Odiapua.com

ବାଲେଶ୍ୱରରେ ବିଜେପ ତାରକା ପ୍ରଚାରକଙ୍କ ଭୋଟଭିକ୍ଷା

ବାଲେଶ୍ୱର, ୨୯ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ସଦର ଉପ-ନିର୍ବାଚନରେ ବାଲେଶ୍ୱରରେ ବିଜେପିର ହେବିୱେଟ୍ ନେତାଙ୍କ ଉପସ୍ଥିତି ଓ କ୍ୟାମ୍ପେନିଂ ଦଳୀୟ ପ୍ରଚାର ଅଭିଯାନକୁ ଆହୁରି ଜୋରଦାର କରିବାରେ ଲାଗିଛି। ଏହ ଷ୍ଟାର ପ୍ରଚାରକମାନେ ସଦର ନିର୍ବାଚନମଣ୍ଡଳୀର ବଭିନ୍ନ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଚଳାଇ ରଖିଥିବା ଲକ୍ଷ୍ୟ କରାଯାଇଛି। ରୂପସା ଅଞ୍ଚଳରେ ମସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବାଲେଶ୍ୱର ସହରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟ ସଚେତକ ମୋନ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗୋମାଙ୍ଗ, କଟକ ସାଂସଦ ପ୍ରକାଶ ମିଶ୍ର, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଓ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଆଜି ପ୍ରଚାର ଚଳାଇଥିବା ଦେଖିବାକୁ ମିଳିଛି। ସେହିପରି ପଞ୍ଚୁପଡ଼ାରେ ମୟୁରଭଂଜ ସାଂସଦ ବିଶେଶ୍ୱର ଟୁଡୁ, ବୁଢ଼ାବଳଙ୍ଗ ମଣ୍ଡଳରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଚାନ୍ଦିପୁର ଅଞ୍ଚଳରେ ସୁନ୍ଦରଗଡ଼ ବିଧାୟିକା ଟେଟେ ମାରାଥନ୍ ପ୍ରଚାରା କରିଛନ୍ତି। ରାଜ୍ୟ ସରକାରଙ୍କ ୨୧ ବର୍ଷର ଶାସନ ବିଫଳତାକୁ ଲୋକଲୋଚନକୁ ଆଣିବା ସହିତ ବିକାଶ ନାଆଁରେ ଲୋକଙ୍କୁ କିପରି ମିଥ୍ୟା ପ୍ରତିଶ୍ରୁତି ଦିଆଯାଉଛି, ସେ ସମ୍ପର୍କରେ ଏହି ତାରକା ପ୍ରଚାରକମାନେ କହିଥିଲେ। ପଦଯାତ୍ରା, ଡୋର କ୍ୟାମ୍ପେନିଂ ଓ ପଥପ୍ରାନ୍ତ ସଭା ମାଧ୍ୟମରେ ସେମାନେ ଲୋକଙ୍କୁ ବିଜେପି ଦଳର ଆଭିମୁଖ୍ୟ ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶ ସାଙ୍ଗକୁ ରାଜ୍ୟ ସରକାରଙ୍କ ଅବହେଳା ସମ୍ପର୍କରେ ନେତାମାନେ ଲୋକଙ୍କୁ ବୁଝାଇଥିଲେ। ଆଞ୍ଚଳିକ ବିକାଶକୁ ଗୁରୁତ୍ୱ ଦେବା ସହ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିବା ବିଜେପିର ଯୋଗ୍ୟ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ଏହି ଉପ-ନିର୍ବାଚନରେ ଅଧିକ ସଂଖ୍ୟକ ଭୋଟରେ ଜିତାଇବାକୁ ସେମାନେ ନିବେଦନ କରିଥିଲେ। ଏହି ଷ୍ଟାର କ୍ୟାମ୍ପେନରଙ୍କୁ ଦେଖିବା ଓ ସେମାନଙ୍କ ଭାଷଣ ଶୁଣିବାକୁ ପ୍ରତ୍ୟେକ ସ୍ଥାନରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।