Odiapua.com

ବାଲେଶ୍ୱରରେ ଉତ୍କଳମଣି ଗୋପବନ୍ଧୁଙ୍କ ୧୪୩ତମ ଜୟନ୍ତୀ

ବାଲେଶ୍ୱର, ୯ା୧୦ (ଓଡ଼ିଆ ପୁଅ/ଅଭୟ ଦାସ):ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୩ତମ ଜୟନ୍ତୀ ବାଲେଶ୍ୱର ‘ସମାଜ’ ସଂସ୍କରଣ ପକ୍ଷରୁ ବୁଧବାର ସକାଳେ ପାଳିତ ହୋଇଯାଇଛି। ଗାନ୍ଧୀ ସ୍ମୃତି ଭବନ ନିକଟରେ ଥିବା ଗୋପବନ୍ଧୁ ପାର୍କ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ କୋଭିଡ଼ ନିୟମ ପାଳନ ସହ ସମୂହ ମାଲ୍ୟାର୍ପଣ ଓ ପୁଷ୍ପ ଅର୍ପଣ କରାଯାଇଥିଲା। ସକାଳ ସାଢ଼େ ୮ଟା ବେଳେ ମାସିକ ସାହିତ୍ୟ ପତ୍ରିକା ‘ରେବତୀ’ର ସମ୍ପାଦିକା ତଥା ସମାଜସେବୀ ସୁବାସିନୀ ଜେନା, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ, ଗିରୀଶ ଦାସ, ଶତ୍ରୁଘ୍ନ ମଲ୍ଲିକ, କବି ପ୍ରଶାନ୍ତ ଦାସଙ୍କ ସହ ବାଲେଶ୍ୱର ସଂସ୍କରଣର ମୁଖ୍ୟ ମଧୁସୂଦନ ଦାସ, ବ୍ୟୁରୋମୁଖ୍ୟ କୁଳମଣି ବାରିକ, ଡେସ୍କ ଇନଚାର୍ଯ ଶଶୀରଞ୍ଜନ ମଲ୍ଲିକ, ରାଜେଶ ଗିରି ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମର୍ତ୍ତିିରେ ମାଲ୍ୟାର୍ପଣ ଓ ପୁଷ୍ପ ଅର୍ପଣ କରିଥିଲେ। ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ଶ୍ରୀମତୀ ଜେନା କହିଥିଲେ ଯେ ଦୀନଦୁଃଖୀଙ୍କ ସମସ୍ୟାରେ ଭାଗୀଦାର ହୋଇଛନ୍ତି ଗୋପବନ୍ଧୁ। ଏବେକାର ପୀଢ଼ି ତାଙ୍କ ସମ୍ପର୍କରେ ଅବଗତ ନାହାନ୍ତି। ତାଙ୍କ ଆଦର୍ଶରେ ସାରା ଦେଶ ଅନୁପ୍ରାଣିତ ହୋଇଛି। ବାଲେଶ୍ୱର ତଥା ଉତ୍ତର ଓଡ଼ିଶା ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ରହିଥିଲା। ତାଙ୍କ ନାଁରେ ରାସ୍ତା ନାମିତ କରାଯିବାକୁ ସମୂହ ପ୍ରଚେଷ୍ଟା କରାଯିବା ଉଚିତ ବୋଲି କହିଥିଲେ। ଗୋପବନ୍ଧୁଙ୍କ ପଦାଙ୍କ ଅନୁସରଣ କରି ଆମେ ସମାଜ ସେବା କରିପାରୁ ନାହୁଁ। ତେଣୁ ତାଙ୍କ ପଦାଙ୍କ ଅନୁକରଣ କରିବା ଆବଶ୍ୟକ। ସଭ୍ୟତା ଥିବା ପର୍ଯ୍ୟନ୍ତ ତାଙ୍କ ମାନସ ସନ୍ତାନ ‘ସମାଜ’ ରହିଥିବ ଓ ଗୋପବନ୍ଧୁ ଲୋକଙ୍କ ମନ ମଧ୍ୟରେ ଥିବେ। ତେବେ ବର୍ତ୍ତମାନର ଯୁବପିଢ଼ୀ ଗୋପବନ୍ଧୁଙ୍କଠାରୁ ଶିଖିବା ଆବଶ୍ୟକ। ଶିକ୍ଷାର ମାନ ଭୁଷୁଡ଼ି ପଡ଼ିଥିବା ବେଳେ ଗୋପବନ୍ଧୁ ଶିକ୍ଷାକୁ ଗୁରୁତ୍ୱ ଦେଇଥିଲେ। ବକୁଳ ବନରେ ‘ସତ୍ୟବାଦୀ ବନ ବିଦ୍ୟାଳୟ’ ପ୍ରତିଷ୍ଠା କରି ମୌଳିକ ଶିକ୍ଷାପ୍ରତି ଗୁରୁତ୍ୱ ଦେଇଥିଲେ। ତେଣୁ ଶିକ୍ଷା ଓ ମାନବ ସେବା ଉପରେ ଗୁରୁତ୍ୱ ଦେଉଥିବା ଗୋପବନ୍ଧୁଙ୍କ ଭଳି ମହାମନିଷୀଙ୍କୁ ବର୍ତ୍ତମାନର ପିଢ଼ୀ ମନେ ପକାଇବା ସହିତ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ଷ୍ଟେସନ ଛକସ୍ଥିତ କାର୍ଯ୍ୟାଳୟରେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ସେହିପରି ଖାନନଗରରେ ଥିବା ପ୍ରିଣ୍ଟିଂ ପ୍ରେସରେ ମଧ୍ୟ ଗୋପବନ୍ଧୁଙ୍କ ପ୍ରତିମର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ସମାଜର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।