Odiapua.com

ବାଲେଶ୍ୱରରେ ୬୧ତମ ପୁଲିସ ଶହୀଦ ଦିବସ

ବାଲେଶ୍ୱର, ୨୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ଜିଲ୍ଲା ପୁଲିସ ପକ୍ଷରୁ ୬୧ତମ ପୁଲିସ ଶହୀଦ୍ ଦିବସ ସହରର ପୁଲିସ ଲାଇନ୍ ରିଜର୍ଭ ପଡ଼ିଆରେ ଆଜି ପାଳିତ ହୋଇଯାଇଛି। ପୂର୍ବଞ୍ଚଳ ଜୋନ୍ ପୁଲିସ ଆଇଜି ଦୀପ୍ତେଶ ପଟ୍ଟନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶହୀଦ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋକପାତ କରିଥିଲେ। କର୍ତ୍ତବ୍ୟନିଷ୍ଟ କାର୍ଯ୍ୟଧାରା ପୁଲିସକୁ ସାଧାରଣରେ ପ୍ରଶଂସାଭାଜନ ସହ ମହନିୟତାକୁ ପ୍ରତିପାଦିତ କରିଥିବା ସେ ପ୍ରକାଶ କରିଥିଲେ। ୧୯୫୯ ମସିହାର ଅକ୍ଟୋବର ୨୧ ତାରିଖରେ ଚୀନ୍ ସୈନ୍ୟଙ୍କ ଅତର୍କିତ ଆକ୍ରମଣରେ ଭାରତର ଏକାଳୀନ ୧୧ ଜଣ ସିଆରପିଏଫ ସୈନ୍ୟ ମୃତ୍ୟୁ ବରଣ କରିଥିଲେ। ସ୍ମୃତିରକ୍ଷା ସହ ଶହୀଦଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ ଉଦ୍ଦେଶ୍ୟରେ ୧୯୬୦ ମସିହାଠାରୁ ପ୍ରତିବର୍ଷ ଏହି ଦିନକୁ ଶହୀଦ ଦିବସ ରୂପେ ପାଳନ କରାଯାଉଥିବା ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ୨୦୧୯ ରୁ ୨୦୨୦ ମସିହା ମଧ୍ୟରେ ଅର୍ଥାତ ଗୋଟିଏ ବର୍ଷରେ ଭାରତର ବିଭିନ୍ନ ରାଜ୍ୟରେ ମୋଟ ୨୬୪ ଜଣ କର୍ତ୍ତବ୍ୟରତ ପୁଲିସଙ୍କର ମୃତ୍ୟୁ ହୋଇଥିବା ସେ ସୂଚନା ଦେଇଥିଲେ। ତେବେ ଏଥିରେ କରୋନା ଓ ଅନ୍ୟାନ୍ୟ ଘଟଣାକ୍ରମରେ ଓଡ଼ିଶାରୁ ମୋଟ ୪୧ ଜଣ ଶହୀଦ ହୋଇଥିବା ସେ କହିଥିଲେ। ତନ୍ମଧ୍ୟରୁ ପୂର୍ବାଞ୍ଚଳ ଜୋନର ମୟୁରଭଂଜର ଏଡିସନାଲ ଏସପି ଅଶୋକ କୁମାର ପଟ୍ଟନାୟକଙ୍କ ସମେତ ୨ ଜଣ ପୁଲିସ କର୍ମଚାରୀ ରହିଥିବା ଆଇଜି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ। ଏହି ଅବସରରେ ଆଇଜି ଶ୍ରୀ ପଟ୍ଟନାୟକ, ଏସପି ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ନାୟକ, ଏଡିସନାଲ ଏସପି ଦୀପକ କୁମାର ରଥ, ଗୋବିନ୍ଦ ଚନ୍ଦ୍ର ସେଠୀ, ଅମରେଶ ପାଣିଗ୍ରାହୀ ଓ ମନୋରଂଜନ ସାମାଲ ପ୍ରମୁଖଙ୍କ ସମେତ ଡିଏସପି ମନୋଜ କୁମାର ରାଉତ, ଉମେଶ କୁମାର ପଣ୍ଡା, ସଂଗ୍ରାମ କେଶରୀ ବେହେରା ଓ ରବୀନ୍ଦ୍ର କୁମାର ସେଠୀ, ଇନସ୍ପେକ୍ଟର ଶୁଭ୍ରାଂଶୁ ଶେଖର ନାୟକ, କୃଷ୍ଣଚନ୍ଦ୍ର ପଲେଇ, କ୍ଷମାସାଗର ପଣ୍ଡା ଓ ମୀନତି ବିଶ୍ୱାଳ ଏବଂ ଜିଲ୍ଲା ପୁଲିସର ବହୁ ବିରଷ୍ଠ ଅଧିକାରୀ ଶହୀଦ୍ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦିବଂଗତ ଆତ୍ମାଙ୍କପ୍ରତି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ପୁଲିସଙ୍କ ଦ୍ୱାରା ପ୍ରଦର୍ଶନ ପ୍ୟାରେଡ଼୍‌କୁ ଆରଆଇ ଦିଲ୍ଲୀପ କୁମାର ସାମନ୍ତରାୟ ପରିଚାଳନା କରିଥିଲେ।