Odiapua.com

ବାଲେଶ୍ୱରରେ ସାଂସଦ ଅପରାଜିତାଙ୍କ ତୁଫାନୀ ପ୍ରଚାର

ବାଲେଶ୍ୱର, ୨୨ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ତାରକା ପ୍ରଚାରାକ ଭାବେ ବାଲେଶ୍ୱର ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଆଜି ଜୋରଦାର ପ୍ରଚାର କରିଛନ୍ତି। ବାଲେଶ୍ୱର ପହଞ୍ଚିବା ପରେ ସେ ପ୍ରାର୍ଥୀ ମାନସଙ୍କ ସହ ବିଭିନ୍ନ ପଞ୍ଚାୟତକୁ ଯାଇ ଡୋର କ୍ୟାମ୍ପେନିଂ ମାଧ୍ୟମରେ ଭୋଟ ଭିକ୍ଷା କରିବା ସହ ଏକାଧିକ ପଥପ୍ରାନ୍ତ ସଭାରେ ଯୋଗ ଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି। ଅପରାହ୍ନରେ ବାଲେଶ୍ୱର ପୌରାଞ୍ଚଳର ଏକାଧିକ ୱାର୍ଡ଼ରେ ପଦଯାତ୍ରା ସାଙ୍ଗକୁ ଆୟୋଜିତ ବୈଠକରେ ଯୋଗଦେଇଛନ୍ତି। ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କ୍ଷୋଭ ପ୍ରକାଶ ସହ ବାଲେଶ୍ୱରରେ ବିକାଶ ନାମରେ ଲୋକଙ୍କୁ ଠକି ଦିଆଯାଇଥିବା ସେ ଆରୋପ ଉଠାଇଛନ୍ତି। ସବୁକ୍ଷେତ୍ରରେ ଲୋକଙ୍କୁ ମୌଳିକ ସେବା ପ୍ରଦାନରେ ବିଫଳ ହୋଇଥିବା ଶାସକଦଳର ମିଥ୍ୟା ପ୍ରଲୋଭନରେ ଆଉ ଭରସା ନ କରିବାକୁ ସେ ଜନସାଧାରଣଙ୍କୁ କହିଛନ୍ତି। ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଆଦର୍ଶ ଓ ଲୋକାଭିମୁଖୀ ଯୋଜନାକୁ ଗୁରୁତ୍ୱ ଦେଇ ଚଳିତ ନିର୍ବାଚନରେ ମାନସ ଦତ୍ତଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେବା ପାଇଁ ଶ୍ରୀ ଷଡ଼ଙ୍ଗୀ ନିବେଦନ କରିଛନ୍ତି।