ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲି ଓ ମାଟି ମାଫିଆଙ୍କ ଯୋଗୁଁ ସାଳନ୍ଦୀ ନଦୀରେ ଲୀନ ହେବାର ସମ୍ଭାବନା ସୃଷ୍ଟି ହୋଇଛି ଏହାର ତଟବର୍ତ୍ତୀ ଗାଁ । ସାଳନ୍ଦୀ ନଦୀ ମେଘାସନ ପାହାଡ଼ରୁ ବାହାରିଥିଲେ ସୁଦ୍ଧା ବଣ ପାହାଡ଼ ଡ଼େଇଁ ବିଶେଷ କରି ଭଦ୍ରକ ଜିଲ୍ଲା ଠାରେ ସମତଳ ଅଞ୍ଚଳ ଦେଇ ପ୍ରବାହିତ ହୋଇଛି । ତେଣୁ ଏ ଜିଲ୍ଲାର ଅଧିକାଂଶ ଗାଁ ଗୁଡ଼ିକ ଏହି ନଦୀକୂଳରେ ଅବସ୍ଥିତ । ହାଟଡ଼ିହୀ ବ୍ଲକ ସୋସୋ-କାନପୁର, ବନ୍ତ ବ୍ଲକ ମହାନ୍ତିପଡ଼ା, ବିଟିପୁର, ଗୋପିନାଥପୁର, ବଡ଼ମହିଷଗୋଠ, ଚାରିଗାଁ, ଅଣିଜୋ ଆଦି ପଞ୍ଚାୟତର ଶତାଧିକ ଗାଁ ଏହି ନଦୀକୂଳରେ ରହିଛି । ବର୍ଷାଦିନେ ଏହି ନଦୀକୂଳିଆ ଗ୍ରାମବାସୀଙ୍କ ନିଦ ହଜି ଯାଇଥାଏ । ନଦୀର ସାମାନ୍ୟ ଜଳପତ୍ତନ ବୃଦ୍ଧି ପାଇଲେ ବାସଗୃହରେ ପାଣି ପଶିବା ଫଳରେ ଧନଜୀବନ କ୍ଷୟକ୍ଷତି ହୋଇଥାଏ । ଏହି କୃତ୍ରିମ ବନ୍ୟା ନିମନ୍ତେ ମାଟି ଓ ବାଲି ମାଫିଆ ମାନେ ମୁଖ୍ୟତଃ ଦାୟୀ । ରାଜସ୍ୱ ବୃଦ୍ଧି ଆଶାରେ ବିଭିନ୍ନ ନଦୀଘାଟ ନିଲାମ ସରକାରୀ ସ୍ତରରେ କରାଯାଇଛି । ମାଫିଆମାନେ ନିଲାମ ସ୍ଥାନ ସମେତ ଆଖପାଖର ସବୁ ସ୍ଥାନରୁ ବାଲି ମାଟି ଆଦି ଖନନ କରି ପ୍ରତିଦିନ ଶହଶହ ଟ୍ରକ, ଟ୍ରାକ୍ଟର ଯୋଗେ ପରିବହନ କରୁଛନ୍ତି । ଯଦ୍ୱାରା ନଦୀର ଗତି ପରିବର୍ତ୍ତନ ହୋଇ ନଦୀ କୂଳିଆ ଗାଁ ମଧ୍ୟକୁ ବନ୍ୟାଜଳ ପଶି ଆସୁଛୁ । ଏହା ବାରମ୍ବାର ହୋଇ ଅନେକ ଗାଁ ନଦୀରେ ଲୀନହୋଇ ସାରିଥିବା ବେଳେ ଭବିଷ୍ୟତରେ ଆନେକ ଗାଁ ଲୀନ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ସ୍ଥାନୀୟ ଅଞ୍ଚଳରେ ଛତୁ ଫୁଟିବା ପରି ସରକାରୀ ଓ ବେସରକାରୀ ସ୍ଥାନରେ ଇଟାଭାଟି ମାନ ଗଢି ଉଠିଛି । ତେଣୁ ପର୍ଯ୍ୟାପ୍ତ ପରିମାଣରେ ମାଟି ଦରକାର ହେଉଛି । ନଦୀ ପଠାରୁ ଏହି ମାଟି ଉଠାଯାଇ ଇଟାଭାଟିରେ ବ୍ୟବୃହତ କରାଯାଉଛି ।
ଏଥି ଯୋଗୁଁ ନାନାଦି ଖାଲଖମା ମାନ ସୃଷ୍ଟି ହେବା ଦ୍ୱାରା ଗୋରୁ ଗାଇଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ସହିତ ଲୋକେ ମଧ୍ୟ ନଦୀକୁ ଯାଇ ପାରୁ ନାହାନ୍ତି କି ନଦୀ ପାଣିକୁ କୌଣସି କାର୍ଯ୍ୟରେ ବ୍ୟବହାର କରି ପାରୁ ନାହାନ୍ତି । ବନ୍ୟା ସମୟରେ ନଦୀକୂଳିଆ ଗ୍ରାମବାସୀଙ୍କ ଅବସ୍ଥା ଦି ଗଣ୍ଡା ଦି କଡ଼ା ହୋଇଯାଉଛି । ବାସଗୃହ ଭାଙ୍ଗିବା ସହ ଧନଜୀବନ ନଷ୍ଟ ହେବାରେ ଲାଗିଛି । ଯଦିଓ ଭଦ୍ରକ ଜିଲ୍ଲାରେ ଅନେକ ନଦୀ ପ୍ରବାହିତ ହେଉଛି ମାତ୍ର ଭୌଗଳିକ ଦୃଷ୍ଟିକୋଣରୁ ସାଳନ୍ଦୀ ନଦୀର ଗୁରୁତ୍ୱ ରହିଛି । ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ପ୍ରଚେଷ୍ଟାରେ ଏହି ଅଞ୍ଚଳର କୃଷିର ଉନ୍ନତି ପାଇଁ କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ବ୍ଲକ ହଦଗଡ଼ ଠାରେ ଏକ ବୃହତ୍ତ ନଦୀବନ୍ଧ ପ୍ରତିଷ୍ଠା କରାଯାଇଥିଲା । ନଦୀ ପଥ ପରିବର୍ତ୍ତନ ଯୋଗୁଁ ସାଳନ୍ଦୀ ନଦୀର ପାଣି କୃଷି କ୍ଷେତ୍ରକୁ ନମାଡ଼ି ଏବେ ଅକାରଣରେ ଅପଚୟ ହେବା ସାର ହେଉଛି । ଅପରପକ୍ଷେ ସାଳନ୍ଦୀ ସଂସ୍କାର ଯୋଜନା ମଧ୍ୟ ଠିକ ଭାବରେ କାର୍ଯ୍ୟକାରୀ ହୋଇ ନପାରିବା ଫଳରେ ଏହି ନଦୀର ବିକାଶରେ ଅନ୍ତରାୟ ସୃଷ୍ଟି କରିଛି । ଏହିପରି ନାନାଦି ସମସ୍ୟାମାନ ଲାଗି ରହିଥିଲେ ସୁଦ୍ଧା ଏଥିପ୍ରତି କେହି ଦୃଷ୍ଟି ନଦେବା ଦୁଃଖର ବିଷୟ ହୋଇ ପଡ଼ିଛି । ହୋୟାଂ ହୋ କୁ ଚୀନର ଦୁଃଖ ପରି ବାଲି ମାଟି ମାଫିଆଙ୍କ ଯୋଗୁଁ ସାଳନ୍ଦୀ ନଦୀ, ତଟବର୍ତ୍ତୀ ଗାଁ ଗୁଡ଼ିକ ପାଇଁ ଦୁଃଖ ପାଲଟିଛି । ଅମୂଲ୍ୟ ସମ୍ପଦ ଭରା ସାଳନ୍ଦୀ ନଦୀ ଉପରେ ନିର୍ଭର କରି ଚାଷକାର୍ଯ୍ୟ ପାଇଁ ଭବିଷ୍ୟତର ସୁନେଲୀ ସ୍ୱପ୍ନ ଦେଖୁଥିବା ଚାଷୀମାନେ ମଧ୍ୟ ହତାସ ଓ ନିରୁତ୍ସାହିତ ହୋଇ ପଡ଼ିଛନ୍ତି । ନିଲାମୀ ଧରିଥିବା ମାଫିଆମାନେ ସମସ୍ତ ସରକାରୀ ନିୟମକୁ ଉଲଙ୍ଘନ କରି ବାଲି ମାଟି ଉତ୍ତୋଳନ କରୁଛନ୍ତି । ଯଦି ଏହାକୁ ବନ୍ଦ କରା ନଯାଏ ତେବେ ତଟବର୍ତ୍ତୀ ଗାଁ ଗୁଡ଼ିକ ନଦୀଗର୍ଭରେ ସମ୍ପୂର୍ଣ୍ଣ ଲୀନ ହେବା ସହ ସାଳନ୍ଦୀ ନଦୀ ଶ୍ରୀହୀନ ହୋଇ ପଡ଼ିବ ବୋଲି ସ୍ଥାନୀୟ ବୁଦ୍ଧିଜୀବିମାନେ ମତପ୍ରକାଶ କରୁଛନ୍ତି । ଏଥିପ୍ରତି ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବୀ ହେଉଛି ।