଯ୍ୟାୟ ଲକ୍ ଡାଉନ୍ ପରେ ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଅନଲକ୍‌-୧ର ଅବଧି ଆସନ୍ତା ୩୦ ତାରିଖରେ ଶେଷ ହେଉଛି। ଜୁଲାଇ ୧ ତାରିଖରୁ କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଆଉ କେଉଁ ନିର୍ଦ୍ଦେଶ ଆସିବ ତାହାକୁ ନେଇ ସବୁଠି ଉତ୍ସୁକତା ବୃଦ୍ଧି ପାଇଛି। ଧର୍ମୀୟ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଥିବା ବେଳେ ସାମାଜିକ, ସାଂସ୍କୃତିକ, ରାଜନୈତିକ କାର୍ଯ୍ୟକ୍ରମ ସବୁକୁ ମଧ୍ୟ ବନ୍ଦ କରାଯାଇଛି। ତେବେ ଜୁଲାଇ ମାସରେ ବ୍ୟାନ୍ ଥିବା ଅନୁଷ୍ଠାନ ଖୋଲିବ କି ନାହିଁ ତାହାକୁ ନେଇ ଆଶା ଓ ଆଶଙ୍କାରେ ଜନସାଧାରଣ ରହିଥିବା ଜଣାପଡ଼ିଛି। ତେବେ କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷାକୁ ଗୁରୁତ୍ୱ ଦେବାକୁ ସବୁ ମହଲରୁ ନିବେଦନ କରାଯାଇଛି।