Odiapua.com

ବାଲିଚୋରି ଅଭିଯୋଗ ସମ୍ପର୍କରେ ନିଷ୍ପତ୍ତି ପାଇଁ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭଦ୍ରକ, ୨୩-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ବୈତରଣୀ ନଦୀରୁ ଅବାଧ ଚୋରା ବାଲି ଉଠାଣ ଓ ପରିବହନ ବିରୋଧରେ ଗ୍ରାମର ହେମନ୍ତ କୁମାର ଜେନାଙ୍କ ଆବେଦନ ଉପରେ ଓଡିଶା ହାଇକୋର୍ଟ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିଷଷ୍ପତ୍ତି ଗ୍ରହଣ ପାଇଁ ଆଦେଶ ଦେଇଥିବା ଜଣାଯାଇଛି। ଓଡିଶା ସରକାର, ଭଦ୍ରକ ଜିଲ୍ଲାପାଳ, ପୁଲିସ ଅଧିକ୍ଷକ- ତହସିଲଦାର ଓ ଥାନାଧିକାରୀଙ୍କୁ ପକ୍ଷଭୁକ୍ତ କରି ଶ୍ରୀ ଜେନା ଋଜୁ କରିଥିବା ରିଟ ପିଟିସନ ଉପରେ ହାଇକୋର୍ଟ ଏଭଳି ଆଦେଶ ଦେଇଛନ୍ତି। ପୂର୍ବରୁ ଶ୍ରୀ ଜେନା ଓ ଅନ୍ୟମାନେ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ କୁମ୍ଭାରିଆ, ବାଲିପୋଖରୀ, ଜଗନ୍ନାଥପ୍ରସାଦ ଆଦି ଗ୍ରାମର ବୈତରଣୀ ନଦୀ ଶଯ୍ୟାରୁ ବିପୁଳ ପରିମାଣର ବାଲି ଚୋରାରେ ଉଠାଇ ଅବାଧରେ ବିକ୍ରୟ କରୁଥିବା ନେଇ ଅଭିଯୋଗ କରିଥିଲେ। ଏପରିକି ଚୋରା ବାଲି ଉଠାଣ କରି ନଦୀ ବନ୍ଧ ସମେତ ବିଭିନ୍ନ ଜାଗାରେ ହୋଡିଂ କରି ହାଇୱା ସହାୟତାରେ ବହୁ ଅଞ୍ଚଳକୁ ଚଢ଼ା ଦରରେ ଚାଲାଣ କରାଯାଉଛି ବୋଲି ମଧ୍ୟ ଅଭିଯୋଗ କରାଯାଇଥିଲା। ଏହା ଯୋଗୁଁ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇ ଧନଜୀବନ ହାନୀର କାରଣ ସାଜିବ ବୋଲି ଦର୍ଶାଯାଇଥିଲା। ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଶ୍ରୀ ଜେନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ଜୁନ ମାସରେ ବାଲିପୋଖରୀ ଏସକେପ ଉପର ଦେଇ ଚୋରାବାଲି ପରିବହନ ଉପରେ ପ୍ରଶାସନ ପକ୍ଷରୁ ରାତି ଅଧିଆ ଚଢ଼ାଉ କରାଯାଇ୨୩ ଟ୍ରାକ୍ଟର ଜବତ କରାଯାଇ ମାମଲା ଋଜୁ କରାଯାଇଥିଲା। ଏହା ପରେ ଆଉ କାର୍ଯ୍ୟାନୁଷ୍ଠାନ ନହେବାରୁ ପୁର୍ନବାର ଯଥାରୀତି ବାଲି ଉଠାଣ ଓ ପରିବହନ ଚାଲୁଥିବା ଜଣାଯାଇଛି।