Odiapua.com

ବାଲେଶ୍ୱରରେ ଗଡ଼ିଲା ପୋଷ୍ୟ ସନ୍ତାନ ସଚେତନତା ରଥ

ବାଲେଶ୍ୱର, ୧୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ପୋଷ୍ୟ ସନ୍ତାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ସଚେତନତା ରଥ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଯାତ୍ରା ଆରମ୍ଭ କରିଛି। ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ। ଅସହାୟ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଆପଣେଇବା ଏବଂ ଏପରି ମହତ୍ କାର୍ଯ୍ୟରେ ଜନସାଧାରଣଙ୍କ ସହଯୋଗ କାମନା କରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ରଥ ମାଧ୍ୟମରେ ପୋଷ୍ୟ ସନ୍ତାନ ଗ୍ରହଣ ଓ ଏହାର ଆଇନ ସମ୍ପର୍କରେ ସଚେତନତା କରାଯିବ। ଅନାଥ ଓ ଅବହେଳିତ ଅବସ୍ଥାରେ ଥିବା ଶିଶୁଙ୍କୁ ପରିଚୟ ପ୍ରଦାନ କରିବାରେ ଏଭଳି ସଚେତନତା କାର୍ଯ୍ୟ ସହାୟକ ହେବ ବୋଲି ଆଶାପ୍ରକଟ କରାଯାଇଛି। ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ ପରିକ୍ରମା କରିବ। ଆଜିର ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ନୀଳଗିରି ଉପ-ଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଭାଗିରଥି ବାରିକ୍‌, ସଦସ୍ୟ ଗଣେଶ୍ୱର ରାଉତ ଏବଂ ଜିଲ୍ଲା ଚିକିତ୍ସାଳୟର ଡାକ୍ତର ସନତ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ, ଆଇନ ପର୍ଯ୍ୟବେକ୍ଷକ ଅଧିକାରୀ ମୁକ୍ତିକାନ୍ତ ପଣ୍ଡା, ସତ୍ୟରଞ୍ଜନ ସ୍ୱାଇଁ, ରଶ୍ମିରେଖା ସେନାପତି, ପୁଷ୍ପଲତା ଜେନା, ସୌମେନ ଗିରି, ସଂଯୁକ୍ତା ରାଉତ, ଦେବବନ୍ଦ୍ୟା ମହାପାତ୍ର, ରିମାଶ୍ରୀ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।