ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇ ମାସ ଧରି ବାଲି ପରିବହନ ବନ୍ଦ ଯୋଗୁ ଭଦ୍ରକ ଜିଲା ବନ୍ତ ବ୍ଲକରେ ଉନ୍ନୟନ ମୂଳକ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି । କାଁ ଭାଁ କିଏ କେଉଁଠି ଗଚ୍ଛିତ ରଖିଥିବା ବାଲିକୁ ଆଣି କାର୍ଯ୍ୟ କରୁଥୁବା ଠିକା ସଂସ୍ଥା କିମ୍ବା ବ୍ୟକ୍ତିଗତ ସ୍ତରରେ ରାସ୍ତା, ଗୃହ ନିର୍ମାଣ କାର୍ଯ୍ୟକୁ ଆଗେଇ ନିଆଯାଉଥିବା ବେଳେ ଆଜକୁ ୧୫ ଦିନ ହେବ ଆଦୌ ବାଲି ମିଳୁନଥିବାରୁ ସରକାରୀ ଓ ବେସରକାରୀ ସ୍ତରରେ ଚାଲିଥିବା କାର୍ଯ୍ୟ ଏକପ୍ରକାର ବନ୍ଦ ରହିଛି । ଖବରରୁ ପ୍ରକାଶ ଯେ, ହାଟଡିହି ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀର ହାବେଳେଶ୍ୱର, ଡିମିରିଆ, ଆଗିରିଆ, ଯାଜପୁର ଜିଲ୍ଲା କୋରେଇ ବ୍ଲକର ମୁକୁନ୍ଦପୁର ଆଦି ଘାଟରୁ ସାଧାରଣତଃ ବନ୍ତ ବ୍ଲକକୁ ବାଲି ଆସିଥାଏ । ଏହି ଘାଟ ଗୁଡିକର ନିଲାମ ଅବଧି ସରିଯାଇଥିବା ବେଳେ ସାନି ନିଲାମ ଡକା ଯାଇନାହିଁ । ଯାହା ଫଳରେ ଏହି ବ୍ଲକରେ ଆଦୌ ବାଲି ମିଳୁନଥିବାରୁ ପୂର୍ତ ବିଭାଗ ଅଧିନରେ ଚାଲିଥିବା ବାରିକପୁର-ବନ୍ତ ୧୮ କି.ମି, ମହାନ୍ତିପଡାରୁ ସନ୍ଦାଡୋ ୧୨ କି.ମି. ନୂତନ ଭାବେ ନିର୍ମାଣ ହେବାକୁ ଥିବା ରାସ୍ତା କାମ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ଅଧପନ୍ତରିଆ ହୋଇ ପଡିରହିଛି । ଅନ୍ୟପକ୍ଷରେ ସରକାରୀ ଓ ବେସରକାରୀ ଭାବେ ଚାଲିଥିବା କଂକ୍ରିଟ୍ ରାସ୍ତା, ଆବାସ ଗୃହ, ପୋଲ କାମ ଆଦି ଆଗେଇ ପାରୁନାହିଁ । ବିଶେଷକରି ନିର୍ଦ୍ଧାରିତ ସମୟରେ ଘର ନିର୍ମାଣ କରି ବୋନସ୍ ଅର୍ଥ ପାଇବା ନେଇ ବାଲି ବାଧକ ସାଜୁଥୁବା ବେଳେ ସରକାରୀ ଭାବେ ଚାଲିଥିବା ବଡ ବଡ କାର୍ଯ୍ୟରେ ଠିକାଦାର ଶ୍ରମିକ ମାନଙ୍କୁ ପ୍ରାପ୍ୟ ଦେବା ନେଇ ନାନା ସମସ୍ୟା ଭୋଗୁଥୁବା ପରିଲକ୍ଷିତ ହୋଇଛି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯଥାଶିଘ୍ର ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀ ଉପରୋକ୍ତ ସମସ୍ୟାକୁ ଗୁରୁତ୍ୱର ସହ ନେଇ ଘାଟ ନିଲାମ ପୂର୍ବକ ବାଲି ଯୋଗାଇବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦୃଢ ଦାବି ହୋଇଛି । ଏନେଇ ଭଦ୍ରକ ଖଣି ନିଗମର ସହ ନିର୍ଦ୍ଦେଶକ ସନ୍ତୋଷ କୁମାର ଦଳାଇ କୁହନ୍ତି , ଗତ ୩୧-୧୨-୨୦୨୪ ରେ (ସିଆ) ରାଜ୍ୟ ପ୍ରଦୂଷଣ ବୋର୍ଡକୁ ଡିଏସ୍ଆର ପାଇଁ ପଠାଯାଇଛି । ଯେତେ ଶିଘ୍ର ରିପୋର୍ଟ ଆସିବ ଆମେ ଘାଟ ନିଲାମ କରିବୁ ବୋଲି କହିଛନ୍ତି ।