Odiapua.com

ବାଲିଚୋର ରୋକିବାକୁ ବନ୍ୟା ସୁରକ୍ଷା ସମିତିର ସ୍ମାରକପତ୍ର : ମାଫିଆ-ପୁଲିସ୍ ଡିଲର ଅଡିଓ ଭାଇରାଲ

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବାଲିପୋଖରୀ ପଂଚାୟତ ବିପଦ ସଂକୁଳ ବୈତରଣୀ ଏସକେପ ଉପର ଦେଇ କ୍ରମାଗତ ବିପୁଳ ପରିମାଣର ଚୋରା ବାଲି ଉଠାଣ ଓ ପରିବହନ ରୋକାନଗଲେ ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା ସମିତି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଜଳସଂପଦ ବିଭାଗ ବାଲିପୋଖରୀ ଏସକେପର ପୁନଃ ନିର୍ମାଣ କରିବାକୁ ଟାଳଟୁଳ ନୀତି ଚଲାଇଥିବାବେଳେ ବାଲିଚୋରମାନେ ଦିନରାତି ଏହି ଏସକେପ ଉପର ଦେଇ ଟ୍ରାକ୍ଟର ଓ ଅନ୍ୟ ଭାରି ଯାନରେ ଚୋରା ବାଲି ପରିବହନ କରିବା ଦ୍ୱାରା ଏସକେପ ବିପର୍ଯ୍ୟସ୍ତ ହୋଇପଡିଛି । ସମ୍ଭାବ୍ୟ ବନ୍ୟାରେ ବହୁ ପଂଚାୟତର ହଜାର ହଜାର ଲୋକଙ୍କ ଧନଜୀବନ ବିପର୍ଯ୍ୟସ୍ତ ହୋଇପଡିବ ବୋଲି ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ଲୋଡିଛନ୍ତି । ବାଲିଚୋରମାନେ ତହସିଲଦାର, ପୁଲିସ୍ କମର୍ଚାରୀ ଓ ଜଳସଂପଦ ବିଭାଗ କର୍ମଚାରୀଙ୍କ ପୃଷ୍ଠପୋଷକତା ଲାଭକରି ଏଭଳି କାର୍ଯ୍ୟ ଚଳାଇ ପାରୁଛନ୍ତି ବୋଲି ସ୍ମାରକପତ୍ରରେ ଦର୍ଶାଯାଇଛି । ଏପରିକି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ବ୍ୟକ୍ତିଗତ ଭାବେ ଥାନାଧିକାରୀ ଓ ତହସିଲଦାରଙ୍କ ପ୍ରତି ଥାଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ବା କାର୍ଯ୍ୟାନୁଷ୍ଠାନର ଭେଳିକି କରାଯିବା ଆଇନ୍‌ର ଶାସନ ପ୍ରତି ଉପହାସ ବୋଲି ଉଲ୍ଲେଖ କରାଯାଇଛି । ତହସିଲ ଓ ପୁଲିସ୍ ‘ରକ୍ଷକ ଭକ୍ଷକ’ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି ସ୍ମାରକପତ୍ରରେ ଆକ୍ଷେପ କରାଯାଇଛି । ସମିତିର ଆବାହକ ଅକ୍ଷୟ କୁମାର ତ୍ରିପାଠୀ, ଅଭୟ କୁମାର ଦାଶ, ନାରାୟଣ ଚନ୍ଦ୍ର ସାମଲ, ଅଲେଖ ପ୍ରସାଦ ଘଡେଇ, ନାରାୟଣ ଚନ୍ଦ୍ର ବେହେରା, ଦିବାକର ସେନାପତି, ହେମନ୍ତ ବେହେରା, ମାନଗୋବିନ୍ଦ ରାଉତ ପ୍ରମୁଖ ଶତାଧିକ ସ୍ୱାକ୍ଷରକାରୀ ଏହି ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲାପାଳ, ଜିଲା ପୁଲିସ୍ ଅଧୀକ୍ଷକ, ଜଳସଂପଦ ସଚିବ ପ୍ରମୁଖଙ୍କୁ ପ୍ରଦାନ କରିଛନ୍ତି । ଇତିମଧ୍ୟରେ ତହସିଲ ଅଂଚଳର ବାଲିଚୋରଙ୍କ ଠାରୁ ପୁଲିସ୍ ପାଇଁ ମାସିକ ଟ୍ରାକ୍ଟର ପିଛା ଚାରି ହଜାର ଟଙ୍କା ଡିଲ୍ କରାଯିବା ଅଡିଓ ଭାଇରାଲ ହୋଇଛି । ଏହି ଅଡିଓର ସତ୍ୟାସତ୍ୟ ପରଖାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ପୁଲିସ୍ ଅଧୀକ୍ଷକଙ୍କ ଠାରେ ଦାବି କରାଯାଇଛି ।