Odiapua.com

ବାଲିବରେଇ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ଅନିୟମିତତା ଘଟଣା- ୪ଜଣିଆ ଟିମର ତଦନ୍ତ ଆରମ୍ଭ

ହାଟଡିହି, ୨୩ । ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାର ଅନୁଦାନ ବଣ୍ଟନରେ ଅନିୟମିତତା ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଗତକମାଲି ବିଡିଓ ବିଚିତ୍ର କୁମାର କର ଉକ୍ତ ପଞ୍ଚାୟତକୁ ଯାଇ ରେକର୍ଡପତ୍ର ଜବଦ କରିବା ପରେ ବିଡିଓଙ୍କ ନିର୍ଦ୍ଦେଶରେ ଏକ ୪ଜଣିଆ ଟିମ ଆଜି ବିଭିନ୍ନ ଗାଁକୁ ଯାଇ ତଦନ୍ତ କରୁଛନ୍ତି । ଏହି ଟିମରେ ପିଇଓ ଜିତେନ୍ଦ୍ର ଜେନା, ଅମୁଲ୍ୟ ପହି, ଉମାକାନ୍ତ ସା, କୋଦଣ୍ଡଧର ପଣ୍ଡା ପ୍ରମୁଖ ଏହି ଟିମରେ ସାମିଲ ହୋଇଥିବା ବେଳେ ବିଡିଓ ଶ୍ରୀଯୁକ୍ତ କର ମଧ୍ୟ ବିଭିନ୍ନ ହିତାଧିକାରୀଙ୍କୁ ଭେଟି ବୟାନ ନେଉଥିବା ଦେଖିବାକୁ ମିଳିଥିଲା । ତଦନପ୍ତକାରୀ ଟିମ ଆଜି ୧୭୩ଜଣଙ୍କୁ ଭେଟି ତଦନ୍ତ ସାରିବା ପରେ ବ୍ଲକକୁ ରିପୋର୍ଟ ଦେବାପରେ ଅନିୟମିତତା ସମ୍ପର୍କରେ ସଠିକ ତଥ୍ୟ ମିଳିପାରିବ ବୋଲି ବିଡିଓ ଶ୍ରୀଯୁକ୍ତ କର ସୁଚନା ଦେଇଛନ୍ତି ।
ଏଠାରେ ସୁଚନାଯୋଗ୍ୟ ଯେ ଉକ୍ତ ପଞ୍ଚାୟତରେ ୧୫ମାସ ଭିତରେ ୨୨୦ଜଣ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ୨୧୯ଜଣଙ୍କୁ ହରିଶ୍ଚନ୍ଦ୍ର ଅନୁଦାନ ବାବଦ ୪ଲକ୍ଷ ୩୮ହଜାର ଟଙ୍କା ଦିଆଯାଇଛି । ମାତ୍ର ୧୫ମାସ ଭିତରେ ଏତେ ସଂଖ୍ୟକ ଲୋକଙ୍କ ସତରେ କଣ ମୃତ୍ୟୁ ଘଟିଛି ନା ଏହାକୁ ଏପଟ ସେପଟ କରାଯାଇଛି ଏହାକୁ ନେଇ ସନ୍ଦେହ ଉପୁଜିଥିଲା । ସେହିପରି ୨୨୦ଙ୍କ ମଧ୍ୟରୁ କୌଣସି ହିତାଧିକାରୀଙ୍କ ଠିକଣା ଉଲେଖ ନଥିବାବେଳେ ୧୭୧ଜଣଙ୍କର ଗୋଟିଏ ଟେଲିଫୋନ ନମ୍ବର ଦିଆଯାଇଛି । ଯାହାକି ଉକ୍ତ ପଞ୍ଚାୟତର ପୁର୍ବତନ ସରପଞ୍ଚଙ୍କ ସ୍ୱାମୀଙ୍କର । ଏଣୁ ଏହି ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ଅନିୟମିତତା ହୋଇଥାଇପାରେ ବୋଲି ଧାରଣା ସୃଷ୍ଟି ହୋଇଛି । ଏଏ ସମ୍ପର୍କରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ କହିଛନ୍ତି ଯେ ଯାହା ଗଣମାଧ୍ୟମରେ ପ୍ରକାଶ ପାଇଛି ତାହା ସମସ୍ତଙ୍କୁ ସନ୍ଦେହ ଘେରରେ ପକାଇଛି । ତେଣୁ ଏହାର ଉପଯୁକ୍ତ ତଦନ୍ତ କରାଯାଇ ସତ୍ୟତା ଉନ୍ମୋଚନ ହେଉ ବୋଲି କହିଛନ୍ତି । ଏ ସମ୍ପର୍କରେ ତତକାଳୀନ ପିଇଓ ନରହରି ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପୁର୍ବରୁ ଅନଲାଇନର ବ୍ୟବସ୍ଥା ନଥିଲା । ପଞ୍ଚାୟତ ତାର ନିଜସ୍ୱ ସମ୍ବଳରୁ ଏହି ଅର୍ଥ ତତ୍‌କାଳ ଦେଇଥାଏ । ଯାହାକି ପରେ ଆସିଲେ ତାହାକୁ ଭରଣା କରାଯାଇଥାଏ । କିନ୍ତୁ ପରେ ଅନଲାଇନ ବ୍ୟବସ୍ଥା ହେବାରୁ ଏକ ସାଙ୍ଗରେ ଦୁଇବର୍ଷରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ନାମକୁ ଗୋଟିଏ ବର୍ଷରେ ଉଲେଖ କରାଯାଇ ଆବେଦନ କରାଯାଇଥିଲା । ପ୍ରାୟତ ସମସ୍ତଙ୍କୁ ହରିଶ୍ଚନ୍ଦ୍ର ଅନୁଦାନ ଦେଇ ଦିଆଯାଇଛି ବୋଲି ସେ କହିଛନ୍ତି । ଆଜି ବ୍ଳକ ପ୍ରତିନିଧି ଦଳ ତଦନ୍ତ କରୁଥିବା ସମୟରେ କିଛି ବ୍ୟକ୍ତି ହରିଶ୍ଚନ୍ଦ୍ର ଟଙ୍କା ପାଇନଥିବା ଅଭିଯୋଗ କରିଥିଲେବି ସେମାନଙ୍କ ନାମ ବଣ୍ଟନ ତାଲିକାରେ ନଥିବା ଅଧିକାରୀ ମାନେ ଦେଖିଥିଲେ ।