Odiapua.com

ବାଲି ‘ମାଫିଆ’ଙ୍କୁ ପୋଲିସର କ୍ଲିନ୍‌ଚିଟ୍‌!, ଖଣି ଅଧିକାରୀ ଧରିଥିବା ବେଆଇନ ବାଲି ବୋଝେଇ ହାଇୱା ଥାନାକୁ ଆସିବା ପରେ ଓଲଟିଗଲା ସବୁ ଗଣିତ

ଭଦ୍ରକ, ୧୭ା୫ ( ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଂଚଳରେ ବାଲି ଚୋରା ଚାଲାଣକୁ ନେଇ ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଖଣି ବିଭାଗ ଓ ପୋଲିସର ଭୂମିକା ମଧ୍ୟରେ ଘୋର ବିରୋଧାଭାସ ଦେଖିବାକୁ ମିଳିଛି। ଖଣି ବିଭାଗ ନିଜର ଦାୟିତ୍ୱ ନିଷ୍ଠାର ସହ ତୁଲାଇ ବେଆଇନ ଭାବେ ବାଲି ବୋହୁଥିବା ଦୁଇଟି ଶକ୍ତିଶାଳୀ ହାଇୱା ଗାଡ଼ିକୁ ଜବତ କରିଥିବା ବେଳେ, ସ୍ଥାନୀୟ ପୋଲିସ କିନ୍ତୁ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପାଇଁ ହାସ୍ୟାସ୍ପଦ ବାହାନା ପ୍ରସ୍ତୁତ କରିଛି। ଥାନା ପରିସରରେ ଗାଡ଼ିରୁ ବାଲି ଖାଲି କରି ଅଭିଯୁକ୍ତଙ୍କୁ ସୁରକ୍ଷିତ ଭାବେ ଖସାଇ ଦେବା ପୋଲିସର ଭୂମିକାକୁ ଏବେ ସନ୍ଦେହଘେରକୁ ଟାଣିଛି। ସୂଚନା ଅନୁସାରେ, ଆଜି ସରକାରୀ ଛୁଟି ଦିନ ଥିଲେ ମଧ୍ୟ ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ଜିଲ୍ଲା କନିଷ୍ଠ ଖଣି ଅଧିକାରୀ ସୌମ୍ୟରଞ୍ଜନ ଦ୍ୱିବେଦୀ ନିଜ ଟିମ୍ ସହ ବଡ଼ି ଭୋରରୁ ଧାମନଗର ଅଂଚଳରେ ଚଢ଼ଉ କରିଥିଲେ। ଧାମନଗର ଥାନା ଅଂଚଳ ଖଡ଼ିପଦା-ଦିହୁଡ଼ି ଆନନ୍ଦପୁର ରାସ୍ତାର ଖଡ଼ିପଦା ପଂଚାୟତ ଅଫିସ ନିକଟରେ ବାଲି ଚୋରା ଚାଲାଣ କରୁଥିବା ଦୁଇଟି ହାଇୱା ଗାଡ଼ିକୁ ସେ ଅଟକାଇଥିଲେ। ଜବତ ହୋଇଥିବା ଗାଡ଼ି ଦୁଇଟିର ନମ୍ବର (ଓଡି ୨୨ ଏଡି୭୨୧୧ ଏବଂ ଓଡି ୨୨ ଏସି୫୧୨୫) ଅଟେ। ଏହି ଚଢ଼ଉ ସମୟରେ ଖଣି ଅଧିକାରୀଙ୍କ ସହ ଧାମନଗର ଥାନାର ଏଏସ୍‌ଆଇ ନରେନ୍ଦ୍ର ରାଉତ ଓ ପୋଲିସ ଟିମ୍ ମଧ୍ୟ ସାମିଲ ଥିଲେ। ଖଣି ଅଧିକାରୀ ଗାଡ଼ି ଦ୍ୱୟର ଚାଳକମାନଙ୍କୁ ଲଘୁ ଖଣିଜ ପଦାର୍ଥ ପରିବହନ ଲାଗି ଆବଶ୍ୟକୀୟ ବୈଧ ଟ୍ରାଞ୍ଜିଟ୍ ପାସ୍ ବା ‘ୱାଇ-ଫର୍ମ’ ମାଗିଥିଲେ। ମାତ୍ର ଡ୍ରାଇଭରମାନେ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ବାଲି ଚୋରା ଚାଲାଣ ହେଉଥିବା ସ୍ପଷ୍ଟ ହେବା ପରେ ଖଣି ଅଧିକାରୀ (ଓଡି ୨୨ ଏଡି୭୨୧୧ ଓ ଓଡି ୨୨ ଏସି୫୧୨୫ ) ନମ୍ବର ବିଶିଷ୍ଟ ଗାଡ଼ି ଦୁଇଟିକୁ ଜବତ କରି ପରବର୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଧାମନଗର ଥାନା ପୋଲିସ ହେପାଜତରେ ଦେଇଥିଲେ। ଚଢ଼ଉ ପରେ ଗାଡ଼ି ସହ ସରକାରୀ ଅଧିକାରୀଙ୍କ ଫଟୋ (ଜିପିଏସ୍ ଟ୍ୟାଗ୍ ସହ) ମଧ୍ୟ ଉତୋଳନ କରାଯାଇଥିଲା, ଯାହା ବେଆଇନ କାର୍ଯ୍ୟକଳାପର ସ୍ପଷ୍ଟ ପ୍ରମାଣ। ଆଇନ ଅନୁସାରେ, ବେଆଇନ ଲଘୁ ଖଣିଜ ପଦାର୍ଥ ଚୋରି ଏବଂ ପରିବହନ ଅଭିଯୋଗରେ ପୋଲିସ ଗାଡ଼ି ଦୁଇଟି ଏବଂ ଏହାର ଚାଳକଙ୍କ ବିରୋଧରେ ମାମଲା ରୁଜୁ କରି ଡ୍ରାଇଭରମାନଙ୍କୁ ଗିରଫ କରିବା କଥା। ମାତ୍ର ଧାମନଗର ଥାନା ପରିସରକୁ ଗାଡ଼ି ଆସିବା ପରେ ସବୁ ଗଣିତ ଓଲଟପାଲଟ ହୋଇଯାଇଥିଲା। ପୋଲିସ ମାମଲା ରୁଜୁ କରିବା ବଦଳରେ ଥାନା ପରିସରରେ ହିଁ ହାଇୱାରୁ ବାଲି ଖାଲି କରିଦେଇଥିଲା, ଯାହା ଅତ୍ୟନ୍ତ ସନ୍ଦେହଜନକ। ଗଣମାଧ୍ୟମକୁ ସୂଚନା ଦେଇ ଧାମନଗର ପୋଲିସ କହିଛି ଯେ, ଥାନା ପରିସରରେ ନିର୍ମାଣ କାମ ଚାଲୁଥିବାରୁ ସମ୍ପୃକ୍ତ ଠିକାଦାର ବାଲି ମଗାଇଥିଲେ। ପୋଲିସର କହିବା ଅନୁସାରେ, ଠିକାଦାରଙ୍କ ପାଖରେ ବୈଧ ‘ୱାଇ-ଫର୍ମ’ ଥିଲା, କିନ୍ତୁ ଭୁଲ୍ ସୂଚନା ଆଧାରରେ ଖଣି ବିଭାଗ ଏହି ଦୁଇଟି ଗାଡ଼ିକୁ ଜବତ କରିଛି। ପୋଲିସର ଏହି ସଫେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଯଦି ଥାନା କାମ ପାଇଁ ବାଲି ଆସୁଥିଲା ଏବଂ ଖଣି ଅଧିକାରୀଙ୍କ ସହ ଧାମନଗର ଥାନାର ଏଏସ୍‌?ଆଇ ନିଜେ ଚଢ଼ଉରେ ଥିଲେ, ତେବେ ସେ କାର୍ଯ୍ୟସ୍ଥଳରେ ଖଣି ଅଧିକାରୀଙ୍କୁ ଏ ବିଷୟରେ କାହିଁକି ଜଣାଇଲେ ନାହିଁ? ନିୟମ ଅନୁସାରେ ‘ୱାଇ-ଫର୍ମ’ ଗାଡ଼ି ଚାଳକଙ୍କ ପାଖରେ ରହିବା ବାଧ୍ୟତାମୂଳକ। ଗାଡ଼ି ଧରାପଡ଼ିବା ସମୟରେ ଦୁଇ ଗାଡ଼ିର ଡ୍ରାଇଭରମାନେ କାହିଁକି ଫର୍ମ ଦେଖାଇ ପାରିଲେ ନାହିଁ। ସ୍ଥାନୀୟ ଚର୍ଚ୍ଚା ଅନୁସାରେ, ସମ୍ପୃକ୍ତ ବାଲି ମାଫିଆ ବା ଗାଡ଼ି ମାଲିକଙ୍କ ସହ ଥାନାର ପୂର୍ବରୁ ‘ମଧୁର ବୁଝାମଣା’ ରହିଛି। ଖଣି ଅଧିକାରୀ ହଠାତ୍ ଚଢ଼ଉ କରି ଗାଡ଼ି ଧରିନେବାରୁ ପୋଲିସ ନିଜର ପ୍ରିୟପାତ୍ରଙ୍କୁ ବଂଚାଇବା ପାଇଁ ଥାନା ନିର୍ମାଣ କାମର ନାଟକ ରଚିଛି। ଖଣି ବିଭାଗର ନିଷ୍ଠାପର ଚେଷ୍ଟା ଉପରେ ପୋଲିସର ଏଭଳି ପାଣି ପକାଇବା ଘଟଣା, ଏବଂ ଜବତ ହୋଇଥିବା ଗାଡ଼ିଗୁଡ଼ିକୁ ମୁକ୍ତ କରିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଉଚ୍ଚ କର୍ତୃପକ୍ଷ ହସ୍ତକ୍ଷେପ କରି ତଦନ୍ତ କରିବାକୁ ଦାବି ହେଉଛି।