Odiapua.com

ବାଲେଶ୍ୱରରେ ‘ଶିଳ୍ପ ହେପାଜତ ପ୍ରଚେଷ୍ଟା’ ସମ୍ପର୍କିତ ସମୀକ୍ଷା: ଶିଳ୍ପାୟନ ଓ ନୂତନ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ

ବାଲେଶ୍ୱର, ୨୩ା୩(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲାର ଶିଳ୍ପ ବିକାଶ ସମ୍ପର୍କିତ ଏକ ସମୀକ୍ଷା ବୈଠକ ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଏଥିରେ ଯୋଗଦେଇ ଜିଲାର ଶିଳ୍ପ ଭିତ୍ତିଭୂମି ଓ ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ ସମୀକ୍ଷା କରିବା ସହ ଶିଳ୍ପପତି ଏବଂ ଉଦ୍ୟୋଗୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ପୂର୍ବାହ୍ନରେ ଶ୍ରୀ ତ୍ରିପାଠୀ ସୋମନାଥପୁର ଶିଳ୍ପାଂଚଳ ଯାଇ ଭିତ୍ତିଭୂମି ସ୍ଥିତି ପରିଖିବା ସହ ସେଠାରେ କାର୍ଯ୍ୟକ୍ଷମ ଥିବା ଶିଳ୍ପାନୁଷ୍ଠାନ ମଧ୍ୟ ପରିଦର୍ଶନ କରିଥିଲେ। ପରେ ଶ୍ରୀ ତ୍ରିପାଠୀଙ୍କ ସମେତ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଇପିକଲ ପରିଚାଳନା ନିର୍ଦ୍ଦେଶକ ନୀତିନ ଭାନୁଦାସ ଜୱାଲେ ଏବଂ ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଗହଣରେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ସ୍ଥିତ ବିଭିନ୍ନ ବଡ, ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ନୋସି ବିଜନେସ ପାର୍କରେ ଆୟୋଜିତ ଆଲୋଚନା ସଭାରେ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଶିଳ୍ପ ହେପାଜତ ପ୍ରଚେଷ୍ଟାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଳ୍ପାୟନର ଦୃଢୀକରଣ ଏବଂ ନୂତନ ନିଯୁକ୍ତି ସୃଷ୍ଟି। ଏହି ପ୍ରକ୍ରିୟା ମାଧ୍ୟମରେ ଉଦ୍ୟୋଗପତିଙ୍କୁ ନୂଆ ଶିଳ୍ପ ସହାୟକ ନୀତିନିୟମ ଓ ବ୍ୟବସାୟ ଅନୁକୂଳ ବ୍ୟବସ୍ଥା ବିଷୟରେ ସଚେତନ କରାଯିବା ସହ ଆଲୋଚନା ମାଧ୍ୟମରେ ସେମାନଙ୍କ ସମସ୍ୟାଗୁଡିକୁ ଅଗ୍ରାଧିକାର ଭିତିରେ ସମାଧାନ କରାଯିବ। ବିଭିନ୍ନ ଜିଲାରେ ଶିଳ୍ପ ପ୍ରତିଷ୍ଠାକୁ ସରଳ ଓ ସୁଗମ କରିବା ସହ ପ୍ରତିଷ୍ଠା ହୋଇଥିବା ଶିଳ୍ପର କ୍ରମବୃଦ୍ଧି ମଧ୍ୟ ଏହି ପ୍ରଚେଷ୍ଟାର ଅନ୍ୟ ଏକ ମୁଖ୍ୟ ଲକ୍ଷ୍ୟ। ଉଦ୍ୟୋଗୀମାନଙ୍କୁ ନୂତନ ଜ୍ଞାନକୌଶଳ ବିଷୟରେ ଅବଗତ କରାଇବା ଏବଂ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ଦେବା ଦିଗରେ ମଧ୍ୟ ଏହି ‘ଇଣ୍ଡଷ୍ଟ୍ରି କେୟାର ବ୍ୟବସ୍ଥା’ ସହାୟକ ହେବ ବୋଲି ସେ କହିଥିଲେ। ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ରାଜ୍ୟରେ ନିଆଯାଇଥିବା ବିଭିନ୍ନ ଶିଳ୍ପ ଓ ବ୍ୟବସାୟ ଅନୁକୂଳ ବ୍ୟବସ୍ଥା ବିଷୟରେ ସବିଶେଷ ସୂଚନା ଦେଇଥିଲେ। ଶିଳ୍ପ ପ୍ରତିଷ୍ଠା ପାଇଁ ଉପଲବଧ ଥିବା ବିଭିନ୍ନ ସହାୟତା ଓ ପ୍ରୋତ୍ସାହନ ବିଷୟରେ ମଧ୍ୟ ଅବଗତ କରାଇଥିଲେ। ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନୀତିନ ଭାନୁଦାସ ଜୱାଲେ ଜିଲ୍ଲା ପୁଞ୍ଜିନିବେଶ ପ୍ରୋତ୍ସାହନ ସଂସ୍ଥା ( ଡିଷ୍ଟ୍ରିକ୍ଟ ଇନଭେଷ୍ଟମେଂଟ ପ୍ରମୋସନ ଏଜେନ୍ସି )ର ଗଠନ ଏବଂ କାର୍ଯ୍ୟ ବିଷୟରେ ଉଦ୍ୟୋଗୀମାନଙ୍କୁ ଜଣାଇଥିଲେ। ଉତର ଓଡିଶା ଚାମ୍ବର ଅଫ କମର୍ସ ଏବଂଇଣ୍ଡଷ୍ଟ୍ରିର କାର୍ଯ୍ୟନିର୍ବାହୀ ସଦସ୍ୟ ସି.ପି.ଭରତିଆ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପମାନଙ୍କ ସମସ୍ୟା ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ପ୍ରାୟ ୧୫୦ଟି ବୃହତ୍‌, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପ୍ରତିନିଧିମାନେ ଯୋଗ ଦେଇ ଜିଲ୍ଲାରେ ଶିଳ୍ପ ବିକାଶ ପାଇଁ ରହିଥିବା ସୁଯୋଗ ଓ କ୍ଷେତ୍ରସ୍ତରୀୟ ସମସ୍ୟାଗୁଡିକ ଉପରେ ଆଲୋକପାତ କରିଥିଲେ। ବିଶେଷକରି ଜମି, ଭୂତଳ ଜଳର ବ୍ୟବହାର ନିମନ୍ତେ ବିଭିନ୍ନ ଅନୁମତି ପ୍ରଦାନ, ଲାଇସେନସ ନବୀକରଣ, ଶିଳ୍ପାନୁଷ୍ଠାନକୁ ଥିବା ରାସ୍ତାର ପ୍ରଶସ୍ତୀକରଣ, ଜଳଯୋଗାଣ ସମ୍ବନ୍ଧିତ କ୍ଷେତ୍ରସ୍ତରୀୟ ସମସ୍ୟା ସମ୍ପର୍କରେଏଥିରେ ଆଲୋଚନା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ବୈଠକରେ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ସେ ସବୁ ସମସ୍ୟାର ଆଶୁ ସମାଧାନ ଉପାୟ ସ୍ଥିର କରିଥିଲେ। ରାଜ୍ୟ ସରକାରଙ୍କ ଏହି ‘ଇଣ୍ଡଷ୍ଟ୍ରି କେୟାର ପ୍ରଚେଷ୍ଟା’ର ପ୍ରଶଂସା କରିବା ସହ ଏହା ବେଶ ଉପାଦେୟ ହେବ ବୋଲି ନୋସିର ସଭାପତି ଏସ.କେ.ଖେତାନ, ବରିଷ୍ଠ ସଦସ୍ୟ ଅମିତ ବେହେରା ମତ ଦେଇଥିଲେ। ଏହି ଅବସରରେ ବାଲେଶ୍ୱରର ‘ସମ୍ଭାବ୍ୟ ଆର୍ଥିକ କାର୍ଯ୍ୟକଳାପ’ ବିଷୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲାମ, ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଭଦ୍ରକ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ, ବାଲେଶ୍ୱର ଜିଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ସତ୍ୟାନନ୍ଦ ପଟ୍ଟନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ, ବ୍ୟାଙ୍କ ପ୍ରତିନିଧି ଓ ଶିଳ୍ପାନୁଷ୍ଠାନ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ରହିଥିବା ପ୍ରାକୃତିକ ସମ୍ପଦ ଓ ମାନବ ସମ୍ବଳ ଆଦି ଭିତିରେ ନୂତନ ଆୟ ସୃଷ୍ଟି ପନ୍ଥା ଓ ସମ୍ଭାବ୍ୟ ଆର୍ଥିକ କାର୍ଯ୍ୟକଳାପ ବିଷୟରେ ଆଲୋଚିତ ହୋଇଥିଲା।