Odiapua.com

ବାଲିପୋଖରୀ ସୋସାଇଟି; ଧାରଣାରତ ଚାଷୀ ଦେଲେ ତିନିଦିନ ମହଲତ

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ବାଲିପୋଖରୀ ପ୍ରାଥମିକ ସମବାୟ ସମିତି ପକ୍ଷରୁ ଚଳିତ ବର୍ଷ ଖରିଫ ଧାନକ୍ରୟରେ ଅଧିକ ପାଞ୍ଚଶହ ଗ୍ରାମ କଟାଯିବା ପ୍ରତିବାଦରେ ଚାଷୀମାନେ ଗତକାଲି ଦେଇଥିବା ତାଲାବନ୍ଦ ଧାରଣା ତିନିଦିନ ପାଇଁ ସ୍ଥଗିତ ରହିଛି । ସମିତିର ସମ୍ପାଦକ ମିଲର, ଯୋଗାଣ ବିଭାଗ ଅଧିକାରୀ ଓ ପ୍ରଶାସନ ସହ ଆଲୋଚନା କରି ଗ୍ରହଣଯୋଗ୍ୟ ସମାଧାନ କରିବେ ବୋଳି ପ୍ରତିଶ୍ରୁତି ଦେବା ପରେ ଧାରଣାକୁ ଆଗାମୀ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏଥି ସହ କଟନି ପାଇଁ କ୍ୟୁଇଣ୍ଟାଲ ପିଛା ଅଧିକ ପାଞ୍ଚକିଲୋ ଧାନ କ୍ରୟ କରାଯିବା, କେବଳ ସୋସାଇଟିରେ ଧାନ କ୍ରୟ କରାଯିବା, ସିଧାସଳଖ ମିଲରକୁ ଧାନ ବିକ୍ରୟ ବନ୍ଦ କରାଯିବା, ବିଗତ ବର୍ଷରେ ଧାନକ୍ରୟ ପାଇଁ ସୋସାଇଟି ସହିଥିବା କ୍ଷତିକୁ ପରିଚାଳନା ବୋର୍ଡରେ ଆଲୋଚନା କରାଯାଇ ମିଳିତ ନିଷ୍ପତ୍ତି ନିଆଯିବା ଆଦି ଛଅ ଦଫା ସମ୍ବଳିତ ଦାବି ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଥିଲା । ଅକ୍ଷୟ ତ୍ରିପାଠୀ, ଗଗନ ବିହାରୀ ସେଠୀ, ରବିନ୍ଦ୍ର ବେହେରା, କମଳାକାନ୍ତ ଲେଙ୍କା, ଅକ୍ଷୟ ସାହୁ, ପାଣ୍ଡବ ସ୍ୱାଇଁ, ନନ୍ଦ କିଶୋର ସାହୁ, ଅର୍ଜ୍ଜୁନ ନାଥ, କେଦାର ମଳିକ ପ୍ରମୁଖ ଚାଷୀମାନେ ଗତ ଗୁରୁବାର ଏଥିପାଇଁ ସମିତିରେ ତାଲା ପକାଇ ଧାରଣା ଦେଇଥିଲେ ।